ଧୂଳିର ଧରଣ

 

 

 

 

 

 

 

 

 

 

 

ଧୂଳିର ଧରଣୀ

ଶ୍ରୀ ଅଂଶୁମାନ ଦାସ

 

ବିଷୟ ସୂଚୀ

 

୧.

ଉଏଁ ପୁଣି ଅସ୍ତ ହୁଏ

୨.

ଓରିମାନ ମେଣ୍ଟିଗଲା

୩.

ଭୋକ

୪.

ବେନାମୀ

୫.

ଏକ ଘରକିଆ

୬.

କଙ୍କାଳ ଆଖିରେ ଲୁହ

୭.

ଏକା ନାହି ଦି’ଖଣ୍ଡ

୮.

ମୂକସାକ୍ଷୀ

୯.

ବନ୍ଧନ

୧୦.

ଜୀବନ ଚକ ଚଳେ

୧୧.

ଅନାବନୀ

୧୨.

ବେରିଂଚିଠି

୧୩.

ନିଆଁ-ପାଣି

୧୪.

ସୁନାରିତା

୧୫.

ଯୋଡ଼ିଏ କୁସୁମ କଳୀ

Image

 

ଉଏଁ ପୁଣି ଅସ୍ତ ହୁଏ

 

କଥା ଗୁଡ଼ାକ ସବୁ ଲେଉଟି ଆସିଲା ସପନା ପାଖକୁ । କିଛି ମଜାଗତରେ ତା’ର ପଶିଲା ନାହିଁ । ପାଲୁଣୀ ଗଲା କୁଆଡ଼େ ? ଖୋଜିଲା, ଗାଡ଼ିଆ କୁଳରେ ନାହିଁ, କଂସା ବାସନର ଚିହ୍ନବର୍ଣ୍ଣ ପାଇଲା ନାହିଁ । ଗୁହାଳେ ବାହାରୁ ଧଡ଼ା କିନା ହେଇଚି, କାଳି ଗାଈଟା ପାକୁଳି କରୁଚି । ‘ନାଥିଆ ମା’ ଘରେ ? ମନା କଲା ନାଥିଆ ମା’ । ନିଆଁ ମୁଣ୍ଡା ଧରି ଆଜି ସେ ଆସିନି । ଗଲା ତେବେ କୁଆଡ଼େ ? ପାଲୁଣୀ ! ପାଲୁଣୀ !

 

ଦିହ ଗୋଟାକ ଯାକ ଚଞ୍ଚଳ ଢେଉ ଖେଳୁଚି । ମୁହଁ ଗୋଟାକ ଯାକ ବିରକ୍ତିରେ ଧାନ ଉଁଷୁଆ ହାଣ୍ଡି ପାଲଟିଚି । ପୁଣି ସେ ମୋହିଁଲା ଦଦରା ପଲା ଖଣ୍ଡିକ ଆଡ଼କୁ । ଶୋଇଲା ଘରର ହେଁସ ଉଠିନି । ନଜର ଥମିଗଲା ସେଇଠି । ପାଦ କଢ଼େଇ ନେଲା ସେଠିକି । ଛିଣ୍ଡା କତରା ତଳେ ଗୋଟାଏ କାତର କଣ୍ଠସ୍ୱର । ଉହୁଃ....ଉହୁଃ....ହୁଃ....କତରା କାଢ଼ିଦେଲା ସପନା । ଛିଣ୍ଡା ଲୁଗାର ଆଭରଣ ତଳେ ଗୋଟିଏ ପାତଳ ଦେହ ଥର ଥର କମ୍ପୁଚି । ସପନା ବସି ପଡ଼ିଲା । ହାତ ଥାପିଲା ପାଲୁଣୀ ଦେହ ଉପରେ । ହାତ ଜଳି ଯାଉଚି । ଧାନ ପକାଇ ଦେଲେ ଖଇ ଫୁଟି ଯିବ ।

 

ପାଲୁଣୀ !

 

ଉଠି ପାରିଲା ନାଇଁ, କଂସା ଖଣ୍ଡକ ମଜା ହେଇନେଇଁ....ହଉ ତୁ ଶୁଅ । ଏତେ ଜର ଏଇ ରାତିକ ଭିତରେ ମାଡ଼ି ବସିଲା ତତେ ? ମତେତ କହି ନଉଁ ?

 

ତମେ ଯା, ଗାମୁଛା ବଦଳେଇ ପଖାଳ ଗଣ୍ଡାଏ ବାଢ଼ି ଖାଇଦେବ । ଖରା ମାଡ଼ି ଆସୁଚି-

 

ତୁ ଇମିତିକା ଆପଦରେ ପଡ଼ିଚୁ, ଆଉ ମୁଁ....

 

ଟିକିଏ ନାଥିଆ ମା’କୁ ଡ଼ାକ । ଭାରି କଷ୍ଟ ହେଉଚି, ବୋଧେ ପିଲା ପିଲି....

 

ସପନା ଡ଼େଇଁ ପଡ଼ିଲା । ପିଲା ପିଲି ହବ ପାଲୁଣୀର ଆଜି ? ଦଉଡ଼ିଲା ନାଥିଆ ମା’ ଘର ଆଡ଼କୁ । ଆକାଶକୁ ଚାହିଁଲା, ସୂର୍ଯ୍ୟ ଧୀରେ ଧୀରେ ଉପରକୁ ଉଠୁଛନ୍ତି । ସେ ଦୁଆର ବନ୍ଧ ସେପଟକୁ ଡ଼େଇଁ ପାରିଲା ନାହିଁ । ପଞ୍ଝାଏ ଲୋକ ତାକୁ ବାଟ ଓଗାଳିଲେ । ନାଗରାଟା ଡିବି ଡିବି ହୋଇ ବାଜି ଉଠିଲା । ସପନା ମୁଣ୍ଡରେ ହାତ ଦେଇ ସେଇଠି ବସିପଡ଼ିଲା ସେମିତି । ସବୁ ଭୁଲିଗଲା । ନିଜକୁ, ନାଥିଆ ମା’କୁ, ପାଲୁଣୀ କି । ଶୁଭ ବେଳରେ ଅଶୁଭ ଛୁତକ । ଆଜି ନାଥ ସୁଇଁଙ୍କର କୋରଖ ଡାକରା । ମୁଣ୍ଡ ବୁଲେଇ ଦେଲା । ନାଗ ସାପର ବିଷ ଯେମିତି ଚରୁଚି, ଅଚେତ, ଦି’ଜଣ ତାକୁ ଜାବୁଡ଼ି ଧରିଲେ ।

 

କୁଆଁ କୁଆଁ ନାଦରେ ସେ ଧୀରେ ଧୀରେ ଆପଣାକୁ ଫେରି ପାଇଲା । ସୂର୍ଯ୍ୟ ସେତେବେଳକୁ ସେପାଖରେ ଉଠିଲେଣି । ଘରେ ପ୍ରତିବେଶିନୀମାନଙ୍କର ଗଳହ ଲାଗିଚି । ଚେତନା ହରେଇ ମାଟିରେ ପଡ଼ିଚି ପାଲୁଣୀ । କଅଁଳ ଛନଛନ ଡଉଲ ଡାଉଲ ଛୁଆଟିଏ ମାଟିରେ ପଡ଼ି ଗୋଡ଼ ହାତ ହଲେଇ କାନ୍ଦୁଚି । ଏନ୍ତୁଡ଼ି ଲଗେଇବାକୁ ନଙ୍ଗଳ ମୁଣ୍ଡା ଖୋଜୁଚି ନାଥିଆମା ।

 

ସପନା ଦଉଡ଼ିଲା ବାରି ଆଡ଼କୁ, ଖରାଟି ନଙ୍ଗଳଟା ବରଷେ ହେଲା ହଳ ହୋଇ ଓଳି ତଳେ ଟଙ୍ଗା ହେଇଚି । ସେଇଟାକୁ ଜାଳି କାମ ଚଳେଇ ଦେଇ ଥାଉ, ପରେ ଦେଖାଯିବ ।

 

ସେ ବି ନାହିଁ । କିଛି ନାହିଁ । କଳାକନା ଛାଞ୍ଚୁଣୀ ପର୍ଯ୍ୟନ୍ତ ନାଥ ସୁଇଁ ଲୋକେ ଛାଡ଼ି ଯାଇ ନାହାନ୍ତି । କେଡ଼େ ନିଷ୍ଠୁର ସେମାନେ ? ସପନା ମଦୁଆଙ୍କ ପରି ଟଳି ଟଳି ଫେରି ଆସିଲା ନାଥିଆମା ପାଖକୁ । ପାଲୁଣୀ ନାକରେ ହାତଦେଇ ପରଖୁ ଥିଲା ନାଥିଆ ମା । ମୁହଁ ତା’ର ଦିଶୁଚି ଫିକା, ପାଣ୍ଡୁର ।

 

ସପନା ଚିହିଂକି ଉଠିଲା, କ’ଣ ହେଲା ?

 

ନାଥିଆମା ମୁଣ୍ଡ ହଲିଗଲା, ସବୁ ସରିଯାଇଚି ।

 

ସପନା ଛାତି ଫାଟିଗଲା ଯେମିତି । ବହୁତ କଷ୍ଟରେ ନିଜକୁ ସମ୍ଭାଳି ନେଇ ପଚାରିଲା, ପୁଅ ?

 

କଅଁଳ ଶିଶୁର ଓଠ ଥରଟିଏ ପାଇଁ ଥରି ଉଠିଲା ।

 

ନାଥିଆମା’ ତନଖି କହିଲା, ‘ପୁଅ ମା’ ସାଙ୍ଗ ଛାଡ଼ନ୍ତା କେମିତି ?

 

ସୂର୍ଯ୍ୟ ଅସ୍ତଯାଏ ପ୍ରତିଚୀ ଗଗନରେ । ଘନ କାଳିମା ଘୋଟି ଆସେ ଦୁନିଆ ବକ୍ଷ ଉପରକୁ । କ୍ଷଣ ଜନ୍ମାର ବିଲୀନ କ୍ଷଣ ଆଗେଇ ଆସେ । କାହାର ବା ଟପି ଆସେ ।

 

ସପନା ମା’ ପୁଅ ଦୁଇଟିଙ୍କି ମଶାଣୀ ହୁଡ଼ାରେ ପାଉଁଶ କରି ଉଡ଼େଇ ଦେଲା । ଅନେଇଲା ଆକାଶକୁ । ପୂର୍ବ ଦିଗରେ ସୂର୍ଯ୍ୟ ପଶ୍ଚିମରେ ଅସ୍ତ ହେଇଚି । ଅନ୍ତରରେ ଭାବନା ଉଠିଲା, ସୂର୍ଯ୍ୟ ଉଏଁ ପୁଣି ଅସ୍ତ ହୁଏ । ଅଜର, ଅମର, ଅନିବାର ସେ, କିନ୍ତୁ ତା’ ଜୀବନର ସୂର୍ଯ୍ୟ ଏଇ ଉଦୟ ଅସ୍ତ ଭିତରେ ଲିଭି ଯାଇଚି ।

 

ହାତଯୋଡ଼ି ଅସ୍ତଗାମୀ ସୂର୍ଯ୍ୟଙ୍କୁ ପ୍ରଣତି ଜଣେଇଲା ସପନା ।

Image

 

ଖଣ୍ଡିଆ ଭୂତ

 

ଝାଟିମାଟି ଓ ତାଟିର କଙ୍କାଳ ଉପରେ ଆଜି ଯେଉଁ ଭାଟି ଜଳୁଚି, ତାକୁ ଆଉ କାଟି, ମାଠି ଝୋଟି ଦେବାର ଅଧିକାର ଗୁରୁବାରୀର ନାହିଁ, ନାହିଁ, ନାହିଁ । ତତଲା ଲୁହର ଝର ଝରୁଚି, ଝରିବ । ଡହକା ବସୁମତୀର ଲେଲିହାନ ଜିଭ ଚାଟୁଚି, ଚାଟିବ । ଗୋଟିକର, କୋଟିକର ଝରିଲା ଲୁହ ଥୋପିଲା ଝାଳ, ସବୁ ସେ ଚଳାକରି ଶୋଷିସାରି, ଶୋଷିଲା କଣ୍ଠରେ ତକେଇଚି, ତକେଇବ । କାହାର ସାହା, ରାହା, ଠାଆ ପାଇଁ କଣ୍ଠରେ ତା’ର ଆହା ନାହିଁ ।

 

ଏଡ଼େ ନିଦାରୁଣ ଏଇ ବସୁମତୀ । ଏଡ଼େ କଠୋର ତା’ର ପ୍ରାଣ !! ଗୁରୁବାରୀ ଆଖିରୁ ଲୁହ ଥୋପି ଥୋପି ଶୁଖିଗଲା ପଞ୍ଜରିର ନିର୍ଝରିଣୀ ତଳୁ । ନିଆଁ ଜଳୁଚି, ଧୂଆଁ ଉଠୁଚି, ଧୂଆଁର କୁଣ୍ଡଳୀ ଭିତରେ ହଜିଚି ତା’ର ଖୋଜା ଦରବ, କିଏ ନେଲା ? କିଏ ପୋଛି ଦେଲା ତା’ ଗେଲବସରର ମନ ଦେବତାର ମନ୍ଦିରଟିକୁ ? ଯେଉଁଠି ବସିଲେ ଭୁଲୁଥିଲା ଦିହ ଦୁଃଖର ଅକଳଣ ଯନ୍ତ୍ରଣାର ପରାଶ । ଯେଉଁଠି ଆଶ୍ରା ନେଲେ ଭୁଲୁ ଥିଲା ମନଗହନର ଅସରନ୍ତି ଝାଞ୍ଚି ତାପ । ସେଇଠି, ସେଇ ମନ୍ଦିର ଦୁଆରେ ସେ ଆଜି ଭିକାରୁଣୀ, ପ୍ରାଣର ଦେବତା ତା’ର ଆଜି ନାହିଁ–ମନ୍ଦିରର ଅସ୍ତିତ୍ୱ ଲୋପପାଇଚି–ସେଠି ମୁଣ୍ଡଟେକିଚି ଖଣ୍ଡ ଖଣ୍ଡ ଇଟାର ବିରାଟ ସ୍ତୁପ ସେଇ ମାଟି ଅଛି, ଝାଟି ଅଛି, ହେଲେ ‘ମାଟି’ ଯନ୍ତା ଭିତରେ ଯନ୍ତି ହୋଇ ରୂପ ବଦଳେଇଚି ଆଉ ଝାଟି ନିଜକୁ ପୋଡ଼ି ମାଟି ବୁକୁରେ ବଳସଞ୍ଚରେଇ ତାକୁ ଗଢ଼ୁଚି ବଡ଼ଲୋକର ବଡ଼ତିପାଇଁ ।

 

ଗୁରୁବାରୀର କାନ୍ଦିବାକୁ ଆଉ ଲୁହ ନ ଥିଲା । ହସିବାକୁ ଆଉ ଜିଅ ନଥିଲା, ସେ କେବଳ ଭାବୁଥିଲା ଏଇ ଝାଟି ଆଉ ମାଟିର ପାତର ଅନ୍ତର କଥା । କେଡ଼େ ସୁଆର୍ଥୀ ଏଇ ଦୁନିଆଟା ସତେ ମ । ଦିନେ ତ ଏଇଠି ଏଇ ଝାଟି ମାଟିର କୁଡ଼ିଆଟିଏ ଥିଲା ତା’ର ହେଲେ କାହିଁ । ଦିନେତ ଝାଟି ଗୁରୁବାରୀ ପାଇଁ ନିଜକୁ ପୋଡ଼ି ମାଟି ବୁକୁରେ ବଳ ସଂଚରେଇବାକୁ ଆଗୁସାର ହେଇ ନ ଥିଲା । ଆଉ ଆଜି ?

 

ହଁ ଆଜି, ଆଜି ଆଉ କାଲି ନୁହେଁ । ଆଜିର ଜୀବନରେ କାଲିର ସ୍ୱପ୍ନ-ଚହଟା ବାସନା ନାହିଁ । ଆଜି ଆଉ କାଲିର ଫୁଟିଲା ଫୁଲର ଗନ୍ଧ ଲୁଟି ପାରିବ ନାହିଁ । କାଲି ଯାହା ଥିଲା, ଆଜି ତାହା ଥିଲେ ଗୁରୁବାରୀ ପୁଣି ନୂତନ କାଲିର ଚିନ୍ତାରେ ଜୀବନ ଦୁଆରେ ବଂଧୁକ ଧରି ସିପାହୀ ସାଜି ପାରି ନଥାନ୍ତା । ଜୀବନ ଝଡ଼ ଭିତରୁ ସେ କାଲିର ସୌରଭକୁ ଗୌରବ ରୂପେ ଗୋଟେଇ ପାରି ନଥାନ୍ତା । କାଲି, ଆହା–

 

ଗୁରୁବାରୀ, ଲୋ ଗୁରୁବାରୀ....

 

ଖିଲି ଖିଲି ହସକୁ ପଣତ କାନି ତଳେ ଚାପିଧରି ଗୁରୁବାରୀ ଲୁଚିଗଲା ଜାମୁକୋଳି ଗଛ ଉହାଡ଼ରେ । ନଖିଆ କଣ୍ଟା ଝଟା ଆଡ଼େଇ, ବାଡ଼େଇ ଖୋଜୁଥିଲା ଗୁରୁବାରୀକୁ । କୁଆଡ଼େ ଗଲା ଆଉ ? ଦିହକ ଗଲା ନାଇଁ ତା’ର ଏଇ ଚଗଲାମୀ, ନଖିଆ କନ କନ ଛନ ଛନ ହେଇ ଅନଉ ଥିଲା ଏଣେ ତେଣେ । କଣ୍ଟା ବୁଦା, ଝଟାତଳ, ନଟାମୂଳ, କେଉଁଠି ନାହିଁ । ଗୁରୁବାରୀ ହସ ସମ୍ଭାଳି ପରିଲା ନାହିଁ ଆଉ, କୁରୁକୁରୀଟା, କୁରୁକୁରା ହସ ଫୁଟି ପଡ଼ିଲା ପଣତ ବିଣ୍ଡାତଳୁ ।

 

ନଖିଆ ଛାତିର ଭାତି ନିଭିଗଲା ।

 

–ଆଲୋ ଏଡ଼େ ରଙ୍ଗେଇ ତୁ କୋଉଦିନ ହେଲୁ ? ତତେ ଡାକି ଆଣିଲି ଗୋଟାଏ ଠାଇଁ ଦେଖେଇବାକୁ, ତୁ ବାଇଁ ବାଇଁ ହେଇ ବୁଲୁଚୁ ଏମିତି । ସାପ, ବେଙ୍ଗ, ପୋକ, ଯୋକ, ଗହଳରେ ରହମାନ ପଡ଼ିବୁଟି ?

 

–ଗଲାତ ମୁଁ ମରିଗଲେ ତମର ଚଉଦିଗ ଅନ୍ଧାର ହେଇଯିବ । ତମକୁ କ’ଣ ଆଉ ଜମା କନିଆ ମିଳିବେ ?

 

ନଖିଆ କୁରାଢ଼ିଟାକୁ କାନ୍ଧରୁ ଫିଙ୍ଗିଦେଇ ଗୁରୁବାରୀ ମୁହଁରେ ହାତ ଥାପିଲା ।

 

–ଛି, ଏମିତି ଅମଙ୍ଗୁଳିଆ କଥା କହନ୍ତି । ହେଇ ଦେଖ ବାବୁଘର ଏଇ ଅନାବାଦି ପୁଳାକ ଦେଇଚନ୍ତି । ଏ ଝାଡ଼ ଜଙ୍ଗଲ କାଟି ଆମ ଜୀବନ ଆବାଦୀ କରିବା ପାଇଁ ଏଇଠି ଘର ବଖୁରୀଏ କରିବା । କେତେଦିନ ଅଉ ପର ଓଳି ତଳେ ମୁଣ୍ଡ ଗୁଞ୍ଜି ରହିବା କହିଲୁ ? ତତେ ଡ଼ାକି ଆଣିଥିଲି ଗୋଟାଏ ଜାଗା ଦେଖେଇ ଦେବା ପାଇଁ–ଖାଲି ତୋ’ ମନକୁ ପାଇଲେ, ମୋ କୁରାଢ଼ି ଚୋଟରେ ଏଇଠି ସରଗ ଛିଣ୍ଡି ପଡ଼ିବ । କ’ଣ କହୁଚୁ ?

 

ଗୁରୁବାରୀ ଖାଲି ଖିଲି ଖିଲି ହୋଇ ହସିଲା । ଶିଯୁ ମୁଠାରେ ଏଣ୍ଡୁଅଟାଏ ମୁଣ୍ଡ ଟୁଙ୍ଗାରୁଥାଏ । ଗୁରୁବାରୀ ଟେକାଟାଏ ଧରି ଛୁଟିଗଲା ତା’ରି ଆଡ଼େ । ନଖିଆ ତା’ ପଛେ ପଛେ ଦଉଡ଼ିଯାଇ ତାକୁ ନିବର୍ତ୍ତେଇଲା । ଛଳ କୋପକରି କହିଲା,–ଏଡ଼ୁଟିଏ ତ ହେଲୁ ଆସି । ଭଗବାନେ ଚାହିଁଲେ କାଲି ସକାଳେ ମା’ ଡାକ ଶୁଣିବୁ । ତୋ’ ପିଲାପଣିଆ କେବେ ଛାଡ଼ିବ ଲୋ ! ଅଭିଆଡ଼ି ବଅସର ହେଣ୍ଡିମରା ଖୋଇ ଏବେ ବି ଗଲା ନାହିଁ ।

 

ଗୁରୁବାରୀ ହସି ହସି କହିଲା, କାହିଁକି ମୋର କ’ଣ ହେଇ ଯାଇଚି କି ? ସେଇ ତେମେତ ଅଛ, ଖାଲି ଯାହା ‘ତୁ’ ବଦଳରେ ‘ତେମେ’ ହେଇଯାଇଚି । ଏଇତ କଥା ।

 

ଗୁରୁବାରୀ ଚିବୁକ ହଲେଇଦେଇ ହସି ହସି ନଖିଆ କହିଲା,–ସେଥିପାଇଁ ତ ମୋର ଏତେ ଚିନ୍ତା ଭାବନା । ମୁଁ ‘ତୁ’ ଥିଲି ଯେ, ତୋ’ କଥା ଚିନ୍ତିବାକୁ ପଡ଼ୁ ନ ଥିଲା । ଯେଇଁ ଦିନଠଉଁ ‘ତେମେ’ ହେଲି, ସେଇ ଦିନୁ ତ ତୋ ଭାବନାରେ ମୁଁ ଧନ୍ଦି ହେଉଚି ।

 

–ଓଃ ଭାରିତ ତେମେ । ମୁଁ କ’ଣ କହୁଚି ତମକୁ ମୋ କଥା ଭାବ, ଚିନ୍ତ, ଘାରିହୁଅ । ମୋ ପାଇଁ ଯଦି ଏତେ ଚିନ୍ତା ଭାବନା ତମର, ମତେ କ’ଣ କନିଅର ମଞ୍ଜି ପୁଞ୍ଜାଏ ମିଳିବନି ?

 

–ଛି ଫେର୍‌ ସେଇକଥା । ମୋ ରାଣୀଟା ପରା ! ଆଉ ସେ କାଳ କଥା ମୁହଁରେ ଧ’ରନା-। କହତ ଏଇଠି ଆମ ଘର ଖଣ୍ଡିକ ହେଲେ ତୋ’ ମନ ମାନିବ ତ ?

 

ଗୁରୁବାରୀ ଗୋଟାଏ ହୁଙ୍କା ଉପରେ ବସିଥିଲା । ନଖିଆକୁ ପାଖକୁ ଡାକି କହିଲା,

 

–ମତେ ଯଦି ପଚାରିଲ, ମୁଁ ଯାହା କହିବି କରିବତ ?

 

ନଖିଆ ଗୁରୁବାରୀ ପାଖକୁ ଘୁଞ୍ଚି ବସି କହିଲା,

 

–ତୋ’ରି ପାଇଁତ ମୋର ସବୁ ସୁଖ ଶିରୀ–ତୋ’ କଥା ନ’ ଶୁଣିବି ତ ଶୁଣିବି କା’ କଥା-?

 

–ହଉ ତେବେ ଶୁଣ ଓ ହେଇଏ ଯେଉଁ କାନକୁଳି ନଟା ସାହାଡ଼ା ଗଛରେ ମାଡ଼ିଚି, ସେଇଠି ହେବ ଆମ ଘର । ଆଉ ଏ ଯେଉଁ ବଇଁଚି କୋଳି ବଣ, ସେଇଠି ହେବ ପୋଖରୀ । ଶାଗ ମାରିଚ ବୁଣିବାପାଇଁ ଏଇ ଶିଯୁ ବଣ କାଟି ଦେଲେ ହେଲା । ଆଉ କ’ଣ ?

ନଖିଆ କୁରାଢ଼ିଟାକୁ ଗୋଟେଇ ଆଣି ଆନନ୍ଦରେ ହୁ କିନା ଡ଼େଇଁ ପଡ଼ିଲା । ସେତିକି ଗୁରୁବାରୀ ମୁହଁରୁ ଶୁଣିବା ପାଇଁ ସେ ଅନେଇଥିଲା ଆକୁଳ ଆଖିରେ । କାଳେ ଯଦି ଗୁରୁବାରୀ ମନକୁ ଜାଗାଟା ନଯାଏ ଏତେ ମିହନ୍ତ କରି ଜଙ୍ଗଲ ଓଳେଇ ଲାଭ କଣ ହେବ ?

ଗୁରୁବାରୀ କଟୁରୀ ଖଣ୍ଡିଏ ଧରି ଭିଡ଼ିଗଲା ନଖିଆ ସାଙ୍ଗରେ । ସେ ତା’ ଆକଟ ମାନିଲା ନାହିଁ । ନଖିଆ ପାଞ୍ଚଥର ତା’ ହାତରୁ କଟୁରୀ ଛଡ଼େଇ ନେଲେ ବି ସେ ପୁଣି କମର ଭିଡ଼ିଲା । ଶେଷକୁ ନଖିଆ ଦିକ୍‌ଦାର ହୋଇ କହିଲା ।

–ଅତି ଗୋଟାଏ ଅମାନିଆ ପିଲାଟାଏ । ଗେରସ୍ତମାନଙ୍କ କଥା କିଏ ମାନେ ନାଇଁ କହିଲୁ ?

ଗୁରୁବାରୀ ଖାଲି ଟିକିଏ ମୁରୁକି ହସି ଆଖିଡ଼ୋଳା ଯୋଡ଼ିକୁ ପହଁରେଇ ନେଇ କହିଲା

ଉଁ, ଭାରି ଗେରସ୍ତ ହେଇଚ । ଆମେ ଖାଲି ନିଆ ଅନିଆ ସବୁ ତମର ମାନି ଯାଉଥିବୁ ।

ନଖିଆ ଅନାବାଦି ଆବାଦୀ କରି ଗୁରୁବାରୀର ମନ ଲାଖି ରୂପ ଦେବାକୁ ପୂରା ବର୍ଷଟିଏ ଲାଗିଗଲା । ହେଲେ ଝାଟି ମାଟିର କୁଡ଼ିଆ ଘରଟିକୁ ସତରେ ଖସେଇ ଆଣିଥିଲା ସ୍ୱର୍ଗ । ଆଉ ଗୁରୁବାରୀ ! ତା’ ଆନନ୍ଦ ଦେଖେ କିଏ ! ହସି ହସି ଗୁଣୁ ଗୁଣୁ ଗୀତ ଗାଇ ଗାଇ ସେ ଯେତେବେଳେ ନଖିଆ କବଳରୁ ଖସିଯାଇ, ଗୋବର ଟୋକେଇଟି କାଖେଇ ଧାଇଁ ଧାଇଁ ବିଲମଝିକି ପଳାଏ, ସେ ମଣେ ଯେମିତି ଗଡ଼ ଜିତି ଆସିଚି । ସେ କାହିଁକି ମାନନ୍ତା ନଖିଆର ବାରଣ ? ଭାରି ସିଆଣିଆ ସେ, ତାକୁ ଆଉ ଭଗବାନ ଗୋଡ଼ହାତ ଦେଇ ନାହାନ୍ତି–ଗୋଟାଏ ଲୋକ ଖଟି ଖଟି କଳାକାଠ ପଡ଼ିବ ଆଉ ସେ ଭାଲୁକୁଣୀ ପରି ଘରକୋଣରେ ବସିଥିବ । ତା’ ହେବ ନାହିଁ ଗୁରୁବାରୀ ଦେଇ, ଯେତିକି ହେଲା ସେତିକି । ଶି’ରାଏ ଗୋବର ଆଣିଲେ ତ କୋଡ଼ିଏ ଫେରା ଘସି ହେବ–ସେତିକିର ଦାମ କ’ଣ ଚାରିପଇସା ହେବ ନାହିଁ ? ଗୋଡ଼ ହାତ ଚଳୁ ଚଳୁ ଗୋଟାଏ କୁଢ଼ିଆଣୀ ପଣ କଣ ?

ନଖିଆ ଏବେ ଗୁରୁବାରୀର ଏ ଘରକରଣା ପଣ ଦେଖି ଆବା କାବା ହେଇଯାଏ । କୋଉଠୁ ସାଧିଲା ଏତେ ସାଣ୍ଠଣା ।

ହସ, ଖୁସି, ସୁଖ, ଶରଧା ଭିତରେ ଗଡ଼ିଯାଉଥିଲା ତାଙ୍କର ଦିନଗୁଡ଼ିକ । କେଡ଼େ ମଜା କେଡ଼େ ମଉଜର ।

ହେଲେ ନଖିଆ ମନରେ ସୁବୁବେଳେ ଗୋଟିଏ ଭାବନା ବସା ବାନ୍ଧି ଥାଏ । ସେ ତା’ ଗୁରୁବାରୀ ପାଇଁ ସବୁ କରିବି । ଆଉ କରି ନାହିଁ କେବଳ ହାତକୁ ରୂପା କାଚ, ବଟଫଳ ହଳେ, ଆଉ ବେକକୁ ଚଇନି ଦି’ ସରି । ଯେତେବେଳେ ଗାଁ ଭିତରେ ସେ ଝିଅ ବୋହୂଙ୍କ ହାତରେ କାଚ, ବଟଫଳ ଦେଖେ ସେତେବେଳେ ତା’ ପ୍ରାଣରେ କମ୍ପନ ଖେଳିଯାଏ । କେଡ଼େ ସୁନ୍ଦର ଦିଶୁନାହାନ୍ତି ଏମାନେ ! ଗୁରୁବାରୀଟି ମୋର ଏତକ ପାଇଲେ ସରଗ ପରୀ ପରି ଦିଶନ୍ତା–ଆଉ ମୁହଁରେ ତା’ର ଫୁଟି ଉଠନ୍ତା ସରଗ ହସ ।

ପାଇଟିରୁ ଫେରି ଘରେ ଗୁରୁବାରୀ ହାତରେ ପିତଳ ଖଡ଼ୁ ଦେଖି ତା’ ମନ ଫିକା ପଡ଼ିଯାଏ । ଦିହ ମିହନ୍ତ କରି ଯାହା ପାଏ ସେଥିରୁ ବଳେଇ ପଡ଼ନ୍ତ କାଳ ବିତିଲେ ବି ଗୁରୁବାରୀ ହାତରୁ ସେ ସଜ ବଦଳେଇ ପାରିବ ନାହିଁ । ହେଲେ ଯେମିତି ଇଚ୍ଛା ସେମିତି ସେ ରୂପା ଅଳଙ୍କାରରେ ଗୁରୁବାରୀକି ସଜେଇ ଗାଁ ମାଇପଙ୍କ ସମକଚ୍ଛ କରିବ । ମନକଥା ମନରେ ଥାଏ । ସୁବିଧା ସୁଯୋଗ ଉଣ୍ଡୁଥାଏ । କାହାରି ସାଙ୍ଗ ପାଇଲେ ଦି’ଚାରି ମାସ ଯାଇ ସହରଆଡ଼େ ବୁଲି ଆସନ୍ତା । ଏତେ ଲୋକ ଏତେ ପଇସା କମେଇ ଏତେ ଦରବ ବୋହି ଆଣୁଛନ୍ତି, ସେ କ’ଣ ତା’ ଗୁରୁବାରୀ ପାଇଁ ଗହଣା କେଇସଜ କରିପାରନ୍ତା ନାହିଁ ?

ସେଥର ବିଶି ସର୍ଦ୍ଦାର ଗାଁକୁ ଆସିଥାଏ । ନେଳିଆ କାମିଜ ଉପରେ ପାରିଲା ଗାମୁଛାଟି ତଅ କରି ପକେଇ ଗାଁ ମୁଣ୍ଡ ଗଛ ତଳେ ବସି ତା’ ସର୍ଦ୍ଦାରୀ ଜୀବନର ବାହାଦୂରୀ ଗପୁଥାଏ । ବଡ଼ ବାବୁଠୁଁ ଆରମ୍ଭ କରି ବଡ଼ ସାହାବ ପର୍ଯ୍ୟନ୍ତ ତାକୁ କେମିତି ଭଲ ପାଆନ୍ତି । ସେଥିରେ ଜର୍ମାନୀ ଇଞ୍ଜିନିୟରଟା ଆସି ତା’ ବିଚକ୍ଷଣ କର୍ମ ଦକ୍ଷତାକୁ କେମିତି ପାଞ୍ଚଜଣକ ଆଗରେ ତାରିଫ କଲା–ଗାଁର ନିଷ୍କର୍ମା କେତେଜଣ ବିଶି ସର୍ଦ୍ଦାରର ଅନର୍ଗଳି ବକ୍ତୃତା ଶୁଣି ଯାଉ ଥାଆନ୍ତି । ନଖିଆ ପାଇଟି ବଢ଼େଇ ଫେରିଲାବେଳେ ବିଶି ସର୍ଦ୍ଦାରଙ୍କୁ ଗୋଟିଏ ଜୁହାର ହୋଇ ପାଖରେ ବସିଲା । ସର୍ଦ୍ଦାର ହସି ହସି କହିଲା

 

–ଆରେ ନଖି ଯେ, କଣ ବାପ ଖବର କ’ଣ ? ଭଲରେ ଅଛୁ ତ ?

 

ନଖିଆ କଥା ନହସରେ କହି ପକାଇଲା,

 

–ନାଇଁ ମଉସା, ମୋ ଜୀବନରେ ସୁଖ କାହିଁ ? ସବୁ ଦିନ ତ ନଅଣ୍ଟ ଅଣ୍ଟ, ବେଳକାଳ ଯାହା ପଡ଼ିଚି ଯେତେ ରୁଣ୍ଡେଇ ସାଉଁଟି ଆଣିଲେ ତ ପେଟ ପୁରୁନାହିଁ । ଗାଣ୍ଡି ଲୁଚିବାତ ଦୂରର କଥା । ହେଲେ ମଉସା, ଏତେ ଲୋକଙ୍କ ପ୍ରତି ସୁଦୟା କଲ ଏ ଗରିବଟା ପ୍ରତି କ’ଣ ଟିକିଏ କଲେ ହୁଅନ୍ତା ନାହିଁ ।

 

ସର୍ଦ୍ଦାର ତା’ର ସ୍ୱଭାବ ସୁଲଭ ହସ ଖଣ୍ଡିକ ହସି କହିଲା ।

 

–ମୁଁ କ’ଣ କେବେ କାହାକୁ ମନା କରିଚି ଆରେ ନଖି ! ଠାକୁର ସିନା ସପନେଇଲେ ଭୋଗ ଖାଇବେ, ନ ହେଲେ ପୂଝାରୀ କୋଉଠି ବଳେ ବଳେ ଯାଚି ଦେଇ ଆସିବାରେ ଦେଖିଚୁ ?

 

ନଖିଆ ମନ ଗୋଟାଏ ଅଜଣା ପୁଲକରେ ଦୋହଲି ଉଠିଲା । ସେ ବିଶି ସର୍ଦ୍ଦାରର ଗୋଡ଼ ଯୋଡ଼ାକୁ ଧରି ପକାଇ ନମ ହୋଇ ପଡ଼ିଯାଇ କହିଲା,

 

–ମଉସା, ସେଇଟା ମୋର ଅପରାଧ ହେଇଚି । ମୁର୍ଖ ଲୋକ ମୁଁ, ଦୋଷ ଧରିବ ନାହିଁ । କହିବ ଯଦି ଏଇଥର ତମ ସାଙ୍ଗରେ, ବିଶି ସର୍ଦ୍ଦାର ନଖିଆ ହାତଧରି ଉଠେଇ ଦେଉ ଦେଉ କହିଲା-

 

–ଆରେ ଉଠ ଉଠ–ମୁଁ କ’ଣ ତତେ ମନା କଲି ? ଯା, ଆଜିରିବାରେ ମୋ ସାଙ୍ଗରେ ଯିବାକୁ ତିଆରି ହେବୁ । କଥା ପଦକରେ ତୁ ଗରିବଟା ଯଦି ଥାଇତି ହେବୁ, ସେଥିରେ କଣ ମୋର ଅଧର୍ମ ହେବ ?

 

ନଖିଆ ଆନନ୍ଦ ଆଉ ଦେଖେ କିଏ । ମନେ ମନେ ହିସାବ ଯୋଡ଼ିଲା ସେ । ଖୁବ୍‌ ବେଶି ହେଲେ ମାସ ଚାରିଟାର କଥା । କେଇଟା ଦିନ କ’ଣ ଗୁରୁବାରୀ ଏକଲା ଚଳିପାରିବ ନାହିଁ । ଧାନ, ଚାଉଳ ସବୁତ ଘରେ ଅଛି–ହେଲେ ପହିଲେ ପହିଲେ ସେ ମୋଟେ ମଙ୍ଗିବ ନାହିଁ । ହଁ ତାକୁ ଏଣୁ ତେଣୁ କହି ମଙ୍ଗେଇ ଦେବି ଯେ ।

 

ଗୁରୁବାରୀ ବହୁ ବୁଝା ସୁଝାରେ ମଙ୍ଗିଲା ସିନା, କିନ୍ତୁ ସେଇ ମଙ୍ଗିବା ହେଲା ତା’ ଜୀବନର କାଳକଣ୍ଟକ । ନଖିଆ ତା’ ପାଖରେ ତିନିମାସକୁ କରାଳ କରି ଯାଇ ଯେତେବେଳେ ପାଞ୍ଚମାସ ଯାଏ ନ ଫେରିଲା, ଗୁରୁବାରୀ ଆଉ ଧୈର୍ଯ୍ୟ ଧରି ରହିପାରିଲା ନାହିଁ । ପରବାସରୁ ଯିଏ ଆସେ ପଚାରେ–ଯିଏ ଯାଏ ତା’ହାତରେ ଖବର ଦିଏ । ହେଲେ କାହାରି ଠଉଁ ଗୁରୁବାରୀ ନଖିଆ ଖବର ପଦେ ପାଏନା । କିମିତି ସେ ବଞ୍ଚିବ ? କେମିତି ସେ ଦିନ କାଟିବ ? କି ଉପାୟରେ ଫେରେ ସେ ତା’ର ହଜା ଧନକୁ ଫେରି ପାଇବ ?

 

ସଦାନନ୍ଦ ବାବୁ ବି ସେଇ ଚିନ୍ତା କରୁଥିଲେ । କେମିତି ସେ ତାଙ୍କ ହଜା ଧନ ଫେରି ପାଇବେ । ବାପା ସେତକ ଜାଗା ନଖିଆକୁ ଦାନ କରିଦେଇଛନ୍ତି । ଯଦିଓ ସେ ଦାନର କିଛି ମାନେ ହୁଏନା, ତଥାପି ସେ ଘରଦ୍ୱାର କରି ରହିଚି ଯେତେବେଳେ ତାକୁ ସେ ଉଠାଉଛନ୍ତି କେତେକେ । ତେବେ ଯେମିତି ଇଚ୍ଛା ସେମିତି କୋଠା ଖଣ୍ଡେ କରିବାକୁ ତାଙ୍କର ଭାରି ଆଗ୍ରହ ହେଉଚି ଏବେ କେମିତି । ଏ ପାଖ ମାଟି ଗୁଡ଼ାକରେ ଭଲ ଇଟା ହେବ ନାହିଁ ବୋଲି ବିଶେଷଜ୍ଞ କହିଲେ । ଯୋଉ ମାଟିରେ ଭଲ ଇଟା ହୋଇପାରିବ, ସେ ମାଟିର ଅଧିକାରୀ ଏଇକ୍ଷଣି ନଖିଆ । ନା–ନା, ତାଙ୍କ ମାଟି ଉପରେ ନଖିଆର କି ଅଧିକାର ଅଛି । ତଥାପି ଘର ଖଣ୍ଡିକ ତା’ ଅସ୍ତିତ୍ୱର ଜୟଗାନ କରୁଛି । ମାତ୍ର କୋଠା କରିବାକୁ ହେବ । ତେବେ ? ନଖିଆ ଚକିତ ହୋଇ ଅନେଇଲା, ତା’ ଝାଟିମାଟି କୁଡ଼ିଆର କଙ୍କାଳ ଉପରେ ଇଟା ଭାଟିର ଲେଲିହାନ ଜିଭ ଲହ ଲହ ହେଉଚି । ସେ କିଛି ବୁଝି ପାରିଲା ନାହିଁ ।

 

–କିଏ, କିଏ ୟା କଲା ଗୁରୁବାରୀ ?

 

–ତେମେ, ତେମେ, ନିଜେ ୟା କରିଚ । ଯେଉଁ ଅନାବାଦୀ କି ଆବାଦୀ କରିଥିଲ ମୋର ସୁଖ ସୁବିଧା ପାଇଁ, ସେଇ ଆବାଦୀ ଆଜି ପୁଣି ଅନାବାଦୀ ହେଇଚି । ଆଉ ଥରେ ତାକୁ କ’ଣ ଆବାଦୀ କରି ପାରିବ ?

 

–ଏସବୁ ତୁ କ’ଣ କହୁଚୁ ଗୁରୁବାରୀ ?

 

–କିଛି ନୁହେଁ, ଆଗ କହତ ପାରିବ ଆବାଦ କରି ଆଉଥରେ ?

 

–ତୋ’ ପାଇଁ ମୁଁ ସବୁ କରି ପାରିବି ।

 

–ହେଲେ ସେଦିନ ପରି ତମ ବାହୁରେ ଲହୁ ଅଛି ତ ? ମୁଁ କିନ୍ତୁ କୁରାଢ଼ୀଟାକୁ ଆଗଠାରୁ ଆହୁରି ଶାଣିଆ କରି ରଖିଚି ।

Image

 

ଓରିମାନା ମେଣ୍ଟିଗଲା

 

କୁହୁଳା ନିଆଁ କୁହୁଳି କୁହୁଳି ହାଉକିନା ଜଳି ଉଠିଲା ପରି, ଶେଷକୁ କଥାଟା ଫୁଟିଆରା ହେଇ ପଦାକୁ ବାହାରି ପଡ଼ିଲା । କେତେ ନ୍ୟାୟ ନିଷ୍ପତ୍ତି, ବିଚାର ଅବିଚାର ପରେ ମୁଖିଆମାନେ ଠିକଣା କଲେ–ସିଏ ସବୁ ଗେହ୍ଲାପଣିଆ ଚଳିବ ନାଇଁ । ଆମେମାନେ ବଞ୍ଚି ଥାଉ ଥାଉ ଏମିତିଆ ଅନ୍ୟାୟକୁ ପ୍ରଶ୍ରୟ ଦେବୁ ନାଇଁ । ଆରେ ବାବୁ ନିଆଁକୁ କାନିରେ ଲୁଚେଇଲେ କି ଲୁଚେ । ହକ୍‌ତ ସେଇଦିନ ଆମ ଆଗରେ ଆସି କହି ଥାଆନ୍ତୁ, ମୋ ମାଇପ ଦଉଡ଼ି ଲଗେଇ ମରିଚି । ସେଦିନ କୋଉ ବାପର ହେମନ୍ତ ପାଇ, ଫୁଟିକି ମାରି, ପଞ୍ଚୁଆତିଙ୍କ ଆଗରେ ମିଛକୁ ସତ, ସତକୁ ମିଛ କରି କହି ଚାଲିଗଲୁ ‘ଶିବା ମା’ର ବାତ । ବେଳେ ବେଳେ ଧରେ । କାଲି ପାଣି ଗଡ଼ିଆରେ ଧଇଲା ଯେ, ସିଏ ସେଇଠି ପଡ଼ି ମରିଗଲା ।’ ଆରେ ଏଟାକୁ କ’ଣ ମଗର ମୁଲକ କରି ଠଉରେଇଲୁଣି କିରେ । ବିରାଡ଼ି ଆଖିବୁଜି ଦୁଧ ପିଏ, ସିଏ ଭାବେ ଯେ ଜଗତଟାରେ ସେଇ ଚାଲାଖି, ନାଇଁରେ ବାପ । ତାଉଁ ବଡ଼ା ତାଉଁ ବଡ଼ା କେତେ ଅଛନ୍ତି ।

 

ହଳିଆ ବିଚରା ଯୋଡ଼ହାତ ହୋଇ, ଦରବା ଖଣ୍ଡେ ଦିହରେ ପକେଇ, ପଞ୍ଚାୟତଙ୍କ ରାୟ ଶୁଣୁଥିଲା । ସେମାନଙ୍କ କଥା ଉପରେ କଥା କହିବାକୁ ଜିଭରେ ତାର ବଳ ନ ଥିଲା । ମୁଣ୍ଡଟା ତା’ର ବୁଲୁଥିଲା ଚକପରି । ଦୁନିଆଟା ତା’ ଆଖିକି ଦିଶୁଥିଲା ଇନ୍ଦ୍ରଜାଲ ପରି ।

 

ହରି ରାଉତଙ୍କ କଥାରେ ଠୋକ ପକେଇ ନରି ରାଉତେ ପିକାଟାକୁ ଛେପରେ ନିଭଉ ନିଭଉ କହିଲେ,

 

–ଏ ଅରକ୍ଷିତଗୁଡ଼ାଙ୍କ କଥା ଦେଖ ହୋ । ମୂଲ ଲାଗିଲେ ଭାତ ଖାଇବେ । ଆଗକୁ ନାହିଁ କି ପଛକୁ ନାହିଁ । ଏଗୁଡ଼ାକ ଫେରେ ମାମଲତିକାର ବନିଲେଣି । ମାଇକିନିଆଟା ଦଉଡ଼ି ଦେଇ ମଲା, ରାତାରାତ୍‌ ବାପାପୁଅ ଦି’ଟା ମିଳି, ମଡ଼ାଖାଇରେ ପୋତି ପକେଇ ସକାଳୁ ଆସି ଭଲେଇ ହେଲେ, କ’ଣ ନା ଶିବାମା ବାତ ରୋଗରେ ମରିଗଲା । ଲଫଙ୍ଗା ଭଗିଆଟା ଫେରେ ତା’ ତରଫ ହୋଇ ସାକ୍ଷୀ ଦେଉଚି । ଟୋକାର ଗାଲ ଟିପି ଦେଲେ ଜନମ ଦୁଧ ବାହାରି ପଡ଼ିବ । ଭଡ଼ଙ୍ଗ କ’ଣ କମ୍‌ !

 

ଭଗବନ ହରି ରାଉତଙ୍କ କଥା ସହି ପାରିଲା ନାହିଁ । ଧଡ଼୍‌କିନା ଉଠିପଡ଼ି କହିଲା,

 

–ମୁହଁ ସମ୍ଭାଳି କଥା କୁହ ରାଉତେ । ମଣିଷର ବେଳ ଅବେଳ ଦେଖନାଇଁ । କିଏ ଅକଳରେ ପଡ଼ି ତୁମକୁ ଡାକିବାକୁ ଗଲେ ତମେ ନିଶ ସାଉଁଳେଇ ନକଲ ଦେଖ । ଖାଲି ବଡ଼ ବଡ଼ କଥା ସବୁଠେଇଁ । ସେଦିନ ରାତିରେ ହଳିଆ ଯାଇ ନଥିଲା ତମ ଦୁଆରକୁ ? ଆଜି ଏଇ ଠାକୁରାଣୀ ଥାନରେ ବସି ଯେଉଁମାନେ ବଡ଼ ବଡ଼ କଥା କହୁଚ, ସେମାନେ ହଲପ କରି କୁହତ, ହଳିଆ ସେଦିନ ରାତିରେ ସଭିଙ୍କ ଦୁଆରେ ଯାଇ ନେହୁରା ହୋଇ ଚି କି ନାହିଁ? ବାବୁମାନଙ୍କ ନିଦରେ ଆଘାତ ଲାଗିବ ବୋଲି କେହିତ ନିଜ ଘର ଛାଡ଼ି ପଦାକୁ ଆସିଲ ନାହିଁ । ବିଚରାର ସ୍ତ୍ରୀଟା ପାଣି ପୋଖରୀରେ ପଡ଼ି ଡହଳ ବିକଳ ହେଉଥିଲା । ପୁଅ ତା’ର ଭରସା ହେଲନାଇଁ । ଆଜି ଖାଲି ନିଶ ହଲେଇ, ଭୁରୁଡ଼ି ମାରି ଚବିଶି ପଳିଆ କଥା କହିଲେ ଚଳିବ?

 

ସଭାଟା ଯାକର ଲୋକେ ମଉନ ହୋଇଗଲେ । ହରିରାଉତ, ନରିରାଉତ, ଅଇଣ୍ଠୁ ଦାସ, ସପନା ଅଜା ହେରିକାଙ୍କ ଆଖିରୁ ନିଆଁ ଝଟକୁ ଥିଲା–ଏଁ; ଭଗିଆ ଫେରେ ଗୋଟାଏ ମଣିଷ ପାଲଟି ଗଲାଣି । କାନ କାଟିଲେ ବଚନ ବାହାରୁ ନ ଥିଲା । ଆଜି ଦି’ ହରପ ପାଠ ପଢ଼ି ଆସି ଭଡ଼ଙ୍ଗ କାଢ଼ୁଛି । ରାଣ୍ଡିପୁଅ ଅ’ନ୍ତାଟା ଫେରେ ଏଡ଼େ ଏଡ଼େ କଥା କହି ଚାଲିଯିବ ଆମ ଆଗରେ ।

 

ସପନା ଅଜା ଚାଲାଖ ଲୋକ । ଦେଖିଲେ, ମାମଲାଟା ବାଙ୍କ ମୋଡ଼ିଲାଣି । କଥାଟାକୁ ଆଉ ଗୋଟାଏ ବାଙ୍କକୁ ତଡ଼ି ନଦେଲେ ଫଳ ଭଲ ହେବନାଇଁ । ସେ ସଭିଙ୍କୁ ଥମେଇ କହିଲେ, –ବୁଝିଲ ବାପ ଭଗି ! ମାମଲାତ ଏମିତି ହୁଏ ନାହିଁ । ତମେ ପିଲାଲୋକ । ତାତିଲା ଲହୁ ଟବ ଟବ ହୋଇ ଫୁଟୁଚି । ଆମର ମାମଲତି କରି କରି ଆସି ବାଳ ପାଚିଲା । ଏଇ ଠାକୁରାଣୀ ଥାନାରେ ଗାଁରର କେତେ ଗୁରୁତର କଥା ମୁଁ ଗାଏବ୍‌ କରି ଦେଇଚି । କେତେ ଉଜୁଡ଼ା ଘର ବସେଇଚି । ଟିକିଏ ଧୈର୍ଯ୍ୟଧର । ହଳିଆର ଏ କିବା କାଥାଟା ଯେ ! ନାଇଁ ତ ମାଇପ ତା’ର ରସି ଦେଇ ମରିଚି-। ଜୀବନ ବିକଳରେ ବିଚରା କହୁଚି ବାତ ରୋଗରେ ମରିଗଲା । ମୁଁ କ’ଣ ଆଉ ସେ କଥା ବୁଝୁନେଇଁ । ତେବେ ଏଇ ଛାର କଥାଟା ପାଇଁ ଏତେ ଗୋଳ ଘାଣ୍ଟ କାହିଁକି ? କଥାଟା ଉଡ଼ିଯାଇ ସରକାରୀ ଘରେ ପହଞ୍ଚିବ ସେତେବେଳେ ଗଣ୍ଡ ଗଣ୍ଡା ନାଲି ପଗଡ଼ିଆ ଛୁଟି ଆସିବେ ସେଉଠୁ ଗଣ୍ଡା ଗଣ୍ଡା ଟଣାହୋଇ ଯିବ । ତା’ ଆଗରୁ ସବୁ ଏଇଠି ମେଣ୍ଟମାଣ୍ଟ କରିଦେଲେ, ସୁରୁଖୁରୁରେ ତ ସବୁ ତୁଟିଯିବ ।

 

ଭଗବାନ ବୁଝିଲା କଥା ନହସରେ ସପନା ଅଜା ଗୋଟାଏ ଗୁରୁତର କଥାକୁ ଚପା ପକେଇ ଦେଇ ଯାଉଚି । କହିଲା,–କିନ୍ତୁ, ତମେ ସିନା ବିଶ୍ୱାସ କରିବ ନାଇଁ ସପନା ଅଜା ! ମୁଁ ପରା ଦି’ ଆଖିରେ ଦେଖିଚି । ହଳିଆ ଭାଇ ମତେ ନିଜେ ଡାକି ନେଇ ଯାଇଥିଲା । ଶିବାମା ସେତେବେଳକୁ ପୋଖରୀ ହୁଡ଼ାରେ ପଡ଼ି ଛଟପଟ ହେଉଚି । ମୁଁ ଆଉ ହଳିଆ ଭାଇ ଦିହେଁ ଟେକାଟେକି କରି ଘର ଭିତରକୁ ଆଣିଲୁ । ଅଧଘଣ୍ଟା ପରେ ଜୀବନ ଛାଡ଼ିଗଲା ।

 

ସପନା ଅଜା କହିଲେ,–ତୁ ବୁଝିନୁ ଭଗବାନ । ହଳିଆ ଭାରି ଚାଲାଖି ଲୋକ । ମାଇପ ବେକରୁ ଦଉଡ଼ି କାଟି ପୋଖରୀ ତୁଠରେ ଶୋଇ ପକେଇଚି । ପେଞ୍ଚୁଆଙ୍କ ପେଞ୍ଚ ବୁଝିବାକୁ ତୋ’ର ସାମର୍ଥ କାହିଁ ? ତୋ’ ଘରପାଖ ପଡ଼ିଶା ଗୋବିନ୍ଦ ନାଆକକୁ ପଚାରୁନଉଁ । କିରେ ଗୋବିନ୍ଦା ! କ’ଣ ଦେଖିଚୁ ଏ ଧର୍ମ ଥାନରେ ସତ ସତ କହିଯା ।

 

ଗୋବିନ୍ଦ କହିବାକୁ ଥା ଥା ମା ମା ହେଉଥିଲା । ହରି ରାଉତେ ଢିମା ଢିମା ଆଖି କାଢ଼ି ଗୋବିନ୍ଦ ନାଆକ ଆଡ଼କୁ ଅନାଇଲେ ।

 

ସପନା ଅଜା କହିଲେ–କହିଯା, କହିଯା, ଅଟକିଲୁ କାହିଁକି ?

 

ଗୋବିନ୍ଦ ନାଆକ ଗଳା ଖଙ୍କାରି କହିଲା,

 

–ମିଛ, ମୁଁ କହିବି ନାଇଁ, ପଞ୍ଚ ପରେମେଶ୍ୱର ବସିଛନ୍ତି । ଦେବତା ଥାନ । କା’ ନାଁରେ ଉଡ଼େଇ ବୁଡ଼େଇ କହିବାରୁ କି ମିଳିବ ମତେ । ମୁଁ ସତେବେଳେ ଖାଇସାରି ଶୋଇବାକୁ ଯାଉଥିଲି-। ଧନିଆ ମା’ ଧୂଆଁ ପତରରୁ କାତରା ବକଟେ ଛଡ଼େଇ ପିକା ବନେଇବାକୁ ଯାଉଥେଲା-। କ’ଣ ଗୋଟାଏ ଗଁ ଗଁ ଶବଦ ଶୁଣି ମତେ ଡାକ ପକେଇଲା । ମୁଁ ଉଠିଯାଇ ଜଳା କବାଟି ବାଟେ ଅନେଇ ଦେଖିଲି ହଳିଅ ଓରା ଓପରେ ଚଢ଼ି ଦାଆଟାଏ ଧରି କ’ଣ ଗୋଟାଏ କାଟୁଚି । ଭୁଷ୍‌କିନା କ’ଣ ଗୋଟାଏ ପଡ଼ିଲା । ମୁଁ କବାଟ ଆଡ଼େଇ ବାରପିଣ୍ଡା ପାଖରେ ଛିଡ଼ାହେଇ ଦେଖିଲି, ହଳିଆ ତା’ ମାଇପକୁ କାନ୍ଧରେ ପକେଇ ପୋଖରୀ ହୁରା ଆଡ଼କୁ ଦଉଡ଼ୁଚି । ଜାଣିଲି, ମରମେ ମରମେ ରହିଲି-। ସାଇପଡ଼ିଶା କଥା, ଆଜି ତମର କାଲି ଆମର ଲାଗି ରହିଚି । ପାଞ୍ଚ କାନରେ ପକେଇ କି ଲାଭ । ମୁଁ ତ ଆଉ ଜାଣି ନ ଥିଲି ସେ ଗାଆଁ ଭାଇଙ୍କୁ ହେଣ୍ଟିଦେବ ବୋଲି ।

 

ହଳିଆ ଯୋଡ଼ହାତ ହୋଇ କହିଲା,

 

–ମିଛକଥା ସାଆନ୍ତେ, ନିପଟ ମିଛକଥା । ଆରେ ଗୋବିନ୍ଦ ତୁ କିମିତି ୟା କହୁଚୁରେ, ଧରମ ତତେ ସହିବ ? ପରକୁ ଉଡ଼େଇ ବୁଡ଼େଇ ଦେଇ କି ଲାଭ ପାଇବୁ ।

 

ଗୋବିନ୍ଦ କ’ଣ କହିବାକୁ ଯାଉଥିଲା, ସପନା ଅଜା ତାକୁ ଥମେଇ ଦେଇ କହିଲେ,

 

–ଥାଉ ଥାଉ । ତୁଇ ଏକା ଭାରି ସତିଆଟା, ଗାଆଁ ଗୋଟାକ ମିଛୁଆ ହୋଇଗଲେ । ଶୁଣିଲୁ ଭଗବାନ, ସାକ୍ଷୀ ସାବୁତାଙ୍କୁ ବି ଫାଙ୍କି ଉଡ଼େଇ ଦେବାକୁ ବସିଚି । ଭଲରେ ଭଲରେ କହୁଚି କଥାଟାକୁ ଗାଆଁରେ ଗାଆଁରେ ମେଣ୍ଟାମେଣ୍ଟି କରିଦିଏ, ନୋଇଲେ କୋଟ କଚେରୀକି ଦଉଡ଼ି ଗୋଡ଼ରୁ ଦଶି ଛିଣ୍ଡିଯିବ ।

 

ଭଗବାନ ଟିକିଏ ରାଗିଯାଇ କହିଲା,

 

–ତେବେ ହଳିଆ ଭାଇକି କ’ଣ କରିବାକୁ କହୁଛ ସାଫ୍‌ ସାଫ୍‌ ଖୋଲି କହି ଦେଉନା ? ସିଏତ ଗାଁ ଭାଇଙ୍କ କଥାରୁ ବାହାରି ଯିବାକୁ କହି ନାଇଁ ।

 

ହରି ରାଉତ କହିଲେ,

 

–ହଁ, ଏତେବେଳକେ ଯେ, ବାଟକୁ ଆସିଲା । ସେତେବେଳୁ ତ ଏଇ ଏତକ ମାନି ନେଇଥିଲେ ମାମଲାତ ଫଏସଲା ହେଇ ସାରନ୍ତାଣି । କିହେ ସପନି, ହଳିଆ ବିଚରା ଗରିବ ଲୋକ; ମୂଲ ଲାଗିଲେ ଭାତ ଖାଏ । ତା’ ଶକ୍ୟକୁ ଅନେଇ ଗୋଟାକିଛି ଫଏସଲା କରିଦିଅ ।

 

ସପନି ଅଜା ଗୁମ୍‌ ହେଇ ଟିକିଏ ବସିଲେ । ତାଙ୍କ ପାକଳ ମୁଣ୍ଡଟା ଭିତରେ ହଳିଆ ମାମଲାଟା ମୀମାଂସା ହେଇ ପାରୁ ନ ଥିଲା । ସେ ବାଟ ଖୋଜୁଥିଲେ, କେଉଁ ଓଷଦ ପ୍ରୟୋଗ କଲେ ଠିକ୍‌ କାଟୁ କରିବ । ପଞ୍ଚୁଆତି ବି ଖୁସ୍‌ ହେବେ, ଅଫିମଖିଆ ଖର୍ଚ୍ଚଟା ବି ଉଠିଯିବ । ନରି ରାଉତ କାନ ପାଖରେ ଫୁସ୍‌ ଫୁସ୍‌କି କ’ଣ ଦି’ ଚାରି ପଦ କହି ଆରମ୍ଭ କଲେ,–ହଁ, ହଳଧର, ଆମେ ଜାଣୁଚୁ ତେମେ ପଞ୍ଚୁଆତୀଙ୍କ ଦାବୀ ମେଣ୍ଟେଇବାକୁ ଅସମର୍ଥ ହବ । ତଥାପି ପାଞ୍ଚ ଭାଇଙ୍କ ଆଖଡ଼ା ଅନିଆ କରିଚ, ଅପଯଶ ଅର୍ଜିଚ, ଗାଆଁ ନାଁ ବଦ୍‌ନାମ କରେଇଚ, ଏ ସବୁକୁ ବିଚାରି ଉଚାରି ଦେଖିଲୁ ଯେ, ଠାକୁରାଣୀଙ୍କ ଗାଦୀ ପାଇଁ କୋଡ଼ିଏଟି ଟଙ୍କା ଦେଲେ କଥାଟାକୁ ଆମେ ଘୋଡ଼ାଇ ଦବୁଁ ।

 

ହଳଧର ଚମକି ପଡ଼ିଲା । ତା’ ମୁଣ୍ଡରେ ସତେକି ତେନ୍ତୁଳିଆ ବିଛାଟାଏ ପଶି କାମୁଡ଼ିଚି-। କୋଡ଼ିଏ ଟଙ୍କା ତ ଦୂରର କଥା, ସକାଳୁ ସଞ୍ଜଯାଏ ପିଟିଲେ କୋଡ଼ିଏ ପଇସା ବି ତା’ ଖୋସଣୀରୁ ବାହାରିବ ନାଇଁ । ତା’ ଉପରେ ପୁଣି ମିଛ କଥାଟାକୁ ମୋଟା କରି ସାକ୍ଷୀ ସାବୁତା ସଜେଇ, ତାକୁ ଫାନ୍ଦରେ ପକେଇବାକୁ ବସିଛନ୍ତି । ମନ ଭିତରେ କିଏ ସତେକି ତା’ର ନିଆଁ ହୁଳାଏ ଜାଳି ଦେଲା । ନା ନା ସେ ପଞ୍ଚୁଆତିଙ୍କ କଥା ମାନିବ ନାଇଁ । ଏମାନେ ନ୍ୟାୟ ବିଚାର କରନ୍ତି ନାଇଁ-। ମିଛକୁ ସତ, ସତକୁ ମିଛ କରିବାରେ ଯେଉଁମାନଙ୍କର ଏତେ ଟିକିଏ ଓଲମ୍‌ ବିଲମ ହୁଏ ନାଇଁ, ତାଙ୍କ କଥା ସେ ଶୁଣିବ କାଇଁକି ? ଆପଣା କରମ ଆଦରି ଘରେ ବସିବା ଯାହା ଯେତେବେଳେ ହେବ ଦେଖାଯିବ । ସେ ଉଠି ପଡ଼ି କହିଲା,–ମୁଁ ଏସବୁ ଅବିଚାର ମାନିବି ନାଇଁ । ତମେ ସବୁ ମେଣ୍ଟ ବାନ୍ଧି ମତେ ଫାନ୍ଦରେ ପକେଇବାକୁ ବସିଚ । ମୁଁ ତମମାନଙ୍କ କଥା ଶୁଣିବି ନାଇଁ, କରମରେ ଯାହାଥିବ, ହେବ ।

 

ହଳିଆ ଚାଲିଗଲା, ସଭା ଗୋଟାକର ମୁଖିଆମାନଙ୍କ ନାକ ନିଶ ତଳକୁ କରି ଦେଇ । ସେ ୟା ସହନ୍ତେ କିପରି ! ବଇଁଶୀ ମଳିକ ଚଉକୀଦାର ବସି ବସି ସବୁ ଶୁଣୁ ଥିଲା । ନରି ରାଉତ ତାକୁ ଡାକି କହିଲେ,

 

–ଶୁଣିଲୁ ବଇଁଶୀ, ଏଣିକି ତୋ’ ଦେଖିଲା କାମ କର, ଗାଆଁ ଯାକ ତ ସମସ୍ତେ ସାକ୍ଷୀ ଅଛନ୍ତି । ଗୋଟି ଗୋଟି କରି ସବୁ କହିବେ । ହଳିଆ ଫେରେ ଗୋଟାଏ ମଣିଷ ହେଲାଣି, ସିଏ ଏଠି ପଞ୍ଚୁପରମେଶ୍ୱରଙ୍କୁ ଫାଙ୍କି ଦେଇ ଚାଲିଯିବ ।

 

ସଭା ମଉଳି ପଡ଼ିଲା । ରାତି ସେତବେଳକୁ ଛ’ ଘଡ଼ି । ସମସ୍ତେ ଯେ ଯାହା ଘରକୁ ଲେଉଟି ଗଲେ । ଯେମିତି ଗୋଟିଏ ଅଶାନ୍ତ ଝଡ଼ ବହୁଥିଲା ସେ ଠାକୁରାଣୀ ଥାନଟାରେ ।

 

ସକାଳ ହେଉ ନ ହେଉଣୁ ଗାଁ ମୁଣ୍ଡରେ ଦେଖା ଦେଲେ ଦି’ ଚାରି ଜଣ ନାଲି ପଗଡ଼ିଆ-। ହରି ରାଉତ ଖୁସି ହେଲେ । ସପନି ଅଜା ସେମାନଙ୍କୁ ପାଛୋଟି ଆଣିଲେ । ନରି ରାଉତେ ଆଗେ ଆଗେ ଚାଲିଲେ ହଳିଆ ଘର ଆଡ଼କୁ ।

 

କବାଟ ଫିଟିନାଇଁ, ଗାଈ ବାଛୁରୀ ବାହାରି ନାହାନ୍ତି । ଘରଟା ଯିମିତି ମାଡ଼ି ମାଡ଼ି ପଡ଼ୁଚି-

 

ଡାକିଲେ ଡାକେ, ଦି’ ଡାକେ, ତିନି ଡାକେ । କାହାରି ସୋର ଶବଦ ନାଇଁ ।

 

ହରି ରାଉତେ କହିଲେ,–ଶଳାଟା କ’ଣ କମ୍‌ ମଗରା କି । ଚୋରି, ଫେରେ; ଚୋରି ଉପରେ ହେମାଯୋରି । ଆରେ ହଳିଆ, ପୁଲିସି ବାବୁ ଆସଚନ୍ତି, ତୋର କ’ଣ ଗଉଁ ଭାଙ୍ଗିବ ନାଇଁ-?

 

ହଳିଆ କବାଟ ଫିଟେଇଲା ନାହିଁ । ପୋଲିସ୍‌ ହୁକୁମ୍‌ ଦେଲେ କବାଟ ତାଡ଼ିବା ପାଇଁ । କବାଟ ତଡ଼ା ହେଲା । ଭିତରକୁ ପଶି ଦେଖିଲେ–ହଳିଆ ଝୁଲୁଚି ଖଣ୍ଡେ ରସିରେ । ସମସ୍ତଙ୍କ ଆଖି କପାଳକୁ ଉଠିଗଲା । ପୋଲିସ୍‌ ପଛକୁ ଫେରି ଅନେଇଲେ, ଅଧେ ଲୋକ ପଳେଇ ଯାଇଚନ୍ତି । ଖାଲି ମୁଖିଆ ମୁଖିଆ କେଇଜଣ ବଲ ବଲ କରି ହଳିଆର ମୃତ ଦେହଟାକୁ ଅନେଇଚନ୍ତି ।

Image

 

ଭୋକ

 

ଫୁଲଛିଞ୍ଚା ନୀଳ ଆକାଶରେ ଚାନ୍ଦ ଉଠିଚି । ଭୂଇଁ ତଳେ ପୂର୍ଣ୍ଣ କେଦାର ଉପରେ ରୂପେଲି ଲହରୀର ଝର ଝରୁଚି । ଧାନ ଶିଶାର ସଂଘର୍ଷ ସୃଷ୍ଟି କରୁଚି ଏକ ଅଭିନବ ମର୍ମ୍ମର ଶବ୍ଦ ।

 

ରାତି ତିନି ପହର । ନିର୍ଜ୍ଜନ ପ୍ରାନ୍ତର ଭିତରେ ଦୁଇଟି ଛାୟା ମୂର୍ତ୍ତି ଅସ୍ପଷ୍ଟ । ଧୀରେ ଧୀରେ ଆଗେଇଚନ୍ତି ଆଗୁଆ ଦୁନିଆର ସଇନ ପରି ।

 

ନଈ କୂଳ । ସେଇଠି ଅଟକି ଗଲେ ଛାୟାମୂର୍ତ୍ତି ଦୁଇଟି । ଭରା ନଈରେ ଚପଳ ପବନ ନାଚ କରୁଥିଲା କଳ କଳ ଗୀତ ଗାଇ ।

 

–ଛି ସେରନ୍ତି । ଏମିତି ଉଝଟିଆ ପଣ କଲେ ଚଳିବ, କହିନି ? ସବୁଦିନତ ମୁଁ ଆଉ ତୋର ଅଞ୍ଚଳ ନିଧି ହେଉ ରହି ପାରିବି ନାଇଁ ।

 

କୋହ ଉଠୁଥିଲା ସେରନ୍ତିର । ଖୁବ୍‌ ଜୋର୍‌ରେ ରୋକିବାକୁ ଯାଇ କହିଲା,

 

–ସବୁ ଚଳିବ ପୁଣି କିଛି ଚଳିବ ନାଇଁ ।

 

-ଫେର୍‌ ସେଇ ଏକାଜିଦ୍‌ ସେରନ୍ତି । ଦେଖୁଚୁ ଘରେ ମାଲପା ଟିକିଏ ନାଇଁ ଦିହରେ ଲଗେଇବାକୁ । ମୁଣ୍ଡବାଳ ତୋର ଝୋଟଠୁଁ ବଳି ଗଲାଣି । ବେଳେ ଚୁଲି ଜଳିଲେ ଆଉ ବେଳେ ଚୁଲିକି ନୁଣ୍ଡା ଯାଉନି । ତେବେ ବି ତୋର ଏକା ଜିଦ୍‌ । ବରହ୍ମା କହିଲେ ସେରନ୍ତି ଆଖିରୁ ଲୁହ ପୋଛି ଦେଉ ଦେଉ ।

 

ଅଦୂରରେ ଚାଳିଆ ଘରଟି ଯେମିତି ଲୁଚି ଲୁଚି ସବୁକଥା ଶୁଣୁଥିଲା । ହୁଏତ ଆହୁରି କେତେ ତରୁଣ ତରୁଣୀଙ୍କର କୋହ ସେ ଶୁଣିଥିବ । ସେଇ ଜୀର୍ଣ୍ଣ କୁଡ଼ିଆଟି ବୁକୁ ଉପରେ କେତେ ପିଢ଼ି କଟିଗଲାଣି । ନିର୍ମାତା ତା’ର କେଉଁ କାଳରୁ ହୁଏତ ତା’ର ମାୟା ମୋହ ତୁଟେଇ ବିଦାହେଇ ଗଲାଣି; କିନ୍ତୁ ସେ ଏ ଯାଏ ମୁଣ୍ଡ ଟେକି ରହିଚି । ନୂଆ ଦୁନିଆର ରଙ୍ଗଢ଼ଙ୍ଗ ଦେଖି ସେ ଆବା କାବା ହେଉଚି ।

 

ସେରନ୍ତି ବରହ୍ମା ଛାତି ଉପରୁ ଓଦା ମୁହଁଟାକୁ ଉଠେଇ ବାଜଣିଆ କଣ୍ଠରେ କହିଲା,

 

–ଆମରି ଏଇ କୁଡ଼ିଆ ଘର ଚାରିପଟେ ମା’ ଲକ୍ଷ୍ମୀ ଖେଳ କରୁଚନ୍ତି । ଧନ ଭଣ୍ଡାର ଆମରି ଦୁଆରେ ମୁକୁଳା ହେଇ ପଡ଼ିଚି । ତଥାପି ତମେ ଧାଇଁ ଯିବାକୁ ବସିଚ ଦୂର ଦେଶକୁ ।

 

–ବାଇଆଣୀଟା ମୋର ! ଆମରି କୁଡ଼ିଆ ଚାରିପଟରେ ମା’ ଲକ୍ଷ୍ମୀ ବିରାଜମାନ କଲେ ତ ଆମର ଦୁଃଖ ଘୁଞ୍ଚିବ ନାହିଁ । ଆମ ପେଟ ତ ପୂରିବ ନାହିଁ । ବରହ୍ମା ସେରନ୍ତିରେ ନୁଖୁରା ବାଳ କେରାକରେ ଆଙ୍ଗୁଳି ଚଳଉ ଚଳଉ କହିଲା, ପେଟ ପୂରୁ ନ ପୂରୁ, ଚୁଲି ଜଳୁ ନ ଜଳୁ । ତିନି ବଖତରେ ବଖତେ ଲୁଣ ଲଙ୍କା ଖାଇ ପେଜ ମୁନ୍ଦାଏ ପିଇ ମୁଁ ଯେଉଁ ସୁଆଦ ପାଉଚି, ତମେ ଆଖି ଆଗରୁ ଚାଲିଗଲେ ହଜାରେ ଶିରୀ ସୁଖରେ ବି ମୋ ମନ ମାନିବନି । ନା ତମେ ଯାଅନି, ମୋ ରାଣ ତି । ସେରନ୍ତି ବରହ୍ମା ଛାତି ଉପରେ ମୁଣ୍ଡ ରଖି ଫୁଲି କାନ୍ଦି ଉଠିଲା ।

 

ଜହ୍ନ ସେମିତି ହସୁଥିଲା । ପବନ ସେମିତି ନାଚୁଥିଲା । ଲହରୀ ମାଳ ସେମିତି ଘୋଡ଼ ଦଉଡ଼ ଖେଳୁଥିଲେ । କେହି ଏ ନିରୀହ ପକ୍ଷୀ-ପକ୍ଷିଣୀ ଦୁଇଟି ପାଇଁ ଆଖିରୁ ଲୁହ ବିନ୍ଦୁଏ ଗଡ଼ଉ ନ ଥିଲେ । ସମସ୍ତେ ଯେମିତି ନିତିଦିନ ଏହିପରି କେତେ ଘଟଣା ଅଙ୍ଗେ ନିଭେଇ ପାଷାଣଠୁଁ ଆହୁରି ଟାଣ ପାଲଟି ଯାଇଚନ୍ତି ।

 

“ସ୍ୱାମୀ ପାଖରୁ ଚାଲିଯିବେ ।” ସେରନ୍ତି ଅନ୍ତରରେ ପ୍ରବଳ ଝଡ଼ ଉଠିଚି । ଅସୀମ ସାଗର ମଝିରେ ନଙ୍ଗରହୀନ ପୋତ ଝଡ଼ରେ ପଡ଼ିଥିବା ଭଳି ତା’ ଅନ୍ତର ଦୋହଲୁଚି । ନାଁ, ସେ କୌଣସି ପ୍ରକାର ସ୍ୱାମୀଙ୍କୁ ସଙ୍ଗଛଡ଼ା କରିବ ନାହିଁ । କେତେବେଳେ କେଉଁ କଥା । ହାନୀ ଲାଭ, ଦିହ ମୁଣ୍ଡ ଅଛି । ଅଣ୍ଡିରା ଚଣ୍ଡିରା ସେମାନେ; ବିଦେଶ ଭୂଇଁରେ କିଏ ସାହା ଭରସା ହେବ ?

 

–ଦେଖ୍‌ ସେରନ୍ତି, ବେଳ ଗଡ଼ି ଯାଉଚି । ଉଚ୍ଛୁର ହେଇ ଯାଉଚି । ରାତି ପାହିଗଲେ ଅନୁକୂଳ ପେଚାଆଖିଆ ହେଇଯିବ । ତୁ ଲେଉଟି ଯା’ ମୋ ସାଙ୍ଗରେ ଆଉ ଗୋଳ କରନା । ମୁଁ ତୋ ଶୁଖିଲା ମୁହଁରେ ହସ ଚହଟେଇ ମାସ ଚାରିଟା ପରେ ବାହୁଡ଼ି ଆସିବି ଯେ ! ଯା’ ତୁ । ସୁମ ଅପାକୁ କହିଚି ସେ ତୋ ତତ୍ୱ ନେଉଥିବ । ଘରର ହାନି ଲାଭ ବୁଝାସୁଝା କରୁଥିବ ।

 

ସେରନ୍ତି ଲୋଟିପଡ଼ିଲା ବରହ୍ମା ପାଦ ତଳେ । ଆଖି ଲୁହରେ ତିନ୍ତେଇ ଦେଲା ତା’ ପାଦ ଯୋଡ଼ିକୁ । ଥରିଲା କଣ୍ଠରେ କହିଲା,

 

–ଦେଖୁଚ ଧାନ କିଆରୀ କେମିଚି ଛାତିଫୁଲେଇ ନାଚୁଚି ?

 

–ଥରେ ପା’ କହିଲି ସେ ପରର । ମୋରି ଦୁଆରେ ସୁନା ଖଣି ଦେଖି ମୁଁ ଡହଳ ବିକଳ ହେଲେ ବି ପାଇ ପାରିବି ନାଇଁ । ଭୋକିଲା ମଣିଷ ମୁହଁରୁ ବଢ଼ା ଭାତ ଛଡ଼େଇ ନେଲାପରି, କାଲି ସକାଳେ ସେମାନେ ଧାନ କିଆରୀକି ସଫା କରିଦେବେ । ଆମ କୁଡ଼ିଆ ବକଟକ ସେମିତି ନିଛାଟିଆରେ ପଡ଼ିଥିବ । ଆମ ଭୋକିଲା ପେଟ ସେମିତି ଆଉଟି ପାଉଟି ହେଉଥିବ । କେହି ଶୁଣିବେ ନାଇଁ କି କେହି ଜାଣିବେ ନାଇଁ ।

 

ସେରନ୍ତିର କେବଳ କୋହ ଉଠୁଥିଲା ।

 

ଗୋଟିଏ ଛାୟାମୂର୍ତ୍ତି ଧୀରେ ଶିଥିଳ ବନ୍ଧନରୁ ମୁକ୍ତ ହେଇ ଦୂରେଇ ଯାଉଥିଲା ଦୂରକୁ ।

 

ଆଉ ଗୋଟିଏ ଛାୟା ମୂର୍ତ୍ତି ବୁକୁଫଟା ବେଦନା ଘେନି ବ୍ୟଥିତ ପଦରେ ଜୀର୍ଣ୍ଣ କୁଡ଼ିଆର ତାଟି ଆଡ଼େଇ ଭିତରକୁ ପଶିଲା । ନିଃସଙ୍ଗ, ଶୂନ୍ୟ । ସତେ ଯେମିତି ସରନ୍ତି ଚାଉଳ ମୁଠାକ ଯୋଗୀ ଥାଳରେ ଓଜାଡ଼ି ଦେଇ ଆସିଚି ।

 

ସେତବେଳ ଯାଏ ନୀଳ ଆକାଶରେ ଚାନ୍ଦ ଡ଼ୁବି ନ ଥିଲା । ଭରା କେଦାରରୁ ଉଭି ନ ଥିଲା ମର୍ମରିତ ସଙ୍ଗୀତ ।

Image

 

ବେନାମୀ

 

ଦୁମୁକା ମେଘର ହୁମୁକା ରଡ଼ିରେ ଯେତେବେଳେ ଗାଁ ଦାଣ୍ଡ ଉଚ୍ଛୁଳି ପଡ଼ୁଥିଲା, ଘର ଘରକେ ତାଟି କବାଟ ପଡ଼ି ଯାଇଥିଲା ଘଡ଼ଘଡ଼ି ଚଡ଼ଚଡ଼ି ନାଦରେ କୋଳର ପିଲା ମା’କୁ ଯାବୁଡ଼ି ଧରୁଥିଲା, ସେତେବେଳେ ପଇଡ଼ା ସାଇ ରୁକୁଣୀ ନାନୀର ସାନ ବୋହୂ ଦିହ ଦୁଃଖ ପାଉଥିଲା । ବଡ଼ ବୋହୂଟା ତିନି ଅଲଗା ହେଇ ସାନ ପୁଅ କୁସୁନିଆଁଟାକୁ କୋଳରେ ଯାକି ଧରି ତଳ ଘର ଓଳିଆ ଭାଡ଼ି ଉପରେ କନ୍ଥାଟା ବିଛେଇ ଦେଇ ମିଛୁଟାରେ କୁନ୍ଥାଉଥିଲା ଶୋଇ ଶୋଇ । ଶାଶୁ ବୁଢ଼ୀ ବିଚାରୀ ସାନ ବୋହୂଟି ପାଖେ ଜଗି ବସି, ତା’ ବିକଳ ଗଞ୍ଜଣା ସହି ନ ପାରି ଡକା ପାରିଥିଲା, ଲୋ ଦାସ ଝୁଅ, ଏଣେ ଟିକିଏ ଆ’ ଭଲା । ଦେଖୁଛୁ ସାନ ଜା ଟା ଦୁଃଖ ପାଉଚି, ମେଘ ପବନର ଦାଉଘାତିଆ ବାଦ ବେଳେ ତୁ କି ଓରିମାନା ମେଣ୍ଟେଇଲୁ । ହେଲେ ବଡ଼ ବୋହୂ କାନରେ କଥାଗୁଡ଼ାକ ଏ ବାଟେ ପଶି ସେ ବାଟେ ବାହାରି ଯାଉଥାଏ । ଶାଶୁ ବିଚାରୀ ମୁଣ୍ଡ କୋଡ଼ି ହେଇ କଣ୍ଠ ଦରଜ ହେବା ଛଡ଼ା ଆଉ କିଛି ଫଳ ଫଳିଲା ନାଇଁ । ପୁଅ ଦି’ଟା ଯାକ ତ ସବୁ ଦିନ ବିଦେଶୀଆ । କପାଳକୁ ଏଡ଼େ ଖୁମାଣୀ ବଡ଼ ବୋହୂଟା ଜୁଟିଲା ଯେ, କୁଟା ଖଣ୍ଡକତ ଦି’ଖଣ୍ଡ କରିବ ନାହିଁ, ଫେରେ ବାଦରୁ ସି’ରାଏ ପେଟରେ ପୁରେଇଚି ।

 

ରାତି ସେତେବେଳକୁ ପହରକରୁ ବଳିଗଲାଣି । ଶାଶୁ ବୁଢ଼ୀ ବିଚାରୀ ଆଉ କିଛି ବାଟ ନ ପାଇ ମେଘରେ ତିନ୍ତି ତିନ୍ତି ଯାଇ ପଡ଼ିଶା ଘର କବାଟରେ ହାତ ମାରିଲା । କେହି ଶୁଣିଲେ ନାହିଁ-। ଶେଷକୁ ଆଉ କିଛି ବାଟ ନ ପାଇ ଏଡ଼େ ପାଟି କରି କହିଲା,

 

–ସାନ ବୋହୂର କ’ଣ ପିଲାପିଲି ହେବ ଯେ, ସେ ମୟୂର ପରି ଘରେ ଗଡ଼ୁଚି, ଏ ଅବେଳରେ ତୁମେ ସବୁ କେହି ସାହା ନ’ ହେଲେ ଅଡ଼ିଶା ପଡ଼ିଶା ହେଇ ଆଉ କ’ଣ କରିବ ?

 

ହେଲେ ଅରଣ୍ୟ ରୋଦନ ସାର ହେଲା । ଏ ଯୋଉ ପାଗ, ଏ ଯେଉଁ ବେଳ, କା’ ଯୁଗ ଭାସି ଯାଉଛି, ଯେ, ନ’ଗଲେ ନଚଳେ । ବୁଢ଼ୀ ବିଚାରୀ ଗୋଟି ପଣ ଥରୁଥାଏ, ଗୋଡ଼ ହାତ କୋହ୍ଲ ମାରି ନେଲାଣି । ପାଟି ଠାଉ ଠାଉ ବାଜିଲାଣି, ବିଜୁଳି ପଛକୁ ଘଡ଼ଘଡ଼ି ମଣିଷ କଲିଜାକୁ ଶୀତଳ କରି ଦେଉଚି । ବୋହୂଟାର ଅବସ୍ଥା ତହୁଁ ବଳି । କ’ଣ କରିବ ? କାହାକୁ ଡାକିବ ସେ ଏ ଅବେଳରେ ? ମେଙ୍କି ଅପା ଶୂଳୁଣୀ ଘର ଗାଁ ସେ ମୁଣ୍ଡକୁ । ଯିବାକୁ ଶକ୍ୟ ନାହିଁ । ତଥାପି ବୁଢ଼ୀ ଗୋଡ଼ ବଢ଼ାଇଲା । ଏ ପାକଲା ବାଳରେ ବି ତା’ ଦୁଃଖ ମେଣ୍ଟିଲା ନାହିଁ । ଯୋଡ଼ା ଯୋଡ଼ା ପୁଅ ଯୋଡ଼ା ଯୋଡ଼ା ବୋହୂ ଥାଇ ତା’ର କ’ଣ କରିବେ ?

 

ବିଚାରୀ ମେଙ୍କି ଅପା ! କି ଘଡ଼ିମୂଳରେ ତା’ର ଜନ୍ମ କେଜାଣି, ତା’ପରି ପରଉପକାରୀ କିଏ ହେବ ? ଗାଁ ଯାକର ସେ ଅପା, ବାପର ଅପା, ପୁଅର ଅପା, ମାମୁଁର ଅପା, ଦାଦୀର ଅପା । ସେ ଡାକଟା ଯେମିତି ସାର୍ବଜନୀନ । ଲୋକଟା ବି ସେମିତି ସମସ୍ତଙ୍କର । ତା ତିନି କୂଳରେ କେହି ନାହାନ୍ତି । ଅପରର ପାଇଟି କରେ, ଖାଏ । କେବକାଳର ପୁରୁଣା ଚାଳିଆ ଘର ଖଣ୍ଡିକ ତା’ ମୁଣ୍ଡ ଗୁଞ୍ଜିବାକୁ ଆଜିବି ଜିଇ ରହିଚି । ମେଙ୍କିଅପା ଠାରୁ ଯଦିଓ ସେ ଆଉରି ଦୁର୍ବଳ ଆଉରି ଅସାର ହେଇ ପଡ଼ିଲାଣି, ତଥାପି ସେ ମେଙ୍କି ଅପାକୁ ଆଶ୍ରୟ ଦେଇଚି । ମେଙ୍କି ଅପା ଦିନେ ସେ ଘରକୁ ବୋହୂ ହେଇ ଆସିଥିଲା । ହେଲେ ସେତେବେଳେ ସେ ଘର ଥିଲା ଯୌବନୀ ଲୋକବାକଙ୍କ ଗହଳି ଚହଳିରେ ଘର ଉଚ୍ଛୁଳି ପଡ଼ୁଥିଲା । ଲାଗେ ଲାଗେ ଚାରି ବଖରା ଘର । ସିନ୍ଦୁକ, ବାଙ୍କୁସ, କଂସା, ବାସନ ଝଣଝଣ, ଢଣଢଣରେ ସାତ ସାଇ କମ୍ପି ଉଠୁଥିଲା । ସ୍ୱାମୀ ତା’ର ଥିଲା ଚୌହତା ମର୍ଦ୍ଦ, କଳା ମଚ୍‌ ମଚ୍‌ ଦିହରୁ ତା’ର ମାଛି ଖସି ପଡ଼ୁଥିଲା । ହେଲେ ଦଇବ ସହିଲା ନାହିଁ ତା’ର ସୁଖ ଶିରୀ-। ହୀନି କପାଳୀ କପାଳରେ କ’ଣ ବିଧାତା ଏତେ ସୁଖ ଲେଖିଚି? ବୋହୂ ହେଇ ଆସିବାର ପାଞ୍ଚଟା ବର୍ଷ ନ’ ପୂରଣୁ ସୁନାର ସଂସାର ତା’ର ଚୂନା ହୋଇଗଲା । ଗାଁ ଟାଉଟର ପଧାନ ବୁଦ୍ଧିରେ ପଡ଼ି, ଭାଇ ଭାଇ ଭିତରେ କଳି ତକରାଳ ହେଇ, ମୁଣ୍ଡ ଫଟା ଫଟି ପର୍ଯ୍ୟନ୍ତ ହେଲେ, ଲହୁ ଝରି ଗାଁ ମାଟିକି କାଦୁଅ କରି ଦେଲା । ମାଲି ମଳଦ୍ଦମାରେ ଜମିବାଡ଼ି, କଂସା, ବାସନ, ସିନ୍ଦୁକ ବାଙ୍କୁସ ବନ୍ଧା ପଡ଼ିଲା । ସେଥିରେ ଦୁଃଖ ନ ଥିଲା ମେଙ୍କି ଅପାର । ଖାତିରି କରି ନ ଥିଲା ମେଙ୍କି ଅପା; କିନ୍ତୁ ଯେଉଁଦିନ ତା’ ପୋଷଣାହାରୀ ଗେରସ୍ତ ଆରପୂରକୁ ବାଟକାଟିଲା ଝାଡ଼ାବାନ୍ତିରେ, ସେଦିନ ମେଙ୍କି ଅପା ଆଖିରୁ ଝରିପଡ଼ିଲା ଅଶ୍ରୁର ଅଶୁଖା ଝରଣା । ସେତେବେଳେ ଦେହରେ ତାର ଭରାଯୌବନର ଜୁଆରିଆ ତରଙ୍ଗ । କେତେ ଥଟ୍ଟା ପରିହାସ, ଟାହିଟାପରା ସେ ନ’ସହିଚି ଦିହକ ଭରିରେ । ଦିଅର ଦେଢ଼ଶୁରମାନେ କେହି ଟିକିଏ ହେଲେ ତା’ଆଡ଼େ ହେଟନଜରରେ ଅନେଇଲେ ନାହିଁ । ଶେଷକୁ ସେ ଘରୁ ଗୋଡ଼ କାଢ଼ିଲା ପେଟର ଜ୍ୱାଳା ସହି ନପାରି । ବାର ମୁହଁରୁ ବାରକଥା ଟୁପ୍‌ଟାପ୍‌, ଫୁସ୍‌ଫାସ୍‌ ହୋଇ ବାହାରିଲା । ହେଲେ ମେଙ୍କି ଅପା ସେ ସବୁ କିଛି ଶୁଣିଲା ନାହିଁ । ସବୁକୁ ସେ ପିଇଯାଇ ସମସ୍ତଙ୍କ ଘରେ ଘର ମଣିଷ ପରି ପାଇଟି କରି ପରକୁ ଆପଣାର କଲା । ସେହିଦିନ ଆଜିଯାକେ ଗାଁ ଯାକର କେତେ ଯେ ସେ ଉପକାର କଲାଣି, ସେକଥା ଭାବିଲେ ଭାବି ହୁଏନି । ଅଥଚ ଆଜି ବି କେହି ତା’ ପ୍ରତି ଏତେ ଟିକିଏ କରୁଣା ପ୍ରଦର୍ଶନ କରନ୍ତି ନାହିଁ । ମୁଣ୍ଡର ବାଳ ପାଚି ଝୋଟ ହେଲାଣି, ଦିହର ହାଡ଼ ପୋରିହା ହେଇ ଆସିଲାଣି, ଆଗ ଦାନ୍ତଗୁଡ଼ାକ ଝଡ଼ି ପଡ଼ିଲାଣି । ତଥାପି ରଥ ତାର ଚାଲିଚି । ଆଜିବି ଯୋଗୀ, ଭିକାରୀ, ଭୋକି, ରଙ୍କିଙ୍କ ପାଇଁ ବୁକୁତଳେ ତାର କରୁଣାର ନିର୍ଝରଣୀ ବହି ଚାଲିଚି ।

 

ମେଙ୍କି ଅପା ତା’ ଭାଡ଼ି ଓପର ଗୋଟାଏ କଡ଼କୁ ବସି ଭାବି ଚାଲିଥିଲା । ତା’ ଅତୀତ ଦିନଗୁଡ଼ାକୁ । ମେଘ ଝରୁଚି ଅବିରାମ ଗତିରେ । ଚାଳି ଖଣ୍ଡିକ ଛିଆ ହେଇ ପାରିନାହିଁ ଏ ବର୍ଷ । ଧାନ ଅମଳ ବେଳେ ପୋଡ଼ା ଜରଟା ହେଲା ଯେ, କାହାର ଦୁଆରେ ଯାଇ ଛିଡ଼ା ହେଇ ଛଣ ପାଞ୍ଚବୋଡ଼ି ଆଣିବାକୁ ତା’ର ବଳ ନ ଥିଲା । ଜର ଛାଡ଼ିଲା ବେଳକୁ ଆଷାଢ଼ ମାସ ଆରମ୍ଭ ହୋଇ ଗଲାଣି । ଆଉ ଛଣ କିଏ ଦେଉଚି, କିଏ ଛାଇ ଦେଉଚି, ତା’ ଚାଳି ଖଣ୍ଡିକ । କା’ର ବେଳକାଳ ମାଡ଼ି ଆସୁଚି ରାଣ୍ଡି ଖଣ୍ଡିଟାର ଚାଳିଟା ଛପରବନ୍ଦୀ କରି ଦେବାକୁ । ଘର ଛିଆଳିଏ ତା’ପିର୍‌ହାକୁ ଡରନ୍ତି । ନଇ ଗଣ୍ଠିଗୁଡ଼ାକ ଏତେ ପାପରା ହୋଇ ଗଲାଣି ଯେ, ଗୋଡ଼ ରଖି ହେଉନି । ଗଲାସନ ଚକରା, କୁଆଡ଼େ ତା’ ଘର ଛାଉଁ ଛାଉଁ ଗଳି ପଡ଼ିଥିଲା । ଏକହୁଁ ଆଷାଢ଼ ଆରମ୍ଭ ହେଇ ଗଲାଣି । ଚାଷ, ବାସ କାମ ଖରା ଖରାଟି ହେଇଥିଲେ କେଜାଣି ସମସ୍ତେ ମିଳିମିଶି ରାଣ୍ଡିଟାର ଗୁହାରୀ ଶୁଣିଥାନ୍ତେ ।

 

ମେଙ୍କି ଅପା ଅନେଇ ଥିଲା ତା’ ଭାଡ଼ି ତଳ ପାଣି ଲହଡ଼ିକୁ । ଆଉ ଭାବୁଥିଲା ଗାଁ ଯାକର କଥା । କାହାର ସେ କ’ଣ ନ କରିଚି ? ବେଳ, ଅବେଳ, ରାତି, ଅରାତି କିଛି ସେ ମାନି ନାହିଁ । କିଛି ସେ ବାରି ନାହିଁ । କା’ର ବାହାଘର, କା’ ଝିଅ ଭାରନେଇ ଶାଶୁ ଘରକୁ ଯିବ । କାହା ବୋହୂର ପିଲା ଜନମ ହେଉନାହିଁ, କା’ର ବଢ଼ୁଘର, କା’କୁ ଝାଡ଼ା ବାନ୍ତି ହେଉଛି; ଟି’କି କଥାରେ ମେଙ୍କି ଅପାକୁ ଡକରା ପଡ଼େ । ଭାତ ଖାଇ ବସିଥିଲେ ବି କଂସା ଛାଡ଼ିଦେଇ ସେ ଛୁଟିଯାଏ । ତା’ର ପରିଣତି କ’ଣ ଏଇଆ ? ମେଙ୍କି ଅପାର ଆଖିରୁ ଲୁହ ଦି’ବୁନ୍ଦା ଝରିପଡ଼ି ମେଘ ପାଣିର କଲିଜାକୁ ତିନ୍ତେଇ ଦେଲା । ତା’ ମୁଣ୍ଡ ଗୁଞ୍ଜିବାର ଠାଇଁ ଖଣ୍ଡିକ ଆଜି ଉଜୁରୀ ଯିବକି ! ଉତ୍ତର ପାଖ କାନ୍ଥଟା ପଡ଼ିବ ପଡ଼ିବ ହେଉଚି । ମେଘ ସାଙ୍ଗକୁ ନିଆଁଲଗା ପବନଟା ବି ବାଦ ସାଧିଚି । ସାଇଁ ସାଇଁ ହେଇ ଜିଅ ଛଡ଼ା କୁଟା ଖଣ୍ଡକୁ ବି ବାହିନେଇ ଯାଉଚି । କ’ଣ ସେ କରିବ । ନିଜେ ଇନାମନ୍ତ ତିନ୍ତି ସାରିଲାଣି । କେବଳ ଭାଡ଼ି ଉପରେ ଆଶ୍ରା ନେଇଚି ବୋଲି ଯାହା ସନିପାତ ଘାରି ନାହିଁ । ଏମିତିଆ ଅବେଳରେ କା’ ଓଳିତଳେ ଯାଇ ମୁଣ୍ଡ ଗୁଞ୍ଜିବ ? ନ ଯାଇ ବି ଗତିଗୋଚର କାହିଁ !

 

ବିଜୁଳିଟା ଚରକିନା ଖେଳିଗଲା । ସେଇ ଝାପ୍‌ସା ଆଲୁଅରେ ମେଙ୍କିଅପା ଦେଖିଲା ପଇଡ଼ାଘର ରୁକୁଣୀ ନାନୀ ତା’ରି ଘର ଭିତରକୁ ପଶି ଆସୁଛି । ମେଙ୍କି ଅପା ଚିହ୍ନିଙ୍କି ପଡ଼ିଲା ।

 

–ଏ ଅବେଳରେ ତମେ କୁଆଡ଼େ ?

 

ସେକଥା ପଛେ ଅପା, ତୁ ଆଗେ ଆ’ । ସାନ ବୋହୂଟା କଷ୍ଟ ପାଉଚି ସଞ୍ଜ ପହରୁ । ବଡ଼ ବୋହୁଟା ଖୁମାଣ କରି ଶୋଇଚି ଡାକି ଡାକି କଣ୍ଠ ଫାଟିଗଲେ ବି ଜବାବ ଦେଉ ନାହିଁ । ଅପା, ଏ ଅବେଳରେ ସାହା ନ ହେଲେ ମୁଁ ଭାସିଯିବ ।

 

ମେଙ୍କି ଅପା ଏତେ ଦୁଃଖରେ ବି ହସି ପକେଇଲା । ଏଇ ରୁକୁଣୀ ନାନୀ । କ’ଣ ହେବ ସେଗୁଡ଼ା ଧରି । ଜରରେ କମ୍ପି କମ୍ପି ଦିନେ ଯାଇ ଦୁଧ ଛଟାଙ୍କିଏ ମାଗିଥିଲା । ମୁହଁଟାକୁ ଗେରା ଗେରା କରି କହିଲା,

 

–ଇଏ ଯାଆଲୋ ! ଆଇଲା ଦୁଧ ପାଇଁ ।

 

ମୋ ନାତିଟାକୁତ ଖାଇବାକୁ ହେଉନାହିଁ । କୋଉ ଧିଅକରେ ଦୁଧ ଖାଇଥିଲୁବା ! ମେଙ୍କିଅପା ସେଦିନ କେତେ ନାଲି ଛାଲି ହେଇ ନ ଥିଲା ତା’ ଦୁଆରେ । ହେଲେ ନିରାଶ ହେଇଥିଲା ଶେଷକୁ । ବଡ଼ ବୋହୂ ‘ଡ଼ାଆଣୀ ବୁଢ଼ୀ ଆସିଲା, ପୁଅକୁ ଲୁଚା’ ବୋଲି ତା’ ଠେଙ୍ଗରେ ହାଣିଥିଲା । ସେଇଦିନୁ ମେଙ୍କି ଅପା ଆଉ ତାଙ୍କ ଦୁଆର ମାଡ଼ି ନ ଥିଲା । ଆଉ ଆଜି....

 

ବିଜୁଳି ପରେ ଚଡ଼ଚଡ଼ିଟା ମେଙ୍କି-ଅପାର କଲିଜା ଥରେଇ ଦେଲା । ନାଁ, ଏ ଅବେଳାଟାରେ ସେ କଥାଗୁଡ଼ା ଭାବିବା ମଣିଷ ପଣିଆ କଥା ହେବା ନାହିଁ, ସେ ଉଠିଲା । କେବଳ ଧୀର ପଦଟିଏ ଉଚ୍ଚାରଣ କଲା–ଚାଲ !

 

ମେଘ ସେମିତି ବର୍ଷୁଥାଏ । ପବନ ସେମିତି ପିଟୁଥାଏ । ହେଲେ ମେଙ୍କି ଅପାର ସେଆଡ଼େ ନଜର ନାହିଁ ଯେମିତି । ସେ ଚାଲିଥାଏ । ଯେମିତି ଝଡ଼ ସହିତ ଲଢ଼େଇ କରିବାକୁ ତା’ର ଜନ୍ମ । ବିପଦ ସଙ୍କୁଳ ପଥକୁ ମାଡ଼ି ମକଚି ଆଗେଇବା ତା’ ଧର୍ମ ।

 

ପଇଡ଼ା ଘର ଦୁଆର ମୁହଁରେ ଗୋଡ଼ଦେଲା ବେଳକୁ ସାନ ବୋହୂଟା କାନ୍ଦି କାନ୍ଦି ଉଚ୍ଛନ୍ନ ହେଉଛି । ବଡ଼ ବୋହୂଟା ଦୁଆ ବନ୍ଧ ଧରି ଠିଆହୋଇ କହୁଚି,

 

–ପୁଅ ଜନ୍ମ କରିବାକୁ ବଳ ନଥିଲାତ ପେଟରେ ସଞ୍ଚିଥିଲୁ କାହିଁକି ?

 

ମେଙ୍କି ଅପା ଶୁଣିଲା । ଉଁ’ କି ଚୁଁ’ କିଛି କହିଲା ନାହିଁ । ନମେ ନମେ ଯାଇ ଉଠିଲା ସାନ ବୋହୂ ପାଖରେ । ଶାଶୁ ବଡ଼ ଘରୁ ଲୁଗା ପାଲଟି ଆସିଲାବେଳକୁ ପୁଅଟିଏ ତଳେ ପଡ଼ି କୁଆଁ କୁଆଁ ହେଉଚି । ମେଙ୍କି ଅପା ମୁହଁରେ ବିଜୟର ହସ । ସେ ସତେକି ଗଡ଼ ଜିତିଚି । ତା’ ତିନ୍ତିଲା ଲୁଗାପ୍ରତି ତା’ର ନିଘାନାହିଁ । ତା’ ଥରିଲା ଦିହ ପ୍ରତି ସେ ଦୃଷ୍ଟି ପକାଇନି । ତଥାପି ତା’ ମୁହଁରେ ହସର ଉଚ୍ଛୁଳା ବନ୍ୟା ।

 

ରୁକୁଣୀ ନାନୀ ହାତକୁ ଛୁଆଟିକି ଟେକି ଦେଇ କହିଲା,

 

–ନାତିଟିଏ ହେଇଚି । ଏଥର ତମ ବୋହୂ ଆଉ ନାତିକି ସମାଳ, ମୋ କାମ ସରିଲା । ମୁଁ ଯାଉଚି ।

 

ମେଙ୍କି ଅପା ଝଡ଼ ପରି ଆସିଥିଲା, ଝଡ଼ ପରି ବାହାରି ଗଲା । ରୁକୁଣୀ ନାନୀ ଅନେଇ ଥିଲା ତା’ଯିବା ବାଟକୁ । କୋଉଠିକି ଗଲା ମେଙ୍କି ଅପା ? ଘରେ ତ ତା’ର ଆଣ୍ଠିଏ ପାଣି ଲହରୀ ଭାଙ୍ଗୁଚି । ରାତିକ ଏଠି ରହି ଯାଇଥିଲେ କ’ଣ ହେଇ ନ ଥାନ୍ତା ? ଯେତେହେଲେ ଉପକାରୀ ମଣିଷଟାଏ । ଅଟକାଇବାକୁ ଇଚ୍ଛା ହେଉଥିଲେ ବି ମୁହଁ ଖୋଲି ସେ କିଛି କହି ପାରିଲା ନାହିଁ । ମେଙ୍କି ଅପା ଚାଲିଗଲା, ଅନ୍ଧାର ସହିତ ମିଶିଯାଇ । ପବନ ନାଚୁଚି, ବିଜୁଳି ଚମକୁଚି ।

 

ରୁକୁଣୀ ନାନୀ ଚିହିଙ୍କି ପଡ଼ିଲା । ଫେର ଚଡ଼କଟାଏ ପଡ଼ିଚି । ବୋଧେ ନିକଟରେ କେଉଁଠି । ନ ହେଲେ କାନରୁ ଅତଡ଼ା ଖସି ପଡ଼ିଥାଆନ୍ତା କାହିଁକି ? ଭାବନା ତା’ର ଭାଙ୍ଗିଗଲା । ଛୁଆଟା ଡରେ କି କ’ଣ ରାହା ଧରି କାନ୍ଦୁଚି । ରୁକୁଣୀ ନାନୀ ଚଞ୍ଚଳ ହେଇ ପଡ଼ିଲା ।

 

ଆରଦିନ ସକାଳୁ ରୁକୁଣୀ ନାନୀ ଶୁଣିଲା, ମେଙ୍କି ଅପା ପୋଖରୀ ହୁଡ଼ା ତାଳଗଛ ମୂଳେ ମରି ଶୋଇଚି । ଚଡ଼ଚଡ଼ିଟା ଯେତେବେଳେ ତାଳଗଛ ଉପରେ ପଡ଼ିଲା, ମେଙ୍କି ଅପା ସେତେବେଳେ ସେଇଠି ହେଇଥିଲା । ସେ ବଡ଼ ବୋହୂକୁ ଦାବଦାରୀ କରି କହିଲା,

 

–ତୁ କାହାରି ଆଗରେ କହିବୁ ନାହିଁ ଯେମିତି ମେଙ୍କି ଅପା ଆମ ଘରକୁ ଆସିଥିଲା ବୋଲି । ବୁଝିଲୁ ଖବରଦାର୍‌ ।

Image

 

ଏକ ଘରକିଆ

 

ବିଶୋଇ ଜେନାର ମୁଣ୍ଡ ବୁଲେଇ ଦେଲା । ଚଉଦିଗ ତାକୁ ଅନ୍ଧକାର ଦିଶିଲା । ବ୍ରାହ୍ମଣ ଭୋଜନୀ ଦେବାକୁ ହେବ । ଜାତି ଭାଇଙ୍କି ଭାତ ଦେବାକୁ ପଡ଼ିବ । ଖାଲି ସେତିକି ନୁହେଁ, ଅନ୍ୟାନ୍ୟ ପଇଂତ୍ରିଶ ପାଟକ ପାଇଁ ବ୍ରାହ୍ମଣ ରୋଷେଇ କରେଇବାକୁ ହେବ । ତେବେ ଯାଇ ପାତକ ଛାଡ଼ିବ । ନ ହେଲେ ଗାଁ ବାଲା କେହି ତାକୁ ଛୁଇଁବେ ନାହିଁ । ଜାତି ଭାଇଙ୍କ ପାଖରେ ଅଟକ ରହିବ-। ଗାଁରେ ଏକ ଘରକିଆ ରହିବାକୁ ହେବ । କାହାରି ସଙ୍ଗରେ କଥାବାର୍ତ୍ତା କରି ପାରିବ ନାହିଁ-। କାହାରି ଘରକୁ ନିଆଁ ନୁଣ୍ଡାଏ ପାଇଁ ଯାଇ ପାରିବ ନାହିଁ । ଗାଈ ପାଳି ତାକୁ ଅଟକ, ଗାଁର ଅନ୍ୟାନ୍ୟ ଭଲ ମନ୍ଦ କାମରେ ସେ ଯୋଗ ଦେଇ ପାରିବ ନାହିଁ ।

 

ବାଛୁରୀଟାକୁ ପଘାରେ ବାନ୍ଧି ଖଟେଇ ପକେଇ ଥିଲା । ଦନ୍ତ ଘାତରେ ସେ ମରିଚି । କମ୍‌ କଥା ନୁହେଁ । ପାପ, ମହାପାପ । ଅହି ନର୍କରେ ଘାଣ୍ଟି ହେବାକୁ ହେବ । ଅଗାଧୁ ମିଶ୍ରେ ସବୁ ଗୋଟି ଗୋଟି କରି ବୁଝେଇ ଦେଇଛନ୍ତି । ଗରମ ତେଲ କଡ଼େଇ ଜଳୁଥିବ, ଯମଦୂତମାନେ ଚମ ଦଉଡ଼ିରେ ବାନ୍ଧି ନେଇଯିବେ । ଖଣ୍ଡ ଖଣ୍ଡ କାଟି ମାଛ ପରି ସେଇ ତେଲ କଡ଼େଇରେ ପକେଇ ଛାଣିବେ । ବିଶୋଇ ଦେହ ଶୀତେଇ ଉଠୁଚି । ସେ ଚମକି ପଡ଼ୁଚି ଥରକୁ ଥର ।

 

ନରିପୁର ଗାଁକୁ ପାପ ଲାଗିଚି । ସେଥିପାଇଁ ବିଶୋଇ ଦାୟୀ । ସେ ତାଙ୍କ ଗାଁର ଇଜତ୍‌ ତଳେ ପକେଇଚି । ଗାଁ ବାଲାଏ ଅନ୍ୟ ଲୋକଙ୍କ ଆଗରେ ମୁଣ୍ଡ ଟେକି କଥା କହି ପାରିବେ ନାହିଁ । ସମସ୍ତେ କହିବେ ତମେ ଦୋଷୀଗୁଡ଼ାକ ।

 

ସେଇଥିପାଇଁ ବୁଢ଼ା ଟୋକା ସମସ୍ତେ ବିଶୋଇ ଉପରକୁ ଖଡ଼୍‌ଗହସ୍ତ । ନିଆଁ ବାଣ ହୋଇ ରହିଚନ୍ତି । ଭଲ ରକମ ପ୍ରାୟଶ୍ଚିତ ନ ହେଲେ ସହଜରେ ଛାଡ଼ିବେ ନାହିଁ ।

 

ବିଶୋଇ ଘରେ ପହଞ୍ଚିଲା । ଦୁଲେଇ ଶୁଖିଲା ମନରେ ତା’ରି ପଥ ଅନୁସରି ବସିଚି । ଘରେ ଚୁଲି ଲାଗିନି । ପେଟରେ ହାଲୁଚା ପଶି ଯାଇଚି । କାହାରିକି ଭୋକ ନାହିଁ ।

 

ବିଶୋଇ ସିଧା ଯାଇ ଘର ଭିତରକୁ ପଶିଗଲା । କେଉଁ କାଳର ପୁରୁଣା ଘରଟା ପେଟେଇ ପଡ଼ିଲାଣି । ଗତବର୍ଷ ପଇସା ଅଭାବରୁ ଛିଆ ହେଇ ପାରି ନାହିଁ । ମେଘ ହେଲେ ଘରେ ପାଣି ଝରୁଚି । ବାରି ଆଡ଼ର କାନ୍ଥଟା ପାଟି ମେଲା ହେଇ ରହିଚି । ସାପ ବେଙ୍ଗ ସେଥିରେ ବସବାସ କଲେଣି । ଦୁଲେଇ ବନମାଟି ଗୋବର ଦେଇ ଯେତେ ଲିପା ପୋଛା କଲେବି ଚାରି ଦିନ ପରେ ଯୋଉ କଥାକୁ ସେଇ କଥା । ଫାଟି ଫେରେ ଆଁ ହେଇ ଯାଉଚି ।

 

ମଥାନ କାଠଟା ମଝିରୁ ଜାଇଁଆ ହେଇ ଯାଇଚି । ବାଉଁଶଗୁଡ଼ାକ ତଳକୁ ଓଟାରି ହେଇ ରହିଲା ପରି ରହିଲାଣି । ବିଶୋଇ ନଇ ଗଣ୍ଠିଏ ଗଣ୍ଠିଏ ବାନ୍ଧି କୌଣସି ପ୍ରକାରର ର’ ଠ’ କରି ଅଟକେଇ ରଖିଚି ।

 

ବିଶୋଇ ଘର ଭିତରକୁ ଯାଇ ଦେଖିଲା ସେ ଦଶ ଗଉଣୀଆ ଓଳିଆଟା ଆଜି ଯାଏ ବି ଖଣ୍ଡିଆ ହୋଇ ନାହିଁ । ବହୁ ଦୁଃଖ କଷ୍ଟରେ ଦିନ କାଟି ସୁଦ୍ଧା ଓଳିଆଟିକୁ ଖଣ୍ଡିଆ କରି ନାହିଁ । ସେଇ ତାଙ୍କର ଶେଷ ସମ୍ବଳ । ଗଲାସନ ବିଶୋଇ ମଜୁରୀ ଖଟି ଯେଉଁ ଦଶ ଚାଳିଶ ଗୌଣୀ ଧାନ ଘରକୁ ଆଣିଥିଲା, ଏ ଦଶ ଗଉଣୀଆ ଓଳିଆଟି ସେଇଥିରୁ ଗଢ଼ି ଉଠିଚି ।
 

ଅନେଇଲା ଘଡ଼ିଏ ତାକୁ । ଉଠେଇଲା ଦି’ ହାତରେ । ପୁଣି ତଳେ ରଖି ତା’ ଉପରେ ବସିଲା । ମୁଣ୍ଡରେ ହାତ ରଖି ଘଡ଼ିଏ ଭାବିଲା ଆକାଶ ପାତାଳ । ଦୁଲେଇ ଛିଣ୍ଡା ଲୁଗା ଖଣ୍ଡକରେ ନିଜର ଦେହକୁ ଲୁଚେଇବାର ଚେଷ୍ଟା କରୁ କରୁ ସେଇଠିକି ଆସି ପଚାରିଲା,

 

–ସଭାରେ କ’ଣ କହିଲେ ?

 

–ବିଶୋଇ ଗୁମ୍‌ ମାରି ବସିଥିଲା । ଚମକିପଡ଼ି କହିଲା,

 

–ଏଁ, ସଭାରେ ? ସଭାରେ କହିଲେ ପ୍ରାୟଶ୍ଚିତ ହେବାକୁ ହେବ । ଜାତି ଭାଇ, ବ୍ରାହ୍ମଣ, ଗାଁଲୋକ ସମସ୍ତଙ୍କୁ ଖୋଇବାକୁ ପଡ଼ିବ । ତେବେ ଯାଇ ପାତକ ଛାଡ଼ିବ । ନ ହେଲେ ଯମ ଦୂତ.....ଇଲୋ ବୋପା ଲୋ.....ସତେ ଯେମିତି ଅଗାଧୁ ମିଶ୍ରେ କହିଥିବା କଥା ତା’ ଆଖି ଆଗରେ ଜଳ ଜଳ ହୋଇ ଦିଶିଗଲା । ସେ ଓଳିଆ ଉପରୁ ଡେଇଁ ପଡ଼ି ଦୁଲେଇ ପଣତ ତଳେ ମୁହଁ ଲୁଚେଇଲା ।

 

–ମତେ ଲୁଚା ଦୁଲେଇ ! ହେଇ ଅଗଣନ ଯମ ଦୂତ ମୋରି ଆଡ଼କୁ ମାଡ଼ି ଆସୁଚନ୍ତି । ହାତରେ ଶକ୍ତ ଶକ୍ତ ଛୁରୀ । ବିକଟାଳ ବେଶ । ନେଇଯିବେ ମତେ ସେମାନେ । ଟିକି ଟିକି କରି କାଟି ଫୁଟିଲା ତେଲ କଡ଼େଇକି ଫୋପାଡ଼ି ଦେବେ ।

 

ଦୁଲେଇ ଆଶ୍ୱାସନା ଦେଲା,–ଥିର ହୁଅ, ଘର କରି ସବୁ କଥା ସହିବାକୁ ହୁଏ । କେତେ କୁଆଡ଼ର ବାଆ ବତାସ ବହିଗଲେ ବି ମୁଣ୍ଡ ଟେକି ଛିଡ଼ା ହେବାକୁ ପଡ଼େ । ପ୍ରାୟଶ୍ଚିତ ହେବାକୁ କହୁଚନ୍ତି ସେମାନେ । ଗାଁ ଭାଇଙ୍କ କଥା ମାନିବାକୁ ପଡ଼ିବ । ଏ ଓଳିଆଟା ବିକିଦିଅ । ମୋ ପାଖରେ ଯେଉଁ ଦଣ୍ଡିଗୁଣାଟି ଥିଲା ସେତକ ବିକିଦିଅ । ସେଇ ସେତକରେ ଯାହା ମିଳୁଚି ଅଳପ ବହୁତରେ ପ୍ରାୟଶ୍ଚିତ ହେଇପଡ଼ ।

 

ବିଶୋଇ ମନ ମାନିଲା ନାହିଁ । କେତେ ରକତ ପାଣିକରା ଓଳିଆ ସେଇଟି । ସେ ତାକୁ ବିକି ପାରିବ ନାହିଁ । ଦୁଲେଇ ବୋହୂ ହେଇ ଆସିଲାବେଳେ ଦଣ୍ଡି ଗୁଣାଟି ଆଣିଥିଲା ବାପଘରୁ । ଆଉ ଯେଉଁ ଆଠଣୀ ମାଳ, ଚମ୍ପାକଢ଼ ମାଳ ଦୁଇଟି ଆଣିଥିଲା, ସେ ଦୁଇଟି କେବେଠାରୁ ବିକା ସରିଲାଣି । ଅଛି କେବଳ ସେଇ ଦଣ୍ଡିଗୁଣାଟି । ଯାହାକୁ ନାକରେ ପିନ୍ଧିରେ ଦୁଲେଇ ଝଲସି ଉଠେ । ମୁହଁଟି ତା’ର କେଡ଼େ ସୁନ୍ଦର ଦିଶିଯାଏ ସତେ । ସେ ସେଉଟିକି ତା’ଠାରୁ ଛଡ଼େଇ ନେଇ ପାରିବ ନାହିଁ । ଲାଗୁ ପଛେ ତାକୁ ପାତକ, ଘାଣ୍ଟି ହେଉ ପଛେ ସେ ଅହି ନର୍କରେ; କିନ୍ତୁ ଜୀବ ଥାଉ ଥାଉ ସେ ଦୁଲେଇର ଶିରୀ ତୁଟେଇ ଦେଇ ପାରିବ ନାହିଁ ।

 

ଦାଣ୍ଡଆଡ଼ୁ ଅଗାଧୁ ମିଶ୍ରେ ଡାକିଲେ, ଗାଁ ଲୋକେ ପଠେଇଚନ୍ତି । ବୁଝେଇ ଶୁଝେଇ ମଙ୍ଗେଇବେ ସେ ବିଶୋଇକି । ଅଧିକା କିଛି ଅଣ୍ଟାଗୁଞ୍ଜା ମିଳିଯିବାର ଆଶା ବି ଅଛି ମିଶ୍ରଙ୍କର । ହେଲା ଏବେ ଟଙ୍କାଏ ଆଠଣା, ସେଇ ସେତକ ଆସେ କୁଆଡ଼ୁ ।

 

ବିଶୋଇ ପହଞ୍ଚିଲା, ଶୁଖିଲା ମନ, ଦରମରା ଜୀବନଟାକୁ ଧରି । ଅଗାଧୁ ମିଶ୍ରେ ପାଖରେ ବସାଇଲେ । ଗୋଟିଏ ଚକଚକିଆ ମୁଦ୍ରାର ଛବି ନାଚି ଉଠିଲା ତାଙ୍କ ଆଖି ଆଗରେ । ଷୋଳଣା ପଇସା । ଅଫିମ ଆଠଣାର ଆଣିଲେ ଅତି ନିକୁଛରେ ଚାରଦିନ ଚଳିବ । ଆଉ ଆଠଣାର ଗଲାବେଳକୁ ଦୋକାନରୁ କିଛି ସଉଦା କରି ନେବେ । ଆସିଲା ବେଳେ ମିଶ୍ରାଣୀ କହୁଥିଲେ–ତେଲ ଗୀନାରୁ ନିଗିଡ଼ା ସରିଲାଣି । ହାଣ୍ଡିଫୁଟା, ନକମରିଚ ଦି’ଦିନ ହେବ କେଉଁଥିରେ ପଡ଼ୁନାହିଁ । ଲୁଣ ଆଉ ଟିପେ ଖଣ୍ଡ କାଠୁଆରେ ଲାଗିଚି । ନାଁ, ଯେମିତି ଇଚ୍ଛା ସେମିତି ଟଙ୍କାଟେ ଝଡ଼େଇବାକୁ ହେବ ବିଶୋଇ ଠଉଁ ।

 

ମିଶ୍ରେ ଗଳା ଖଙ୍କାରି କହିଲେ,–କର୍ମ ଜେନା ପୁଅ, ସବୁ କର୍ମର ଫଳ । କର୍ମ ବାମ ନ ହେଲେ ମଶାଟିଏ ବି କାମୁଡ଼ିବ ନାହିଁ । ଏ ଯେଉଁ ପାତକ, ଏଥିରୁ ନିସ୍ତରିବା କାଠିକର ପାଠ । ମୁଁ ଜାଣେ ତମର ଦୁଃଖୀ ଘର । ଦୁଃଖ କରି ଆଣିଲେ ଚୁଲିରେ ହାଣ୍ଡି ବସେ । ମତେ ଯେତେବେଳେ ଗାଁ ବାଲାଏ ଡାକି ପଚାରିଲେ, କ’ଣ କରାଯିବ ମିଶ୍ର ଆପଣେ । ବିଶୋଇ ତ ଏମିତି ଅପକର୍ମଟିଏ କରି ପକେଇଲା । ପୁରାଣ ଖୋଲି ଦେଖନି, କ’ଣ କରିବାକୁ ଫାବୁଚି ତାକୁ ।

 

ପୁରାଣ ଖୋଲି ଦେଖିଲି । କ’ଣ କହିବି ଜେନାପୁଅ । ଆଖିତ ମୋର ଖୋସି ହୋଇଗଲା । ପାଁ’ଶ ଟଙ୍କାର ମାମଲତ । ପୁରସ୍ତମ ଯିବାକୁ ପଡ଼ିବ । ସବୁ ଠାକୁରଙ୍କୁ ଭୋଗ ଲଗେଇ ସାରି ଫେରି ଆସି, ଗାଁରେ ପୁଣି ବ୍ରାହ୍ମଣ ଭୋଜନୀ ଦେବାକୁ ହେବ, ଜାତି ଭାଇ, ଗାଁର ଅନ୍ୟାନ୍ୟ ପାଟକ ସମସ୍ତଙ୍କୁ ଖୁଆଇବାକୁ ପଡ଼ିବ । ତେବେ ଯାଇ ପାତକ ଛାଡ଼ିବ । ମୋ ଅକଲତ ଗୁଡ଼ୁମ୍‌ ହେଇଗଲା । ତୋ’ ପରା ମୂଲିଆ ମୁଣ୍ଡ ୟା ପାରନ୍ତା କେମିତି ? ଭାବିଲି ଘଡ଼ିଏ । କଥାଟା ବାହାରେ ପ୍ରକାଶ କରି ଦେଲେ ତ ତୋର ଆଉ ଚୁଲି ଚାଳ ରହିବ ନାହିଁ । ସବୁଗୁଡ଼ାକ ତ ଅବୁଝକ ମଣିଷ । କିଏ ଦୁଇ କୁଳରୁ ଗଲେ ତଙ୍କର କ’ଣ ଯାଉଚି । ମତେ ଗୋଟାଏ ଫନ୍ଦି ଦିଶିଲା । ତତେ ତ ଫେରେ ବଞ୍ଚେଇବାକୁ ହେବ । ତୋ’ ପେଟରେ ମୋ ପାଇଁ କ’ଣ ଥାଏ କେଜାଣି, ମୋ ଅନ୍ତରରେ କିନ୍ତୁ ତୋ’ପରି ନିର୍ମାୟା ଲୋକ ପ୍ରତି କେବେ ଅହନ୍ତା ନ ଥାଏ । ଭାବିଲି କଥାଟା ଟିକିଏ ବଞ୍ଚେଇକି ନ କହିଲେ ତୋ’ ନାଁ ସାତ ପାଞ୍ଜିରୁ ପୋଛି ହେଇ ଯାଉଚି । ସେଉଠୁ ପୁରସ୍ତମ ଯିବା କଥାଟା ଏକା ବେଳେକେ ଘୋଡ଼େଇ ପକେଇଲି । ଯେଉଁ କେତେଟା କର୍ମ ନିହାତି ନ କଲେ ନ ଚଳେ, ସେଇ ସେତକ କଥା ତୁଣ୍ଡ ଖୋଲି କହିବାକୁ ପଡ଼ିଲା । ପାପକଥା ଜେନା ପୁଅ, ଲୁଚେଇଲେ କି ଚଳେ ?

 

ବିଶୋଇ ମନ ଧ୍ୟାନ ଦେଇ ଶୁଣୁଥିଲା । କୃତ୍ୟକୃତ୍ୟ ହେଲା ପରି କହିଲା,

 

–ସବୁ ଆପଣଙ୍କ ଦୟା ମିଶ୍ରେ ଆପଣେ !

 

ମିଶ୍ର ପାନଖିଆ ନାଲି ଦାନ୍ତ ଦି’ଧାଡ଼ି ଟିକିଏ ପଦାକୁ ବାହାରି ପଡ଼ିଲା । ସେ ବିଶୋଇକୁ ଆଶ୍ୱାସନା ଦେବାକୁ ଯାଇ କହିଲେ,–ନାହିଁ ହେ ଜେନା ପୁଅ, ମୋର ଆଉ ଦୟା କ’ଣ ! ମୁଁ କିନ୍ତୁ ଦୁଃଖୀ ରଙ୍କିଙ୍କ ଦୁଃଖ ଏ ଦି’ଆଖିରେ ଦେଖି ପାରେ ନାହିଁ । କେହି ସିନା ମତେ ବୁଝନ୍ତି ନାହିଁ; କିନ୍ତୁ ସେପରି ରାଗ ରିହ କାହାରି ପ୍ରତି ନ ଥାଏ ।

 

–ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ । ଧନ ଜନର ବଡ଼ତି ହେଉ ।

 

ମିଶ୍ରେ ନିଜର ଟିକିଏ ପ୍ରଶଂସାରେ ଫୁଲିଯାଇ କହିଲେ,

 

–ମୁଣ୍ଡ ଉପରେ ତୋର କାମଟି । କେମିତି ଭଲରେ ଭଲରେ ସମାଧାନ ହେବ । ଯୋଗାଡ଼ଯନ୍ତ୍ରରେ ଲାଗିପଡ଼ । ଦରକାର ପଡ଼ିଲେ ମୋର ବି ସାହାଯ୍ୟ ଲୋଡ଼ିବୁ ।

 

ବିଶୋଇ ଗୁମ୍‌ମାରି ବସିଥିଲା । ମିଶ୍ରେ କହି ସାରିଲା ଉତ୍ତାରୁ କହିଲା,

 

–ଆଚ୍ଛା ମିଶ୍ରେ ଆପଣେ, କେତେ ଟଙ୍କା ଯୋଗାଡ଼ କଲେ ମୁଁ ଏ କାମଟିରୁ ଉଦ୍ଧୁରି ପାରିବି ?

 

ମିଶ୍ରେ ଟିକିଏ ଚିନ୍ତା କଲେ । କହିଲେ,

 

–ତା’ ପଚାଶ ଷାଠିଏରୁ କମ୍‌ରେ ହେବ ନାହିଁ ।

 

ବିଶୋଇର ଆଖି କପାଳକୁ ଉଠିଗଲା । ଷାଠିଏ ଟଙ୍କା ? ମୁଣ୍ଡାମୁଣ୍ଡି ତିନିକୋଡ଼ି । ଓଳିଆଟା ଆଉ ଦଣ୍ଡିଗଣା ଦିହିଙ୍କି ବିକିଲେ ଟଙ୍କା ପନ୍ଦରଟାରୁ ବେଶି ହେବ ନାହିଁ । ଆଉ ଦି’ କୋଡ଼ି ପାଞ୍ଚଟଙ୍କା ଆସିବ କୁଆଡ଼ୁ ? ଦାନ୍ତରେ ତିରଣ ଧରି ସେ ମିଶ୍ରଙ୍କ ଗୋଡ଼ ତଳେ ଲମ୍ବ ହୋଇ ପଡ଼ିଗଲା ।

 

–ଭାସିଯିବି ମୁଁ ମିଶ୍ର ଆପଣେ । ମତେ ଏଥିରୁ ନ ଉଦ୍ଧାରିଲେ ମୋର ଆଉ ଚିହ୍ନବର୍ଣ୍ଣ ରହିବ ନାହିଁ । ତିନି କୋଡ଼ି ଟଙ୍କା ମୁଁ ମୋ ଦିହକ ଭରିରେ ଯୋଗାଡ଼ କରି ପାରିବି ନାହିଁ । ମତେ ବୁଦ୍ଧି ବତେଇ ଦିଅ । ମୁଁ କେମିତି ଏଥିରୁ ଉଧୁରିବି ।

 

ମିଶ୍ରେ ଦଣ୍ଡେ ଗୁମ୍‌ମାରି ବସିଯାଇ କହିଲେ,

 

–ମୋର ଆଉ ଉପାୟ କ’ଣ କହ ! ସେଇ କଥା ମୁଁ ଜାଣେ ବୋଲିତ ଆଗରୁ ସବୁ କମେଇ କମେଇ ଏତିକିରେ ରଖିଚି । ଏଥିରୁ ଆଉ କିଛି କମେଇ ହେବ ନାହିଁ । ଏତକ ତତେ ଯେମିତି ପାରି ସେମିତି ଯୋଗାଡ଼ କରିବାକୁ ପଡ଼ିବ । ନ’ ହେଲେ ଆଖର ବେଳକୁ ବେକରେ ହାଡ଼ ବାନ୍ଧି ଦୁଆର ବୁଲି ଖପରା ପତେଇ ମାଗି ସେତକ ଟଙ୍କା ଭରଣା କରିବାକୁ ପଡ଼ିବ । ବୁଝିଲୁ ଜେନାପୁଅ ?

 

ବିଶୋଇ ଯେମିତି ନୂଆ ଜୀବନ ପାଇଲା । ଆଉ ଥରେ ପଚାରିଲା,

 

–କ’ଣ କହିଲେ ମିଶ୍ର ଆପଣେ ? ହାଡ଼ମାଳ ବେକରେ ପକେଇ ମାଗିବାର ବାଟ ଅଛି-? କୋଟି ପରମାୟୁ ଭଗବାନ ଦିଅନ୍ତୁ ତମୁକୁ । ମୁଁ ଆଜିଠୁଁ ବାହାରିଲି ଦୁଆର ଦୁଆର ଘର ଘର ବୁଲି ମାଗିବାକୁ । ପ୍ରାୟଶ୍ଚିତ୍ତ ହେବି, ଦୋଷ ଛଡ଼େଇବି । ଆଉ ଆଉମାନଙ୍କ ପରି ମଣିଷରେ ଗଣିତା ହେବି ।

 

ବିଶୋଇ ଉଠି ଯାଉଥିଲା । ମିଶ୍ରେ ଅଟକେଇ ପାଉଣା ମାଗିଲେ । ଏତେ ଗୁଡ଼ାଏ ବିକିବା ପାଇଁ ସେ କ’ଣ ବୃଥାରେ ଆସିଥିଲେ ?

 

ବିଶୋଇ ନେହୁରା ହେଲା । ଗୋଟିଏ ବୋଲି ପଇସା ନାହିଁ ତା’ ପାଖରେ । ସେ ମାଗି ଯାଚି ଫେରିଲେ ତାଙ୍କ ମନ ବୋଧ କରିଦେବ ବୋଲି କହିଲା ।

 

କିନ୍ତୁ ମିଶ୍ରେ କ’ଣ ଛାଡ଼ିବା ଜନ୍ତୁ ! ଅଫିମ କରାଟଟା ଖୋଲି ଦେଖିଲେ, ରତିଏ ବି ନାହିଁ-। ଖୋଷଣୀ ଅଣ୍ଡାଳିଲେ, ମାତ୍ର ଗୋଟିଏ ଦୋ’ ପଇସି । ସେତିକିରେ କି ହୁଏ ? ବାଟ ଖୋଜିଲେ, ଜଳ ଜଳ ହୋଇ ଦିଶିଗଲା । ସେ ବିଶୋଇକି ଡରେଇଲେ, ଯଦି ମୋ ପାଉଣା ଗଣ୍ଡାକ ଆଜି ନ ପାଇବି, ତେବେ ସବୁ ହାଟ କରି ଦେବି । ତତେ ପୂରସ୍ତମ ପର୍ଯ୍ୟନ୍ତ ନ ଦଉଡ଼େଇ ସହଜରେ ଛାଡ଼ିବି ନାହିଁ ।

 

ବିଶୋଇ ଦଉଡ଼ି ଦଉଡ଼ି ଦୁଲେଇ ପାଖକୁ ଗଲା, ତାକୁ ସବୁ କଥା ଗୋଟି ଗୋଟି କରି କହିଲା । ଦୁଲେଇ ତା’ ଗାଞ୍ଜିଆ ଫିଟେଇ କେତେ ଦିନର ସାଇତା ପଇସା ଗୁଡ଼ିକ ବାହାର କଲା । ସେତକ ବଢ଼େଇ ଦେଲା ବିଶୋଇ ହାତକୁ । ବିଶୋଇ ସେତକ ମିଶ୍ରଙ୍କ ପାଦତଳେ ଥୋଇ ବେକରେ ଗାମୁଛା ଗୁଡ଼େଇ ନମ୍‌ କରି ଶୋଇଗଲା,

 

–ଆଉ ଦେଇ ପାରିବି ନାହିଁ, ଏତିକିରେ ସନ୍ତୁଷ୍ଟ ହୁଅନ୍ତୁ ।

 

ମିଶ୍ରେ ପଇସାତକ ଉଠେଇ ନେଇ ଗଣିଲେ । ସାତଣା ଦି’ ପଇସା । ପୁଣି ଥରେ ତାଙ୍କୁ ନୂଆ କରି ହିସାବ ଯୋଡ଼ିବାକୁ ପଡ଼ିଲା । କେଉଁଥିରୁ କେଇ ପଇସାର ନେଲେ ଠିକ୍‌ ହେବ । ମିଶ୍ରେ ଉଠି ଠିଆ ହେଲେ । ବିଶୋଇ ଘର ଭିତରକୁ ଚାଲିଗଲା ।

 

ଦୁଲେଇ କବାଟ ପାଖରେ ଠିଆ ହୋଇ ସବୁ ଶୁଣୁ ଥିଲା । ବିଶୋଇ ତା’ ପାଖରେ ପହଞ୍ଚି କିହିଲା,

 

–ମାଗିବାକୁ ଯାଉଚି । ପ୍ରାୟଶ୍ଚିତ୍ତ ପାଇଁ ଟଙ୍କା ଯୋଗାଡ଼ କରି ପାରିଲେ ଫେରି ଆସିବି-। ଯଦି ତୋ’ ଚଳିବା ପାଇଁ ଅଘଟ ଘଟ ହୁଏ ତେବେ ଏ ଓଳିଆଟି ଭାଙ୍ଗି ଖାଉଥିବୁ । ଭୋକ ଉପାସରେ ରହିବୁ ନାହିଁ ।

 

ଦୁଲେଇ ଆଖିପତା ବୁଡ଼େଇ ଲୁହ ଝରି ପଡ଼ିଲା । ମନା କରିବାର ଆଉ କିଛି ବାଟ ନ ଥିଲା ।

 

ବିଶୋଇ ଛିଣ୍ଡା ଲୁଗା ଖଣ୍ଡେ ପିନ୍ଧି, ଆଉ ଖଣ୍ଡେ କାନ୍ଧରେ ପକେଇ, ଭାତ ହାଣ୍ଡି ଉପରୁ ପଲମଟାଏ ଆଣି ପଦାକୁ ବାହାରି ପଡ଼ିଲା । ଗଲା ବେଳକୁ ଦୁଲେଇକି ଯାବତା କରିଗଲା ।

 

–ବୁଝି ଖବର ଦାର, ଖୁବ୍‌ ସାବଧାନରେ ଚଳାଚଳ କରୁଥିବୁ । କାହାରି ସଙ୍ଗରେ ଅପଡ଼ ହେବୁ ନାହିଁ । ଆମର ଏଇଖିଣା ବିପଦ ବେଳ, ଆଉ ଦି’ ତିନି ମାସ ଭିତରେ ପିଲାଟିଏ ହେବ । ମୁଁ ସେତେବେଳକୁ ଆସି ସାରିଥିବି ।

 

ବିଶୋଇ ପଦାକୁ ଗୋଡ଼ ବଢ଼େଇଲା । ଖୁଣ୍ଟରୁ ପଘାଟି ଫିଟେଇ ନେଇ ବେକରେ ବାନ୍ଧିଲା । ନମେ ନମେ ଯାଇ ଗୋରୁ ମଡ଼ାଖାଇରୁ ହାଡ଼ ଦି’ ତିନି ଖଣ୍ଡ ମାଳ କରି କାନ୍ଧରେ ପକେଇଲା, ଦୋଷୀ ସେ, ସମସ୍ତେ ତାକୁ ଦୂର୍‌ ଦୂର୍‌ କଲେ ।

 

ଦିନ ପରେ ଦିନ ଗଡ଼ିଲା, ବିଶୋଇର ଗାଁ ପରେ ଗାଁ ମଗା ଚାଲିଲା । ଦୁଆରେ ଦୁଆରେ ପଲମ ପତେଇବା ତା’ର ଗୋଟାଏ ଅଭ୍ୟାସ ହେଇ ପଡ଼ିଲା । ମୁଣ୍ଡରେ ବାଳ, ମୁହଁରେ ଦାଢ଼ୀ ବଢ଼ି ସେ ଗୋଟାଏ ବିକଟାଳ ରୂପ ଧାରଣ କଲା । ପିଲାଏ ଦୂରରୁ ଦେଖି ଡ଼ରି ପଳେଇଲେ, ଗାଁ କୁକୁରଗୁଡ଼ାକ ଭେଉ ଭେଉ କରି ତା’ ପଛରେ ଗୋଡ଼େଇଲେ । ସିଆଣିଆ ପିଲାଏ ପାଗଳା କହି ଟେକା ପଥର ଫିଙ୍ଗିବା ଆରମ୍ଭ କଲେ ।

 

ବିଶୋଇ ସବୁ ସହିଲା । ସହିବା ପାଇଁ ତା’ର ଜନ୍ମ ଏ ବସୁନ୍ଧରା ଉପରେ । ପାପୀ ସେ ଯେତେବେଳେ ସବୁ ତାକୁ ମୁଣ୍ଡପାତି ସହିବାକୁ ପଡ଼ିବ ।

 

ଦିନ ବେଳଟା କୌଣସି ପ୍ରକାର କଟି ଯାଏ ବିଶୋଇର; କିନ୍ତୁ ରାତି ହେଲେ ତା’ର କାଳ ଆସେ । କେହି ତାକୁ ପିଣ୍ଡା ପହଣ୍ଡରେ ଠାଇଁ ଦିଅନ୍ତି ନାହିଁ । ଚୋର ଟକ୍‍ସର ମାନେ ଆଜି କାଲି କେତେ ରୂପ ଭେକ ଧରି ଗାଁ ଗାଁ ବୁଲୁଚନ୍ତି । ନର ମାୟା ନାରାୟଣେ ଅଗୋଚର । କିଏ ଜାଣେ ଏ କ’ଣ ହେଇଥିବ । ବିଶୋଇ ଯା’ ହେଉନା କାହିଁକି ସେ ଯେଉଁ ଭେକ ଧରିଚି, ସେଥିରେ ତାକୁ ଛୁଇଁବା ଲେଖୁ ନାହିଁ । ପିଣ୍ଡାରେ ଜାଗା ଦେଇ ସକାଳୁ ଗୋବର ପାଣି ପକେଇ ଲିପିବାକୁ କା’ର ତର ଅଛି ?

 

ବିଚରା ରାତି ବଖତକୁ କୋଉଦିନ ଦିଟା ଖାଇବାକୁ ପାଏ, କୋଉଦିନ ଦଳ ଗଡ଼ିଆରୁ ଦଳ ଆଡ଼େଇ ପେଟେ ପଙ୍କୁଆ ପାଣି ପିଇ, ଅରମା ବଣରେ ସାପ, ବେଙ୍ଗ, ଯୋକଙ୍କ ସାଙ୍ଗରେ ଗଛ ଶିଅ ଉପରେ ମୁଣ୍ଡ ଦେଇ ଶୋଇପଡ଼େ ।

 

ଏମିତି ବାହାରେ ବୁଲି ଅପନ୍ତରା ବଣରେ ପଡ଼ି ତା’ର ଦି’ମାସ କଟି ଗଲାଣି । ସେ ଏ ଯାକେ ପନ୍ଦରଟି ଟଙ୍କା ବି ସଜିଲି କରି ପାରି ନାହିଁ । ତାକୁ ଭାରି କାନ୍ଦ ମାଡ଼ୁଚି ଦୁଲେଇ କଥା ଭାବି-। ଏକଲା ମଣିଷ । ଏକହୁଁ ପୋଖତୀ । ତା’ପରେ ଘର ଗୋଟାକର ପାଇଟି । ଏଇ ସବୁ ହିନସ୍ତା କଥା ଭାବି ଭାବି ବିଶୋଇ ଥକତ ହୋଇପଡ଼େ । ଭାବନାର ଶେଷ ସୀମାରେ ପହଞ୍ଚି ପାରେନି-

 

ଯେଉଁ ଦିନରୁ ବିଶୋଇ ଘରୁ ଗୋଡ଼ କାଢ଼ିଲା, ସେଇ ଦିନରୁ ଗାଁବାଲାଙ୍କ ମନରେ ଗୋଟାଏ ଖଟକା ଲାଗିଚି । ସେମାନେ ମନେ ମନେ ଭାବିଚିନ୍ତ ବିଶୋଇ ଡରେ ପଳାଇ ଯାଇଚି ବୋଧେ । କେତେ ଲୋକ କେତେ କଥା ଭାବୁଚନ୍ତି । ସଞ୍ଜବେଳେ ଭାଗବତ ଟୁଙ୍ଗୀରେ ଘମାଘୋଟ ଆଲୋଚନା ଚାଲୁଚି । ଏ ବଡ଼ ଅନ୍ୟାୟ କଥା । ଗାଁଟାକୁ ପାପ ପଙ୍କରେ ଗୋଳେଇ ଦେଇ ବିଶୋଇ ଛୁ’ମାରିଚି । ଅଗାଧୁ ମିଶ୍ରେ ଥରେ ଅଧେ ତା’ ଆଡ଼ିଆ ହୋଇ ଅସଲ କଥାଟା ସମସ୍ତଙ୍କୁ କହିଥିଲେ । ମାତ୍ର ଦିନକୁ ଦିନ ଗଡ଼ିଲା । ସେ ଛାଡ଼ି ଅଲଗା ହେଲେ । ସାଢ଼େ ସାତଣା ପଇସା ପାଇ ଆଉ କେତେ ଦିନ ଲଢ଼ନ୍ତେ ?

 

ସେଦିନ ଭାଗବତ ଟୁଙ୍ଗୀରେ ଗୋଟାଏ ମସ୍ତବଡ଼ ସଭା ବସିଲା । ସାରା ଗାଁର ପୁରୁଖା ପୁରୁଖା ଲୋକ ଆସି ରୁଣ୍ଡ ହେଲେ । ବିଚାର ଚାଲିଲା । କେତେ ଯୁକ୍ତିତର୍କ ବାଦ ବିବାଦ ପରେ ସ୍ଥିର ହେଲା–ବିଶୋଇ ମାଇପକୁ ଏକ ଘରକିଆ ରଖାଯାଉ । ସେଇ ହେଉଚି ଅସଲ ଜାଣି ଚତୁରୀ । ସବୁ ଜାଣି କିଛି ଜାଣି ନାହିଁ । ଆଉ କେହି କେହି କହିଲେ–ରାତି ଅଧରେ ଯେତେବେଳେ ନିଶା ଗର୍ଜୁଥାଏ, ସେତେବେଳେ ବିଶୋଇର ଘର କବାଟ ମୁକୁଳା ହେବାର ଶବ୍ଦ ଶୁଣାଯାଏ । ଆଉ କିଏ କହିଲା–ମୁଁ ଦିନେ ପରିସ୍ରା କରି ଉଠିଥିଲି । ଗୋଟାଏ ଛାୟାମୁର୍ତ୍ତି ଡଗ ଡଗ ହୋଇ ବିଶୋଇ ଘର ଭିତରକୁ ପଶିଗଲା । ତା’ ମନେ ମନେ ବିଲେଇ ଆଖିବୁଜି ଦୁଧ ପିଉଚି । ଗାଁ’ବାଲାଏ କିଛି ଜାଣି ପାରୁ ନାହାନ୍ତି ।

 

ଆଉଜଣେ ବାହାରିପଡ଼ି କହିଲା–ସଫା ତ କହିଦେବ, ବିଶୋଇ ଦିନ ବଖତକ କୋଉଠି ଲୁଚି ଛପି ଥାଏ । ରାତି ହେଲେ ଘରକୁ ଆସେ । ଆଉ ଏତେ ଖୋଳ ପର୍ବତ ମାର ମୂଷା କଥାରୁ କ’ଣ ମିଳିବ ?

 

ଶେଷରେ ସ୍ଥିର ହେଲା, ବିଶୋଇ ମାଇପକୁ ଏକଘରକିଆ ରଖାଯାଉ । ଜାଣି ଚତୁରୀ ସେ । ସବୁ ପେଟରେ ପୂରେଇଚି । କଥା କହିଲା ବେଳକୁ ଗୋଟିକ ଯାକ ତୁଳସୀ । ଲୁହ ଅସରାଏ ବର୍ଷି ପକେଇ ଭଲେଇ ହେଇ କହୁଚି “ମୁଁ କ’ଣ ଜାଣେ ସାଆନ୍ତେ, ସେ ସେଇଦିନୁ ତ କୁଆଡ଼େ ଯାଇଚନ୍ତି ତାଙ୍କର ଦେଖା ଦର୍ଶନ ନାହିଁ ।” ଭାରି ଗୋଟାଏ ମଉନ ମୋହିଁ । ଦେଖିଲା କାମ କରିଦେଲେ ତ ବଳେ ଘଇତାକୁ ଡକେଇ ଆଣିବ, ଯିବ କୁଆଡ଼େ !

 

ସମସ୍ତେ ମହାପ୍ରସାଦ ଛୁଇଁ ହଲପ କଲେ, କେହି ତା’ ଘରକୁ ଯିବେନାହିଁ । କେହି ତା’ ସହିତ ପାଟି ଫିଟେଇବେ ନାହିଁ । କେହି ତାକୁ ସାଇ ଘରକୁ ଛାଡ଼ିବେ ନାହିଁ । କେମିତି ସେ ଚଳୁଚି ଚଳୁ । ଦିନ ଆଠଟାରେ ତ ବଳେ ଜବତ୍‌ ହେଇଯିବ ।

 

ତା’ ପରଦିନଠୁଁ ସତକୁ ସତ ବିଲେଇ ଛୁଆଟିଏ ବି ତା’ ଦୁଆର ମାଡ଼ିଲା ନାହିଁ । ଘରେତ ଏଣେ ଦାନା ନ ଥିଲା ଦୁଲେଇର । ଓଳିଆଟି ଭାଙ୍ଗି ଖାଇସାରିଥିଲା । ମନେ ମନେ ଭାବିଥିଲା ଦଣ୍ଡି ଗୁଣାଟି କାହାରି ହାତରେ ପଠେଇ ବିକେଇ ଆଣିବ । ଯାହା ଆଠ ଦଶ ଟଙ୍କା ପାଇବ, ସେଇଥିରେ ହେଲେ ଦିନ କେଇଟା ଚଳେଇ ନେବ । ସେତକ ବି ହେଲା ନାହିଁ । ଅକାଳ ଚଡ଼କ ପଡ଼ିଲା ଦୁଲେଇ ମୁଣ୍ଡରେ ।

 

ତିନି ମାସରେ କୋଡ଼ିଏଟି ଟଙ୍କା ସଜିଲି ହୋଇଥିଲା ବିଶୋଇର । ଆଉ ପଚାଶ ଟଙ୍କା ପୂରା କରିବା ଯାଏ ଥୟହେଇ ରହି ପାରିଲାନି ସେ । ଦୁଲେଇ ମୁହଁ ରହି ରହି ତା’ ଆଖି ଆଗରେ ନାଚି ଯାଉଥିଲା । ଭାବିଲା ଯା’ ପାରି ତା’ ହେଉ, ସେ ଥରେ ଯାଇ ତା’ ଦୁଲେଇକୁ ଦେଖି ଆସିବ । ତା’ପରେ ଯୋଉ କଥା ।

 

ଚାଲିଲା ବିଶୋଇ । ଅସରାଏ ବାଟ । ଖରା ବଢ଼ୁଛି । ଦିହ ଝାଇଁ ମାରି ଯାଉଚି । ତଥାପି ପାଦ ତାର ପଡ଼ୁଚି ଆଗକୁ ଆଗକୁ ।

 

ଅଣନିଶ୍ୱାସୀ ହୋଇ ଛୁଟିଲା ବିଶୋଇ । ଥାନ ଜ୍ଞାନ ତା’ର ରହିଲା ନାହିଁ । ମୁହଁ ସଞ୍ଜ ବେଳେ ଯାଇ ପହଞ୍ଚିଲା ଗାଁରେ । ଭାଗବତ ଟୁଙ୍ଗୀରେ ଗାଁ ଗୋଟାକର ଲୋକ ବସି କ’ଣ ଫୁସୁର୍‌ ଫାସର ହେଉଥିଲେ । ସେଆଡ଼କୁ ନଜର ଦେଲାନି ବିଶୋଇ । କେହି ବି ଦେଖିପାରିଲେ ନାଇଁ ତାକୁ । ଆଗ ଯାଇ ସେ ଦୁଲେଇକି ଦେଖିବ, ତା’ପରେ ଯୋଉକଥା ।

 

ଘର ପାଖରେ ପହଞ୍ଚି ଆବାକାବା ହୋଇ ଘଡ଼ିଏ ଠିଆହେଲା । ଦାଣ୍ଡ ଘରର କାନ୍ଥ ଫାଳଟା ଭୁଷୁଡ଼ି ପଡ଼ିଚି । ଘରର କୋଉ କାଳର ପୁରୁଣା ଛପର ମେଘ ପବନର ଅତ୍ୟାଚାର ସହି ନ ପାରି ତଳେ ମୁହଁ ମାଡ଼ିହେଇ ପଡ଼ିଚି; କିନ୍ତୁ ଦୁଲେଇ ?

 

ବିଶୋଇ ମାଟି ଆଡ଼େଇ, କାଠ, ବାଉଁଶ ଅଡ଼େଇ ଆଡ଼େଇ ଘର ଭିତରେ ପହଞ୍ଚିଲା; କିନ୍ତୁ ଦୁଲେଇ କାହିଁ ? ଡାକିଲା, ଡାକେ ଦି’ ଡାକେ, ତିନିଡ଼ାକେ ହେଲେ କାହାରି ସୋର ଶବଦ ନାହିଁ ।

 

ବିଶୋଇ ପାଗଳଙ୍କ ପରି କାନ୍ଥ ଖେଳେଇବାରେ ଲାଗିଲା ।

 

ଖଣ୍ଡକ ପରେ ଖଣ୍ଡେ ମାଟି କାଢ଼ି ଖେଳେଇବାକୁ ଲାଗିଲା ।

 

–ଦୁଲେଇ, ଦୁଲେଇ !!

 

ସେ ବାହ୍ୟ ଜ୍ଞାନ ଶୂନ୍ୟ ହୋଇ କେବଳ ଚିତ୍କାର କରି ଚାଲିଲା ।

 

–ଦୁଲେଇ, ଦୁଲେଇ !

 

ହଠାତ୍‌ ତା’ ଚିତ୍କାର ଥମିଗଲା । ସତେକି ତା’ ଆଖି ଆଗରେ ମୃତ୍ୟୁ ଦୂତ ଆସି ଠିଆ ହୋଇ ପଡ଼ିଚି । ଜହ୍ନ ଆଲୁଅରେ ଦେଖିଲା, ମୁଣ୍ଡାଏ ଓଜନିଆ ମାଟିତଳେ ତା’ କାଳି ଗାଈଟା ଶୋଇଚି । ଜିଭଟା ବାହାରି ପଡ଼ିଚି ପଦାକୁ । ଦିହଟାରୁ ପଚା ଗନ୍ଧ ବାହାରି ନାକରେ ବାଜୁଚି ।

 

ବିଶୋଇ ଦିହସାରା କମ୍ପନ ଖେଳିଗଲା । ତା’ ଆଖି ଆଗରେ ନାଚିଗଲା ମିଶ୍ରଙ୍କ ମୁହଁ । “ବ୍ରାହ୍ମଣ ଭୋଜନୀ ଦେବାକୁ ହେବ, ଗାଁ ଭାଇଙ୍କୁ ଖୁଆଇବାକୁ ହେବ, ପୁରସ୍ତମ ଯିବାକୁ ହେବ, ତେବେ ଯାଇ ପାତକ ଛାଡ଼ିବ ।”

 

ବିଶୋଇ ଦଣ୍ଡକେ ଭୁଲିଗଲା ସବୁ । ଦଣ୍ଡକେ ଭୁଲିଗଲା ତା’ ଦୁଲେଇକି । ଯେମିତି ଚୋରଙ୍କ ପରି ଗୋଡ଼ ଚିପି ଚିପି ଆସିଥିଲା ଗାଁ ଭିତରକୁ, ସେମିତି ଗୋଡ଼ ଚିପି ଚିପି ଅତି ସନ୍ତର୍ପଣରେ ଛୁଟି ପଳେଇଲା ଗାଁ ବାହାରକୁ ।

Image

 

କଙ୍କାଳ ଆଖିରେ ଲୁହ

 

–ଆରେ ତୁ କାନ୍ଦୁଚୁ ରଥିଆ ଅଜା । ଜୀବନରୁ ଅଧେ କଟେଇ ସାରିଲୁଣି ବୋଲି କହୁଥିଲୁ ଏଇ ହାଡ଼ ଚାରିଖଣ୍ଡରେ । ତୋ’ ଜୀବନ କାଳ ଭିତରେ ଡାହାଣ ହାତର ଥାଳ କେବେ ପୂରି ନାହିଁ । ସହି ସହି ଛାତି ତୋର ପଥରଠାରୁ ଆହୁରି ଟାଣ ହେଇ ଯାଇଚି । ଆଜି ତୋ’ ଆଖିରେ ଫେରେ ଲୁହ । କ’ଣ ହେଇଚି କିରେ ତୋର ଆଜି । ବିନଦିଆ ଶଙ୍କିତ କଣ୍ଠରେ ପଚାରିଲା-

 

ରଥିଆ ଚାରିଆଡ଼ୁ ଥରେ ଆଖି ପହଁରେଇ ଆଣିଲା । କୋଠାଗୁଡ଼ାକ ସବୁଦିନ ପରି ମୁଣ୍ଡ ଟେକି ଅନେଇଚନ୍ତି । ରାସ୍ତାରେ ଗହଳି ଲାଗିଚି । କାହାରି କିଛି ଅଦଳ ବଦଳ ହୋଇନାହିଁ; କିନ୍ତୁ ରଥିଆ ଅନ୍ତରରୁ କିଛି ଗୋଟାଏ ତନ୍ତ୍ରୀ ଛିଡ଼ି ଯାଇଚି । ବୀଣା ତା’ର ବେସୁରା । କେବଳ କରୁଣ ମୂର୍ଚ୍ଛନା ତୋଳୁଚି ହାତ ମାରିଲା ବେଳକୁ । ଜୀବନର ଶେଷ ଭାଗରେ ସେ ଯେଉଁ ଆଘାତ ପାଇଚି ହୁଏତ ସେଇ ଆଘାତରେ ପଞ୍ଜରାର ହାଡ଼ କେଇଖଣ୍ଡ ଭାଙ୍ଗିପଡ଼ିବ । ସେ ଲୁହ ଜରଜର ଆଖିରେ ଅନାଇ ରହିଲା ବିନଦିଆ ଆଡ଼େ ।

 

ବିନଦିଆ ରଥିଆର ଆଜି ଏପରି ଭାବାନ୍ତରର ଲକ୍ଷଣ କିଛି ବୁଝି ପାରିଲା ନାଇଁ । ଯେଉଁ ରଥିଆ ଅଜା ଟିକିଏ ନିରୋଳା ପାଇଲେ ତାକୁ ବୁଝାଏ,

 

–ବିନଦିଆରେ, ଜୀବନ ଆମର ବଡ଼ ଅସହଣୀ । ଅଦୃଷ୍ଟିର ଆମ ପ୍ରତି ଏହା କଠୋର ପରୀକ୍ଷା । କେବେ ବିଚଳିତ ହେଇ ପଡ଼ିବୁ ନାଇଁଟି । ତୁଁ ମୁଁ ଯେଉଁ ପଥର ପଥିକ, ସେପଥ କଣ୍ଟା ଝଟା ନହୁ ନୁହାଣୀରେ ପୂର୍ଣ୍ଣ । ସବୁ ମାଡ଼ିମକଚି ଆଗକୁ ପାଦ ବଢ଼େଇବାକୁ ହେବ । ଗୋଡ଼ରେ ଅଗଣନ କଣ୍ଟା ଫୁଟିବ । ଗୋଡ଼ ରକତ ସାଲୁ ବାଲୁ ହେବ; କିନ୍ତୁ କେବେ ଯେମିତି ଇସ୍‌ ବୋଲି ନ’ ହେଉ । ମୁହଁର ରଙ୍ଗ ଯେମିତି ନ ବଦଳେ । କିଏ ଅଛିରେ ଆମର ଦୁନିଆରେ ? ଇସ୍‌ ବୋଇଲେ କି ମୁହଁରେ ଦୁଃଖର ଛାଇ ଫୁଟେଇଲେ କେହି ଆହା ବୋଲି ପଦେ କହିବେ ନାହିଁ । ମାଟି ଗୋଡ଼ି ପରି ସବୁ ସହିବାକୁ ହେବ । ତେବେ ଯାଇ ଆମେ ଆମ ବାଟରେ ଆଗେଇ ପାରିବା । ଏମିତିଆ କଥା ଯା’ର, ତା’ ଆଖିରେ ଆଜି ପୁଣି ଲୁହ । ମୁହଁରେ ବେଦନାର ଛାଇ ! ବିନଦିଆ କିଛି ଠିକଣା କରି ପାରିଲା ନାହିଁ । ଆଉ ଥରେ ପଚାରିଲା,–କି ବେ ଅଜା, ତୋର ଆଜି କ’ଣ ହେଇଚି କିରେ ? ଭୋକ କଲାଣି ଯଦି ନେ ଏ ମୁଢ଼ି ଗଣ୍ଡାକ ପାଟିରେ ପକା ।

 

ରଥିଆର ଧୈର୍ଯ୍ୟ ବନ୍ଧ ଟିକକ ଭୁଷୁଡ଼ି ପଡ଼ିଲା । ସେ କଇଁ କଇଁ ହେଇ କାନ୍ଦି ପକେଇଲା-

 

–ବିନଦିଆରେ, ଜୀବନରେ କେବେ ମୋ ଆଖିରୁ ଲୁହ ଝରିବ ବୋଲି ବିଶ୍ୱାସ କରି ନ ଥିଲି; କିନ୍ତୁ ସେ ମତେ କନ୍ଦେଇଲା ।

 

ବିନଦିଆ ବୁଢ଼ାକୁ ସାନ୍ତ୍ୱନା ଦେଇ ପଚାରିଲା,–କିଏ ତତେ କନ୍ଦେଲାରେ ଅଜା ! ତୋର ତ ପୁଅ ମାଇପ କେହି ନାହାନ୍ତି । ତା’ଛଡ଼ା ତୋ ହୀନିମାନିଆ ଅବସ୍ଥା ତତେ କେବେ କନ୍ଦେଇ ପାରି ନ ଥିଲା । ଆଜି ବି ବଡ଼ ତାଜୁବ୍‌ ଲାଗୁଚି ତୋ ଆଖିରେ ଲୁହ ଦେଖି ।

 

ବୁଢ଼ା ଟିକିଏ ଧୈର୍ଯ୍ୟ ଫେରାଇ ଆଣି ରାସ୍ତା କଡ଼ର ସେଇ ଗଛ ମୂଳେ ବସିଲା । ବିନଦିଆକୁ ପାଖରେ ବସେଇଲା । ଆଙ୍ଗୁଳି ବଢ଼େଇଲା ସାମନା କୋଠା ଉପରକୁ ।

 

–ବୁଝିଲୁ ବିନଦିଆ । ସେଇ ଘରେ ସେ ରହେ । ଚାରି ବରଷ କି ପାଞ୍ଚ ବରଷ ହେବ ମୋଟେ । ନାଁ ତା’ର ଇଲା । କଅଁଳ ଛନ ଛନ, ନାଲି ଟହ ଟହ । ଟିକି ଟିକି ହାତରେ କୁନି କୁନି ଆଙ୍ଗୁଳି ଗୁଡ଼ିଏ । ଫୁରୁକା ଫୁରୁକା ବାଳ କେରାକୁ ପବନରେ ଉଡ଼େଇ ଉଡ଼େଇ ସେ ଯେତେବେଳେ ମୋ ପାଖକୁ ଦଉଡ଼ି ଆସେ, ଦରୋଟି ଭାଷାରେ ଡାକ ପକାଏ,

 

–ଏ ପାଗଲା ବୁଢ଼ା, ପାଗଲା ବୁଢ଼ା ! ତୁ ମତେ ସାଙ୍ଗରେ ନେବୁ !

 

ମୁଁ ତା ପାଖକୁ ଆଗେଇ ଯାଏ । ତାକୁ କୋଳ କରିବାକୁ ହାତ ପତାଏ । ସେ ମୋ ଆଖିରୁ ଆପଦର କୌଣସି ସୂଚନା ନ ପାଇ କୋଳକୁ ଡେଇଁ ପଡ଼େ । ମୁଁ ତା’ ମୁହଁ ଓଠରେ ମୋ ହାଡ଼ୁଆ ଆଙ୍ଗୁଠି କେଇଟା ଚଳେଇ କହେ,

 

–ନା ମୋ, ମୁଁ ତତେ ନେଇ ସମ୍ଭାଳିବି କୋଉଠି ? ତୁ ତୋ’ ବାପା ବୋଉ ପାଖରେ ଆରାମରେ ଅଛୁ, ରହ ।

 

ସେ ମୋ ମଇଲା ଛିଣ୍ଡା କନା ପଟା ଅଣ୍ଡାଳେ, କହେ,

 

–ଦେଖାନି ଭଲ କରି । ୟା ଭିତରେ କୋଉଠି ମୁଣି ଲୁଚେଇ ରଖି ନାହୁଁ ତ ? ତା’ ଟିକି ଟିକି ଆଙ୍ଗୁଳି ଚାଳି ମୋ ଦିହ ସାରା ଅଣ୍ଡାଳି ଯାଏ । ଶେଷରେ ପାଏ ଗୋଟିଏ ପାକଲା ପିଜୁଳୀ । ତା’ ମୁହଁରୁ ଖୁସି ଝରି ପଡ଼େ ପଚାରେ,–ୟାକୁ କାହା ପାଇଁ ରଖିଚୁ ?

 

ମୁଁ ହସି ହସି କହେ,

–ତୋରି ପାଇଁ ଆଣିଚି ପରା । ସେ ଆନନ୍ଦରେ କୁରୁଳି ଉଠେ ।

–ସତ କହୁଚୁ ପାଗଲା ବୁଢ଼ା । ସତରେ ତୁ ମୋ ପାଇଁ ଏ ପିଜୁଳି ଆଣିଚୁ ? ତୁ ଭାରି ଭଲ ପାଗଲା । ରୋଜ ରୋଜ ଆସିବୁ । ମୋ ପାଇଁ ପିଜୁଳି ଆଣିବୁ ମୁଁ ଖାଇବି, ଏଁ ?

ସେଇ ଦିନୁ ମୁଁ ନିତି ଆସେ ତା’ ପାଖକୁ । ମାଗି ଯାଚି କରି ଯେଉଁ ଦିନ ଦି’ ପଇସା ବେଶି ପାଇଥାଏ ସେ ଦିନ ଭଲ ଜିନିଷଟିଏ କିଣି ଆଣିଥାଏ ତା’ ପାଇଁ । ସେଦିନ ଇଲା ଏତେ ଖୁସି ହୁଏ ଯେ କହନା, ତାଠୁ ବେଶି ଖୁସି ହୁଏ ମୁଁ । ଅନ୍ତର ମୋର ସ୍ନେହରେ ଭରିଯାଏ । ମୁଁ କୋଟି ନିଧି ପାଇଲା ପରି କୋଳରେ କାଖରେ ଜାକି ଧରି ଇଲାକୁ ଗେଲ କରେ । ସେ କିଛି କହେନି ଲେମ୍ବୁ କି ପିଜୁଳିଟିଏ ଯାହା ଆଣିଥାଏ ତାକୁ ଛଡ଼େଇ ଖୋଇଦିଏ । ସେ ମତେ ପଚାରେ,

–ତୋ’ ଘର କୋଉଠି ପାଗଲା ବୁଢ଼ା ? ଭଲ ନୁଗା ପିନ୍ଧୁନୁ ? ତୋର କନ ଭଲ ନୁଗା ନାଇଁ ? କହିବୁ ଯଦି ବାପା ନୁଗା ଆନି ଦେବି । ବାପାର କେତେ ନୁଗା, କେତେ ଜାମା ଅଛି । ଯେତେ ମାଗିବୁ ସେତେ ଦେବି ।

ମୁଁ ତା ବାଳ କେରିକୁ ସାଉଁଳେଇ ଦେଉ ଦେଉ କହେ ।

–ମୋର ତୋ’ ବାପା ଜାମା ପଟା କ’ଣ ହେବ ? ଦବୁ ଯଦି ତୋରି ଜାମା ଖଣ୍ଡକ ଦିଏ-

ସେ ହସି ହସି ଗଡ଼ି ଯାଏ, କହେ,

–ଆରେ ପାଗଲା ବୁଢ଼ା, ତୁ ଟା ଏଡ଼େ ଓଲା ଆରେ । ମୋ ଜାମା କନ ତୋ’ ଦିଅକୁ ହବ ? ମୁଁ କେତିକି ସାନଟି ଦେଖୁନୁ ବାପା ତୋରି ପରି ବଡ଼ ମଣିଷଟାଏ । ତା’ ଜାମା ପତା ତୋ ଦିଅକୁ ମାନିବ ଭଲ ।

ମୁଁ ମନା କରେ । ତାରି ଦିହର ଜାମା ପାଇଁ ତା’ ପାଖରେ ଅଡ଼ି ବସେ । ସେ ତା’ ଦିହରୁ ଜାମା ଓହ୍ଲେଇ ମୋ ଉପରକୁ ଫୋପାଡ଼ି ଦେଇ କହେ,

–ହଉ ନେ । ମୋଲ ଏମିତି ଆଉଲି କେତେ ଅଛି ।

ମୁଁ ଫେରେ ମୋରି ହାତରେ ତା’ ଦିହରେ ଜାମା ପିନ୍ଧେଇ ଦିଏ । ସେ ଖୁସି ହେଇ ଘରକୁ ଚାଲିଯାଏ ।

ପୁଣି ସକାଳ ହୁଏ । ମୁଁ ତାଙ୍କ ଦୁଆରେ ପହଞ୍ଚିଲେ; ସେ ଦୋ’ମହଲା ଉପରୁ ମତେ ଦେଖି “ପାଗଲା ବୁଢ଼ା, ପାଗଲା ବୁଢ଼ା ।” ଡାକି ଡାକି ତଳକୁ ଓହ୍ଲେଇ ଆସେ । ମୋ ଛିଣ୍ଡା ଝୁଲି ଭିତରୁ କଦଳୀଟିଏ ଅଣ୍ଡାଳି କାଢ଼ି ନିଏ । ସେଇଥିରେ ଯେମିତି ତା’ର ତୃପ୍ତି ଭରି ରହିଥାଏ ।

 

ଏମିତି ଦିନ ପରେ ଦିନ କଟେ । ସେ ମୋ ଶୁଷ୍କ ହୃଦୟ ତଳେ ସ୍ନେହ ଓ ଆଶାର ଝରଣା ଫିଟେଇଦିଏ । ମୁଁ ମୋ ଜୀବନର ସବୁ ଦୁଃଖ ଭୁଲି ତା’ରି ସ୍ନେହ ସୁଅରେ ମୋ ଜୀବନ ତରୀ ଭସେଇଦିଏ । ଦିନ କଟେ । ମୁଁ ଭୋକ, ଉପାସ, ରୋଗ, ଶୋକ ସବୁ ଭୁଲିଯାଏ ।

 

କିନ୍ତୁ ବିଧାତା ମୋର ସେଇ ସୁଖ ଟିକକ ବି ଦେଖି ପାରିଲା ନାଇଁରେ ପାରିଲା ନାଇଁ । ସେ ତାକୁ ଘେନିଗଲା । ମୁଁ ଥରେ ଆଠଦିନ ବେମାର ପଡ଼ି ଯାଇଥିଲି । ଆସି ଦେଖେତ ଆଗପରି ଇଲା ଆଉ ଦୋ’ ମହଲାରୁ ତଳକୁ ଓହ୍ଲେଇ ଆସୁନାହିଁ । ଏପାଖ ସେପାଖ ହେଲି । ଏଣେ ତେଣେ ଅନେଇଲି । ଚାକରାଟଏ ଉପରୁ ଆସି ପଚାରିଲା,

 

–କାହାକୁ ଖୋଜୁଚୁ କିରେ?

 

–ଇଲା କ’ଣ ନାହିଁକି ?

 

–ତୋ’ ନା?

 

ସେ ଚିହିଁକି ପଡ଼ିଲା । ବିସ୍ମିତ ହୋଇ କହିଲା,

 

–ତୋରି ନାଁ ପାଗଲା ବୁଢ଼ା ? ଇଲା ମରିବା ଆଗରୁ କେତେ ତତେ ସେ ଖୋଜିଚିରେ-। ଖାଲି ବିଳିବିଳଉଥାଏ–“ପାଗଲା ବୁଢ଼ା, ପାଗଲା ବୁାଢ଼ା, କାଲି ମୋ ପାଇଁ କଦଳୀ ଆଣିବୁ । କାଲି କୋଉଠି ରହିଲୁ କିରେ ? ଆସିଲୁ ନାହିଁ ତ ? କାଲି ଆସିଲାବେଳେ ଗୋଟିଏ ପିଜୁଳି ଆଣିବୁ ।” ଇମିତି କେତେ କ’ଣ । ତା’ ପାଇଁ କେତେ ଡାକ୍ତର ବଇଦ ଲାଗିଲେ । ପାରିଲେ ନାହିଁ । ସେ ନ୍ୟିମୋନିୟାରେ ଚାଲିଗଲାରେ ପାଗଲା ବୁଢ଼ା, ଚାଲିଗଲା ।

 

ମୁଁ ଆଉ ସେଠି ଛାତି ପଥର କରି ଠିଆହୋଇ ରହି ପାରିଲି ନାଇଁ । ବର୍ଷ ବର୍ଷର ଟାଣୁଆ ଧୈର୍ଯ୍ୟବନ୍ଧ ମୋର ଭାଙ୍ଗି ପଡ଼ିଲା । ଜୀବନରେ ଏଇ ଗୋଟାଏ ମୋର ଶକ୍ତ ଆଘାତ । ଏମିତିଆ ଆଘାତ କେବେ କୋଉଠୁ ପାଇ ନ ଥିଲି । ଭେଣ୍ଡିଆ ଭେଣ୍ଡିଆ ପୁଅ ଦି’ଟା ମଲେ । ଜମିବାଡ଼ି ନିଲାମ ହେଇଗଲା । ସବୁ ସହିଥିଲି ଦିହକୁ କିଳି, ଛାତିକୁ ପଥର କରି ସବୁ ସହିଥିଲି । କେବେ ଆଖିରୁ ବୁନ୍ଦାଏ ଲୁହ ଗଡ଼େଇ ନ ଥିଲି ।

 

ତା’ପରେ ଅନାହାରରେ କଙ୍କାଳ ସାଜିଲି । ପେଟ ପିଠି ସାଙ୍ଗରେ ମିଶିଲା । ଲୋକେ ମାଡ଼ ଗାଳି ଦେଲେ । ସବୁ ହଜମ କରି ଯାଉଥିଲି । ଆଜି ଆଉ ପାରିଲା ନାହିଁରେ ପାରିଲି ନାହିଁ ।

 

ବୁଢ଼ା ବିନଦିଆ ଉପରେ ମୁଣ୍ଡ ରଖି କଇଁ କଇଁ ହେଇ କାନ୍ଦି ଉଠିଲା ଜୋର୍‌ରେ । ବିନଦିଆ ଆଖିରୁ ତା’ର ଲୁହ ପୋଛି ଦେଲା; କିନ୍ତୁ ସେ ଅଶୁଖା ଝର । ଯେତେ ପୋଛିଲେ ବି ସେ ନ ଶୁଖି ଝରିବାକୁ ଚାହେଁ ।

Image

 

ଧୂଳିର ଧରଣ

ଏକା ନାହି ଦି’ଖଣ୍ଡ

 

ଗହିରୀ ବିଲରୁ ହଳ ଫିଟେଇ ଟାଣ ଗାଧୁଆ ବେଳକୁ ବାହୁଡ଼ିଲା ଦନେଇ ଯେନା । ଜିଆ ଛଡ଼ା ବଳଦ ହଳକ ଧଇଁ ସଇଁ ହେଇ ଦଉଡ଼ୁଥିଲେ । ହଳ ବଳଦ ଫିଟେଇ ପକେଇ ଚାଲିଲା ଘରର ତାଟି କାଢ଼ି ଭିତରକୁ ପଶିଲା । କାହାରି ସୋର ଶବଦ ନାହିଁ । ଭୋକରେ ଗୋଟିପଣ ଦନେଇ ଥରୁଥିଲା । ଲଙ୍ଗଳ ଦଉଙ୍ଗିଟା କାନ୍ଧରେ ପଡ଼ିଚି । ଦିହଯାକ କାଦୁଅ ସାଲୁବାଲୁ । ଗଲେ ସବୁ କୁଆଡ଼େ ? ରାଗରେ ଜଳିଗଲା ଦନେଇ । ଆଖି ଯୋଡ଼ାକ ଚଢ଼ିଗଲା । ଯେମିତି ପ୍ରଳୟଙ୍କାରୀ କାଣ୍ଡଟାଏ ଘଟିଯିବ ନିମିଷକେ । ରୁକ୍ଷ ଗଳାରେ ଡାକ ପକାଇଲା,

 

–ହଳିଆ....ହଳିଆ....!!

 

ହଳିଆ ଦନେଇର ପାଞ୍ଚ ବରଷର ପୁଅ । ଘରେ ସ୍ତ୍ରୀ । ଆଉ ସାନ ଭାଇର ସଂସାର ଭିତରେ ସେ ଦି’ ପ୍ରାଣୀ । ଏକା ଅନ୍ନରେ ଚଳନ୍ତି ।

 

ହଳିଆ ଜବାବ ଦେଲା ନାହିଁ । ବାରିଆଡ଼ୁ ଉଁ....ଉଁ....କାନ୍ଦଣା ସୁର ଟିକିଏ ବଡ଼ କରି ଶୁଭିଲା । ଦନେଇ ବୁଝିପାରିଲା ଘରେ କିଛି ନା କିଛି ଗୋଟାଏ କନ୍ଦଳ ଘଟିଚି । ଦନେଇ ବାଡ଼ିପଟକୁ ବୁଲି ଯାଇ ଦେଖିଲା, ହଳିଆ ମାଆ ସୁଁ ସୁଁ ହୋଇ ଆଖିର ଲୁହ ଲୁଗା କାନିରେ ପୋଛୁଚି । ଦନେଇଳି ଦେଖି କାନ୍ଦଣା ସ୍ୱର ପଞ୍ଚମକୁ ଉଠିଗଲା । ଆଉ ସମାଳେ କିଏ । ଭରା ନଈର ବନ୍ଧ ଭାଙ୍ଗିଗଲା ସତେକି ।

 

ଦନେଇ ନିଜକୁ ଟିକିଏ ସମାଳି ନେଲା । ସ୍ୱରଟାକୁ ଅଳ୍ପ କଅଁଳିଆ କରି କହିଲା,

 

–ହେଇଚି କ’ଣ ହଳିଆ ବୋଉ !

 

ହଳିଆ ବୋଉ ଗାଉଁ ଗାଉଁ ହେଇ କହିଲା,

 

ମୁଁ ତୁମକୁ ସେଦିନୁ କାନେ କାନେ ଶିଖଉଚି । ତମେ ସପନା ଠଉଁ ଭିନେ ହେଇଯା । ତା’ଠିଁ ଆମର ଦରକାର ନାହିଁ । ଶାସ୍ତ୍ର କହିଚି, ଯେତେ କନିଆ ସେତେ ବର, ଯେତେ ଭାଇ ସେତେ ଘର । ଶାସ୍ତ୍ର କଥା ଅନ୍ୟଥା ହେବାର ନୁହେଁ । ସେ ଭାଇ ବି ଏକା ଅନ୍ନରେ ରହିବା ବାଲା ନୁହେଁ । ମଉନ ମୁହାଁ ଟୋକା ଭାରି ଜଣେ ।

 

ଦନେଇ ଅନ୍ତରରେ କୁହୁଳା ନିଆଁ ହାଉ ହାଉ ହେଇ ଜଳି ଉଠିଲା । ଯେମିତି ସେ ଗ୍ରାସ କରିବ ଏ ସାରା ଦୁନିଆଟାକୁ । କି ବେକାବୁ କରିଚି ମଣିଷ ଏ ମାଇପି ଜାତିଟାର ହାତ ଧରି । ଏଡ଼େ ବକଟେ ଖଣ୍ଡିଆ ଘର ଖଣ୍ଡେ । ଛେଳି ଗୁହାଳପରି । ଥାଳି କଂସା ଦି’ପଟ ଅଛି କି ନାହିଁ । କୋଉ କାଳର ଶିଳ, ଫେଷା ହଳକ ପାକୁଆ ହୋଇଗଲାଣି । ମେଘ ବରଷିଲେ ଘରେ ଆଣ୍ଠିଏ ପାଣି । ଜମି ମାଣେ କି କଣେ କିଛି ନାହିଁ । ଛୁଆ ବକଟକୁ ଛାଡ଼ିଦେଲେ ଘରେ ମୋଟେ ଚାରିଟା ମଣିଷ । ଏଇଥିରେ ମନ ଅମେଳ । ଘରେ ଘଡ଼ିକି ଘଡ଼ି କନ୍ଦଳ । ଖାଲି ଭିନେ ହବା । ମେଣ୍ଢା ଗୁହାଳ ମଝିରେ ବାଡ଼ ପୋତିବା । ଥାଳି ପଟକ ଭାଙ୍ଗି ଫାଳେ ଫାଳେ ନେଇ ଛେଲୁଆରେ ଖାଇବା-। ସେଇଥିରେ ତୃପ୍ତି; କିନ୍ତୁ ଏକାଠେଇଁ ରହି କରି ନାହିଁ ।

 

ଘର ଆର ପାଖରେ ଆଉ ଜଣକର କାନ୍ଦଣା ସ୍ୱର ଶୁଭିଲା । ମୁଣ୍ଡ ଟେକି ଅନେଇଲା ଦନେଇ । ସପନା ପାଖରେ ସାନବୋହୂ ବଖାଣୁଛନ୍ତି ‘ତମେ ଏମିତି ମାଇଚିଆ ପ୍ରକୃତିର ହେଇ ବସିରହିଲେ ଚଳିବ ନାହିଁ । ସେ ବଡ଼ ଭାଇ ହେଲେତ ଆଉ ବାଘ ଭାଲୁ ନୁହେଁ । ରୋକଠୋକ୍‌ ତାଙ୍କ ମୁହଁରେ ଜବାବ ଦେବାକୁ ଏତେ ଡର କାହିଁକି ? ତମେ ଯଦି ଆଜିରେ ତାଙ୍କ ଠଉଁ ନ ଛିଣ୍ଡି ତେବେ ତମ ରାହା ତମର, ମୋ ରାହା ମୋର । ତମ ବଡ଼ ଭାଉଜଙ୍କ ଗଞ୍ଜଣା ମୁଁ ସହି ପାରିବି ନାହିଁ କି ଏ ଘରେ ଆଉ ରହି ପାରିବି ନାହିଁ । କିରେ ବାବୁ, ତୁ ତ ଘରର ମଣିଷ, ମୁଁ ଘରର ମଣିଷ । ମୁଁ କୋଉ ଠାଇଁଆଣୀ ପୋଇଲୀ ହେଇନାହିଁ ଯେ, ମୋ ଉପରେ ସେ ଚୋପ କଟେଇବ । ରାଣୀ ମେନ୍ତି ବସିବ ମୁଁ ପାଇଲି ମେନ୍ତି ସଞ୍ଜ ସକାଳେ ଖଟି ଖଟି ମୋ ମାଉଁସ ଲଗା ଦେହଟାକୁ କୁଟା ସରି କାହିଁକି କରିବି ? ସେ କ’ଣ ଏଡ଼େ ସୁଖୀ ଘର ଝିଅ ।

 

ସପନା କହିଲା, ଘର କହିଲେ ତ ମେଣ୍ଢାଶାଳ । ମୂଷାମାଟି ଭର୍ତ୍ତି । ହାଣ୍ଡି ଆଟିକା ଦି’ ଯୋଡ଼ା । ସେଥିରେ କି କାମ ଏମିତି କରି ମରି ଯାଉଚୁ ଯୋ ତୋ ସୁନା ଦିହ ଚୂନା ହୋଇ ଯାଉଚି-। ମଣିଷ ବିଲରୁ ଲାଗି ଲାଗି ଆସିଲା । ରୋଷେଇ ବାସର ଗନ୍ଧ ସନ୍ଧ ନାହିଁ । ଭୋକରେ କରଡ଼ି ଜଳୁଛି । ୟାଙ୍କର କଣନା ସୁଆଙ୍କ ଲାଗିଚି ଭିନେ ହବୁ ।

 

ସପନା ସ୍ତ୍ରୀ ନିଆଁ ହୁଳାପରି ଜଳି ଉଠିଲା ।

 

–କ’ଣ କହିଲ ? ଫେରେ ସେଇ ମାଇଚିଆ ପଣିଆ ? ବଡ଼ଭାଇ ଲାଂଗୁଳ ଧରି ଦଉଡ଼ୁଥାଆ । ମୁଁହ ଖୋଲି କଥା ପଦେ କହିବାକୁ ବହପ ନାହିଁ, ଖାଲି ମୋରି ପାଖରେ ଚୋପ କଟେଇ ଶିଖିଛ କହି ନ’ ପାରିବ ଯଦି ମୋ ଆଗରେ ସାଫ ସାଫ କହୁନା ମୁଁ ତାଙ୍କୁ ମୁହେଁ ମୁହେଁ ଶୁଣେଇ ଦେବି ।

 

ସୂର୍ଯ୍ୟ ମୁଣ୍ଡ ଉପରେ, ତାତି ବଢ଼ୁଛି । ଦନେଇ ନଙ୍ଗଳ ଦଉଡ଼ିଟାକୁ ସେଇଠି ଫୋପାଡ଼ି ଦେଇ ମହନ୍ତ ଘର ପୋଖରୀକୁ ଦଉଡ଼ି ଗଲା । ତତଲା ପାଣି ଦିହ ଜଳି ଯାଉଚି । ଆଷାଢ଼ରେ ମେଘ ନାହିଁ ଅପାଳକ, ଅନ୍ୟାୟ ବଢ଼ୁଚି ଦିନକୁ ଦିନ । ପୃଥ୍ୱୀରେ ଅନାଚାର ବଢ଼ି ଗଲାଣି ପାଣି ପରି, ଭଗବାନ ବଡ଼ଲୋକ । ସେ ଆଖି ଫାଡ଼ି ସବୁ ଦେଖୁଚନ୍ତି କେମିତି ସହନ୍ତେ ମଣିଷ ଗରବ ?

 

ଦିହ ହାତ ସେଇ ତାତିଲା ପାଣିରେ ବିଛୁଳି ପକେଇ ଓଦା ସର ସର ଦିହଟାକୁ ଚିରା ମଇଲା ଗାମୁଛା କାନିରେ ପୋଛି ପକେଇଲା । ତରବର ହୋଇ ଧାଇଁ ଆସିଲା ଘରକୁ । କୁଟାକେରାଏ ବଳଦ ହଳଙ୍କ ଆଗରେ ପକେଇଲା । ସେଇ ଯୋଡ଼ିକ ତା’ର ଜୀବନ । ତାଙ୍କରିଠଉଁ ବରଷକର ଦାନା ପାଉଛି ଦନେଇ, ତାଙ୍କୁ ଅଣହେଳା କଲେ କ’ଣ ଚଳିବ ।

 

ଭିତର ଶାଳେ ଦେଖିଲା ହାଣ୍ଡି ଗଡ଼ୁଛି । ପଖାଳ କଂସାଏ କି ତେରାଣୀ ମୁନ୍ଦାଏ କିଛି ନାହିଁ । ଚାଉଳ କଂଟରେ ଅଧ ପାଇଲିଏ ହବ ଚାଉଳ ପଡ଼ିଚି । ଢ଼ିଂକି ଚାଳିରେ ଦରକୁଟା ଚାଉଳଗୁଡ଼ାକୁ କାଉ ଛିଂଚାରି ବିନରବୟ କରୁଛନ୍ତି । ଚାଉଳ ଅଧ ପାଇଲିକ କଣ୍ଟରୁ କାଢ଼ି ନେଇ ଚୁଲିରେ ହାଣ୍ଡି ବସେଇଲା । ନାଁ ଏ ମାଇପିଗୁଡ଼ାଙ୍କୁ ଅନୁସରଣ କଲେ ଚଳିବନି । ଭୋକ ଉପାସରେ ମାରି ଦେବେ ଜୀବନକୁ ।

 

ସପନା ଡର ଡର ହୋଇ ଆସି ଭାଇ ପାଖରେ ପହଞ୍ଚିଲା । ଯେମିତି ଅନେକ କିଛି କହିବାକୁ ତିଆରି ହେଇ ଆସିଚି ସେ; କିନ୍ତୁ ମୁହଁ ଖୋଲି କିଛି କହି ପାରୁ ନାହିଁ । ଦନେଇ ଅନେଇଲା ତା’ ମୁହଁକୁ, ଖରାରେ ଝାଉଁଳି ପଡ଼ିଚି । ପାଖରେ ବସେଇ ଆଦରରେ ତା’ ମୁହଁରେ ହାତ ବୁଲେଇ ଆଣିଲା ।

 

–ଭାରି ଟାଣ ଖରା ହେଉଚି ନୁହେଁରେ ସପନି !

 

ସପନି ସବୁ ଭୁଲିଗଲା । ତା’ମନ ଭିତରେ ଯେଉଁ ଟାଣ ପାଚିରୀଟି ଗଢ଼ି ଉଠିଥିଲା, ସେ ଧୂଳି ଘର ପରି ଭାଇର କଥା ପଦକରେ ମିଳେଇଗଲା । ସପନା ଭାଇର ଆଖିଯୋଡ଼ିକୁ ଚାହିଁ ଲୁହ ଛଳ ଛଳ ହୋଇ ଆସିଲା ।

 

ଦନେଇ କହିଲା, ‘ଯିବୁଟି ସପନି, ବେଗି ବେଗି ଗାଧୋଇ ଆସିବୁ । ଭାତ ହେଇ ଗଲାଣି । ଦି’ଭାଇଯାକ ବସି ଖାଇବା । ଭାରି ବାଧତିଆ ହୋଇଗଲାଣି । ଫେର୍‌ ଅଢ଼େଇ ପହରିଆ ହଳ ଘଡ଼ିଏ ମଦରଙ୍ଗା ଯୋରୀକି ନେବାକୁ ହେବ । ନ’ହେଲେ ସେ ଗୋଟାଏ ନେନ୍ତାରୁଆ ରହିଯିବ-

 

ସପନା ସୁବୋଧ ପିଲାଟି ପରି ଉଠି ବାରି ଗାଡ଼ିଆ ଆଡ଼କୁ ଧାଇଁଲା । ସ୍ତ୍ରୀ ତା’ର ଲୁଚି ବଡ଼ଭାଇ ଆଉ ସାନ ଭାଇର କଥା ଶୁଣୁଥିଲା । ସାନ ଭାଇକି ପାଖରେ ଦାନ୍ତ କଡ଼ମଡ଼ କରି କହିଲା,

 

–‘ଭାରି ଭାଇ ସୁଆଗିଆ ତ ! ହଉ ତମେ ତମର ରହ ତମ ଭାଇଙ୍କି ଘେନି । ମୁଁ ମୋର ଚାଲିଲି । ଥମ ଥମ ହେଇ ଖଣ୍ଡେ ବାଟ ଆଗେଇଗଲା ।

 

ସପନା ମୁଣ୍ଡରେ ହାତ ଦେଇ ସେଇଠି ସେମିତି ବସି ପଡ଼ିଲା । ଭଲ ଅଡ଼ୁଆରେ ପଡ଼ିଲା ମଣିଷ । ଏଣୁ ମାଇଲେ ବ୍ରହ୍ମହତ୍ୟା, ତେଣୁ ମାଇଲେ ଗୋ ହତ୍ୟା । ମା’ ନ ଥିଲା, ସା’ ନ ଥିଲା । ଏଡ଼ୁଟିଏରୁ ଏଡ଼ୁଟିଏ କରି ଆଣିଛି ଭାଇ । ନିଜ ହାତରେ ଗୁହ ମୁତ ପୋଛି କରି ମଣିଷ କରିଛି । ତା’ ମୁହଁରେ ଏତେ ଟାଣ କଥା କହିବ କେମିତି । ଏଣେ ଏ ଭାର୍ଯ୍ୟା, ହାତ ଧରି ବାହା ହେଇିଚି ତା’ ବାପା ମା ତାରି ହାତରେ ସଁପି ଦେଇ ତାକୁ ନିଶ୍ଚିନ୍ତ ହେଇଚନ୍ତି । ଜୀବନ ମରଣର ସାଥୀ । ଦୂରକୁ ଠେଲିଦେବ କେମିତି ? ଗୋଡ଼ରେ ଆଡ଼େଇ ଦେଲେ ଯେ ଅପରାଧ ।

 

ସପନା ଉଠିଲା । ସ୍ତ୍ରୀ ଆଡ଼କୁ ଆଗେଇଯାଇ ନରମ କଣ୍ଠରେ କହିଲା ।

 

–ତତେ ନେହୁରା ହେଉଚି ତୁ ଆ’ ଭଲା ।

 

ସ୍ତ୍ରୀ ମାନ କରି ବସିଲା ।

 

–ଏଇ ଘଡ଼ିରେ ଯାଇ ଯଦି ଭାଇକି ନ’କୁହ ତେବେ ମୁଁ ଆଉ ଏ ଘରକୁ ପଶିବି ନାହିଁ । ମଝି ଅଗଣାରେ ଆଜି ଯଦି ବାଡ଼ ନ ବସେ, ତେବେ ମୋ କଥା ମୋର, ତମ କଥା ତମର ।

 

ସପନା ପିଠିରେ ପାଞ୍ଚ ଆଙ୍ଗୁଳିଆ ମାଲପା ଚିହ୍ନ ସେମିତି ଜକ ଜକ କରୁଥାଏ । ସେ କନ୍ଦଳର ଶେଷ ନିଷ୍ପତ୍ତି ନ କରି ଗାଧୋଇ ଯାଇ ପାରିଲା ନାହିଁ । ଥରଥର ପାଦ ପକେଇ ବଡ଼ ଭାଇ ପାଖରେ ପହଞ୍ଚିଲା । ଦନେଇ ଭାତ ବାଢ଼ୁଚି । ସପନା ଆଡ଼କୁ ଅନେଇ କହିଲା,

 

–‘କିରେ, ନଉଟି ଆସିଲୁ ? ଯା’ ବେଗି ଗାଧେଇ ପଡ଼ି ଧାଇଁଆ । ଖାଇବା ପରା ! ଭୋକ ଲାଗିଲାଣି ।

 

ସପନା ଥଙ୍ଗେଇ ଥଙ୍ଗେଇ କହିଲା,

 

–ଭାଇ, ମୁଁ ଭିନେ ହେବି । ତମ ସାଙ୍ଗରେ ଚଳି ପାରିବି ନାହିଁ । ଏତକ କହିଦେଇ ପାଖ ମାଠିଆରୁ ପାଣି ଗଡ଼େଇ ଢକଢକ କରି ନୋଟାଏ ପିଇଗଲା ।

 

ଦନେଇ ହାତ ଭାତହାଣ୍ଡି ଉପରେ ଅଟକି ଗଲା । ବଲବଲ କରି ସପନା ଆଡ଼କୁ ଅନେଇଲା ସେ । ସପନା ଆଖି ଯୋଡ଼ାକ ତଳକୁ ନଇଁପଡ଼ିଚି । ସେ ସପନା ହାତ ଧରି ପାଖକୁ ଟାଣି ଆଣିଲା ।

 

–ଆଗେ ଖାଇସାରେ । ତା’ ପରେ ପଛେ ଭିନେ ହେବୁ ।

 

ଦି’ ଭାଇ ଖାଇ ବସିଲେ । ହଳିଆ କୋଉଠି ଥିଲା, ଚିଲ ପରି ଆସି ଦୁହିଙ୍କ ମଝିରେ ବସି ପଡ଼ିଲା । ଦି’ ଜାଆ ଯାକ ଦି’ ଦୁଆର ଫାଙ୍କରୁ ଅନେଇ ଥାଆନ୍ତି ।

 

ସପନା ଭାତଗୁଣ୍ଡା ପାଟିକି ନେଉ ନେଉ ଅଟଳି ଗଲା ।

 

–ନା ଭାଇ ଆଗ ଗୋଟାଏ ଫଇସଲା କରି ଦିଅ । ଘରେ ଅମେଳ ଅଶାନ୍ତି । ସବୁବେଳେ ଏମିତି ଖଟ ଖାଟ ମତେ ଭଲ ଲାଗୁନାଇଁ ।

 

ଦନେଇ ଦେଖିଲା ସପନାର ହେମତ ବେଳୁ ବେଳ ବଢ଼ି ଯାଉଛି । ସେ ଚୁପ୍‌ ହେଇ ବସି ପାରିଲା ନାହିଁ । ଭାତ ଥାଳିଟା ଦୂରକୁ ଠେଲି ଦେଇ ଗୋଟାଏ ଦୀର୍ଘ ନିଶ୍ୱାସ ପକେଇ କହିଲା, ହଁରେ ସପନି, ଆଜି ତୁ ମଣିଷ ହେଲୁ । ମୁଣ୍ଡକୁ ହାତ ପାଇଲା । ଭିନେ ନ’ ହେବୁ କେମିତି; କିନ୍ତୁ ଭାଇ ଜାଣୁ ତ, ଆମର ସମ୍ବଳ ଭିତରେ ଏଇ ମେଣ୍ଢା ଗୁହାଳ ଦି’ ବଖୁରୀକ । ହଳିଏ ହଡ଼ା ବଳଦ । ହାଣ୍ଡି ମାଠିଆ ଦି’ ପୁଞ୍ଜା । ଏଇ ଏତକ ପାଇଁ ଆମେ କାଳ କାଳକର ସମ୍ବନ୍ଧ ତୁଟେଇ ଦେଇ, ମାଇପଙ୍କ କଥାରେ ପଡ଼ି ଭିନେ ହେବା । ଗାଁ ଲୋକେ ହସିବେ । କହିବେ ରାମ ଯେନା ପୁଅ ଦି’ଟା ବାପା ମା’ଙ୍କ ନା ପକେଇଲେ । ବାପ ମାମଲତକାର ଥିଲା କିନା । ପୁଅ ଦି’ଟା କୀର୍ତ୍ତି କରିଗଲେ ।

 

ତତେ ଯେତେବେଳେ ତିନି ବର୍ଷ, ସେତେବେଳେ ମା’ ମରିଗଲା । ଆଠ ବରଷରେ ବାପ ମଲା । ମୁଁ ପରର ନାଗି ତୋ ମୁହଁରେ ଆଧାର ଦେଲି । ନା’ ମୋରି ଭାଇ–ମୋରି ଲହୁ ଏକା ନାହିଁ ଦି’ଖଣ୍ଡି । ୟାକୁ ମଣିଷ କଲେ ମୋ ନାଁ ପଡ଼ିବ । ସାଙ୍ଗକୁ ଧନୁର୍ଦ୍ଧରା ହେବ । ବେଳ ପଡ଼ିଲେ ଛାତି ପତେଇ ପାଖରେ ଠିଆହେବ । କେତେ ଆଶା, କେତେ ଆଣ୍ଟ ବାନ୍ଧିଥିଲି ମନରେ । ତୁ ବାହାଚୋରା ହେବା ସାଙ୍ଗେ ସାଙ୍ଗେ ମୋର ସବୁ ଆଶା ମିଳେଇ ଗଲା । ଚୁଲିକି ଦି’ ଚୁଲି କରିବାକୁ ବସିଲୁଣି । ହେଜେ ସପନି, ଭଲକରି ଚେତେ ଥରେ । ଟେକା ହାତରୁ ଖସିଲେ ଅଣବାହୁଡ଼ା ।

 

ସପନି କଇଁ କଇଁ ହେଇ କାନ୍ଦି ପକାଇଲା । ଦନେଇ କୋଳରେ ମୁହଁ ଗୁଞ୍ଜି କହିଲା,

 

–ଭାଇ, ଅପରାଧ କରିଚି । ଆଉ ଦିନେ ଏମିତି କହିବିନି ।

 

ଦନେଇ ଭାତ ଥାଳିଟାକୁ ପାଖକୁ ଟାଣି ଆଣିଲା । ସପନି ହାତଧରି ଭାତ ଥାଳିରେ ମାଡ଼ିଦେଲା । ହଳିଆ କହିଲା, ଆ’ ଦାଦୀ !

 

ତିନିହେଁ ଖାଇ ବସିଲେ । ଦନେଇ ହଳିଆକୁ କହିଲା,

 

–ଯିବୁଟି ତୋ’ ଖୁଡ଼ିକି ଡାକି ଆଣିବୁ । କହିବୁ ତମେ ସାଇକି ଗଲେ ବାଣ୍ଟକୁଣ୍ଟ ହେବ ।

 

ହଳିଆ ଦଉଡ଼ି ଗଲା । ପିଲା ମଣିଷ । ଦୁନିଆର ମାୟାଜାଲ ଭିତରେ ତା’ ଗୋଡ଼ ପଶିନି କେବେ । କ’ଣ ସେ ବୁଝିବ ଦୁନିଆର ହାଲ । ବୋଉକୁ ତା’ର ଦେଖିଲା ଲୁହ ଭସେଇ ସେ କାନ୍ଦୁଚି । ଖୁଡ଼ି ଆଖିରେ ନିଆଁ ଜଳୁଚି । କିଛି ବୁଝି ପାରିଲା ନାଇଁ । ଏ ପାଖ ସେପାଖ ହେଇ ଦିହିଙ୍କି କହିଲା,

 

–ବାପା ଡାକୁଚି । ଗଲେ ଭିନେ ହବ ।

 

ଦିହେଁ ଜୀବନ ପାଇଲେ । ଜଣକ ଆଖିରୁ ଲୁହ ଶୁଖିଗଲା, ଜଣକ ଆଖିରୁ ନିଆଁ ଲିଭିଗଲା । ଯା’ହେଉ ଓଷଦ କାମ କରିଚି । ଦନେଇ ରୋଷ ଘରୁ ହାଣ୍ଡି ମାଠିଆତକ ବାହାର କଲା-। ଝଟା ଭାଙ୍ଗି ଆଣି ଗାତ ଖୋଳି ମଝି ଅଗଣାରେ ପୋତିଲା । ସପନା ଜଳ ଜଳ କରି ଅନେଇ ଥାଏ । କିଛି କରିବାକୁ ବା କହିବାକୁ ତା’ମୁଣ୍ଡରେ ବୁଦ୍ଧି ବାହାରିଲା ନାହିଁ ।

 

ଦନେଇ ଘରର ସବୁ ଜିନିଷ ଦି’ଭାଗ କଲା । ଛିଣ୍ଡା କତରାଠୁଁ ଛିଣ୍ଡା ଛାଞ୍ଚୁଣୀ ମୁଣ୍ଡି ପର୍ଯ୍ୟନ୍ତ କିଛି ବାଦ ପଡ଼ିଲା ନାହିଁ । ଦିହରୁ ଝାଳ ବର୍ଷଣ ପାଣିପରି ବହି ଯାଉଥାଏ । ହଳିଆଟା ବେଳେବେଳେ କହୁଥାଏ,–ବାବା ଏ କ’ଣ ହେଉଚି ?

 

ଦନେଇ ଶେଷ ବଖତକୁ ହଳିଆ ମା’କୁ ଡାକି କହିଲା । –ହେଇ ଦେଖ, ଦି’ଟା ସମାନ ଭାଗ କରାଯାଇଚି । ତମ ମନ ଯଉଁ ଭାଗକୁ ମାନୁଚି ନିଅ । ସାନ ବୋହୂଙ୍କୁ ଡାକ । ତମେ ଗୋଟିଏ ଭାଗ ନେଇ ଦି’ଜାଆ ଗୋଟାଏ ଘରେ ରୁହ । ଆମେ ଦି’ଭାଇ ହଳିଆକୁ ନେଇ ଗୋଟାଏ ଘରେ ରହୁଚୁ । ଭିନେ ହେଇ କେତେ ବେଶୀ ଖାଇବ, ଆମେ ଦିହେଁ ଦେଖିବୁ । ଦିନ ରାତି ସବୁବେଳେ ଭିନେ ହୁଅ ଭିନେ ହୁଅ ହେଉଥିଲ । ଏଥର ରୁହ କଳି କନ୍ଦଳ କିଛି ହବ ନାହିଁ ।

 

ହଳିଆ ବୋଉ ହଳିଆ ଖୁଡ଼ି ମୁହଁ ଚୁହାଁଚୁହିଁ ହେଲେ । ତାଙ୍କ ଚାହାଣୀ କହୁଥିଲା–ଆମେତ ୟା ଚାହିଁ ନ ଥିଲୁ ।

 

ଦନେଇ ବୁଝିପାରିଲା । କହିଲା,–ଅନେଇଚ କ’ଣ ? ଭାଗେ ଉଠେଇ ନିଅ । ସୁଖରେ ରୁହ । ତମେ ଭାବିଥିଲ ଭାଇ ଭାଇ ଭିତରେ ଅମେଳ କରେଇ ମଜା ଦେଖିବାକୁ ନା ? କିନ୍ତୁ ସେ ନ ପଟନ୍ତି । ଏ ହେଉଛନ୍ତି ରାମ ଯେନା ପୁଅ । ବାପ ମଲାବେଳେ କହି ଯାଇଥିଲା, “ଦିନେଇରେ, ସବୁ କରିବ କିନ୍ତୁ ଘରେ ବାଡ଼ ପୋତିବ ନାହିଁଟି ।” ଆମର ଗୋଟାଏ କଥା । ଆମେ ଦି’ ଭାଇ ଏକା ରକ୍ତ । ଆମର ଏକା ନାହିଁ ଦି’ଖଣ୍ଡ ।

 

ହଳିଆ ମା’ ବାଡ଼ଯାକ ଉପାଡ଼ି ପକେଇଲା । ହଳିଆ ବାପ ଗୋଡ଼ତଳେ ପଡ଼ିଯାଇ କହିଲା ‘ଅପରାଧ ଧରିବିନ । ମୁଁ ଆଜିଯାକେ ମଣିଷ ଚିହ୍ନି ନ ଥିଲି । ସପନି ସ୍ତ୍ରୀ ଉହାଡ଼ିଆରେ ଲୁଗା କାନି ବେକରେ ଗୁଡ଼େଇ ନମ୍‌ ହେଇ ଶୋଇଲା । ହଳିଆ କହିଲା,

 

–ବାବା, ଖୁଡ଼ି ଏଇଠି ଦଣ୍ଡବତ କରୁଚି ।

 

ଦନେଇ ସପନକି କୋଳକୁ ଭିଡ଼ି ନେଲା ।

Image

 

ମୂକସାକ୍ଷୀ

 

ଗାଁ ମୁଣ୍ଡର ଥୁଣ୍ଟା ଗଛଟା । କେତେ ତା’ର ବୟସ ସେଇ ଜାଣେ । ଗାଁର ପୁରୁଖା ଲୋକେ କହନ୍ତି, ଆମେ ପିଲା କାଳରୁ ସେ ସେମିତି ଠିଆ ହେବାର ଦେଖୁଚୁ । ତା’ ଇତିହାସ କାହାରିକି ଜଣା ନାହିଁ । ହୁଏତ ସେ କହି ପାରିବ ଗାଁ ଗୋଟାକର ଇତିହାସ । ମଣିଷ ଜାତିର ଇତିହାସ ।

 

କୋରଡ଼ରେ ପେଚା ରୁହନ୍ତି । ସାପ ବସା କରିଛନ୍ତି । ବାବନା ଭୂତ ବି ସେଠି ରୁହେ । ଶୁଣା କଥା ନୁହେଁ । ପୁରୁଖା ଲୋକେ ନିଜ ଆଖିରେ ଦେଖିଚନ୍ତି । ସଞ୍ଜ ହେଲେ ସେ ଭୂଇଁ କେହି ମାଡ଼ନ୍ତି ନାହିଁ । ଗଛଟା ସେମିତି ଠିଆ ହେଇଚି । ମୂକସାକ୍ଷୀ ପରି । କାଟିବାକୁ କାହାରି ସାହସ ହେଉନି । ବାବନା ଭୂତର ବସତି ସେଇଠି । ଏଡ଼େ ବହପ କାହାର ? କୁରାଢ଼ୀ ଚୋଟ ବାଜିଲେ ସେ ବଂଶ ନିଅଁଶ କରି ଦେବ ।

 

ଗାଁ ଗୋଟାକର ଅପଦୁଆ ବୋଝ ମୁଣ୍ଡରେ ମୁଣ୍ଡେଇ ରାଧି ଯେଉଁଦିନ ଘରୁ ଗୋଡ଼ କାଢ଼ିଲା, ସେତେବେଳେ ଅଧରାତି । ନିଶା ସାଇଁ ସାଇଁ ଗର୍ଜ୍ଜୁଚି । କୋଳରେ ଚାରି ବରଷର ମଦନାଟି । ଶୀତରେ ପାଟି ଠାଉ ଠାଉ ବାଜୁଚି । ଫୁଙ୍ଗୁଳା ଦିହଟାକୁ ଘୋଡ଼େଇବା ପାଇଁ ମା’ର କାନି ନିଅଣ୍ଟା ଖାଲି ଦିହ ଲାଜ ଲୁଚେଇବା ପାଇଁ ଯେଉଁ ଛୋଟ ଦରବା ଖଣ୍ଡିକ ଥିଲା, ସେତକ ରାଧିର ମାନ ରଖିବା ପାଇଁ ଅସମର୍ଥ ।

 

ଗାଁ ପଞ୍ଚାୟତଙ୍କ ଯୁକ୍ତିତର୍କ କଥା କଟାକଟି ପରେ ସାର ହେଲା ଯେ, ରାଧୀର ଏ ଛୁଆଟା ଅଣବାବୁଆ । ରସିକା ଛଅ ବରଷ ହେଲା ବିଦେଶରେ । ଟଙ୍କା ପଇସାତ ପରର କଥା । ଚିଠି ପତ୍ରରେ ସୁଦ୍ଧା ଗନ୍ଧ ସନ୍ଧ ନାହିଁ । ମଲାଣି କି ଗଲାଣି ତା’ର ଠିକଣା ନାହିଁ । ରାଧୀର ପୁଅ ହେଲା କେମିତି ? ଗାଁର କଳଙ୍କ । ବାହାଦୂର ପୁରର ମୁହଁ ତଳକୁ କରିଛି ରାଧୀ । ଆଉ ଗାଁମାନଙ୍କରେ ମୁହଁ ଦେଖେଇ ପାରୁନାହାନ୍ତି ବାହାଦୂର ପୁରର ଖାନ୍‌ଦାନ୍‌ ଘରଗୁଡ଼ାକ । ନାକ ନିଶ ତଳକୁ ହେଇ ଯାଇଚି । କଳଙ୍କ ନିଆଁ ମୁଣ୍ଡା, ଯେତେ ଦୂରରେ ରଖା ଯାଇପାରେ ସେତେ ମଙ୍ଗଳ ।

 

ରାଧୀ ନେହୁରା ହେଲା । ଗୋଡ଼ତଳେ ପଡ଼ିଲା । ସାଅନ୍ତରାଙ୍କର ସେହି ଏକ ଜିଦ୍‌ । “ନାଁ ଆଉ ନିମିଷେ ରଖିକରି ନାହିଁ ।”

 

ରାଧୀ ଲୁହ ଉଚ୍ଛୁଳା ଆଖି ବୁଲେଇ ଆଣିଲା ଗାଁ ଗୋଟାକର ଲୋକଙ୍କ ଉପରେ । ସମସ୍ତେ ଅନେଇ ରହିଛନ୍ତି ସାଅନ୍ତରାଙ୍କ ମୁହଁକୁ । ଶ୍ରୀମୁଖରୁ ଯାହା ବାହାରି ଯାଇଚି ତା’ର ପ୍ରତିବାଦ କିଏ କରିବ ? କାହାରି ସେ ସାହସ ନାହିଁ । କାରଣ ଗାଁ ଗୋଟାକର ଲୋକ ସାଅନ୍ତରାଙ୍କ ଋଣ ଜାଲରେ ଛନ୍ଦିହୋଇ ପଡ଼ିଚନ୍ତି ।

 

ଏକା ସୁରେଶ ବାବୁଙ୍କ ଆଖିରେ ଲୁହ ଜକେଇ ଆସିଲା । ସେ ରାଧୀର ଅସହଣ ଚାହାଣୀକୁ ହଜମ କରି ପାରିଲେ ନାହିଁ । କହିଲେ,

 

–ସାଆଁନ୍ତରା ବାବୁ, ବିଚାରୀ ଅସହାୟ । ସାହା ରାହା କେହି ନାହାନ୍ତି । ଅମଡ଼ା ମାଡ଼ି କୁଆଡ଼କୁ ଯିବ ?

 

ସାଆଁନ୍ତରାଙ୍କ ମାଗୁର ନିଶ ତଳେ ହସ ଖଣ୍ଡ ଦିଶିଲା, କଳା ବଉଦ ଭିତରେ ବିଜୁଳି ପରି-। ଯିଏ ସେ ଉପର ଅର୍ଥ ବୁଝିଚି ତା’ ଦିହ ଶୀତେଇ ଉଠିଲା । ସାଆଁନ୍ତରା ସଜାଡ଼ି ହୋଇ ଚକା ଆସନ ପକାଇ ବସିଲେ । କହିଲେ,

 

–ସୁରେଶ ! ତୋରି ପରି କଅଁଳ ଟୋକାଏ ରାଧୀ ପାଇଁ ଆପତ୍ତି କରିବେ । କାରଣ ମଜଲିସ୍‌ ଆଡ଼୍‌ଡ଼ାଟା ତରମ ଭାଙ୍ଗି ଯାଉଚି । ଆରେ ବୁଡ଼ି ବୁଡ଼ି ପାଣି ପିଉଚ କାହିଁକି, ସଫା ରାଧୀକି ଆଦର ନେଉନା । ସଫା ସଫା କହୁନ ମଦନା ଆମରି ପୁଅ ।

 

ରାଧୀ ଦିହରେ ବିଜୁଳି ଖେଳିଗଲା । ଜମାଟବନ୍ଧା ଲୁହ ତରଳି ଗଲା । ଗୋଟିପଣ ଥରିଲା, ତା’ ଗୋଡ଼ ହାତ । ସୁରେଶ କମ୍ପି ଉଠିଲା ଦଣ୍ଡକେ । ସ୍ୱରଟା ଉଚ୍ଚା କରି କହିଲା ।

 

–ଟିକିଏ ଭାବି ବିଚାରି କଥା କୁହନ୍ତୁ । ଆପଣଙ୍କ ପରି ମୋର ମଧ୍ୟ ବଂଶ ମର୍ଯ୍ୟାଦା ଅଛି-। ମୁଁ ଖାନ୍‌ଦାନ୍‍ ଘରର ପିଲା ।

 

ସାଆଁନ୍ତରା ଗର୍ଜି ଉଠିଲେ ।

 

–ଗାଁ ଗୋଟାକତ ଆଉ ଅନ୍ଧ ନୁହନ୍ତି । ରାଧୀର ଜମିବାଡ଼ି ମାଣେ କି କଣେ ନାହିଁ । ରୋଜଗାର ବି ଫଟା କଉଡ଼ିଟାଏ ହୁଏନି । ଏକ ଦୁଇ କରି ଛଅ ବର୍ଷ । କ’ଣ ଦିନେ ଅଧେ ହେଇଚି-। ମାଇପିଟାଏ, ଫେର୍‌ ଚାରିବର୍ଷର ପୁଅଟିଏ । ଚଳୁଳି କେମିତି ହେ ! ଆମେ କ’ଣ ଆଉ ଏଡ଼େ ଅଗୁଁଆର । ତୋରି ପରି ଗଜା ବଅସର ଟୋକା ତା’ ନିକିନାମା ବୁଝୁ ନ ଥିଲେ ସେ ଆଜିଯାକେ ଏ ବସୁମତୀ ଉପରେ ଜିଇ ରହି ଥାଆନ୍ତା ?

 

ସୁରେଶ ଆଉ କ’ଣ କହିବାକୁ ଯାଉଥିଲା । ଶିବେଇ ମହାପାତ୍ରେ ସେ ଆଡ଼ୁ କାଶି କାଶି ଆସିଲେ । ବାପା ଆସୁଛନ୍ତି । ବାପାଙ୍କୁ ପ୍ରାଣର ଡର ସୁରେଶର ।

 

ସାଆନ୍ତରା ଡାକିଲେ,–ଇଆଡ଼େ ଆସ ମହାପାତ୍ରେ ! ଲୋକେ ଆଡ଼ ହୋଇଗଲେ । ଅବାଟରେ ବାଟ ଫିଟିଗଲା । ଗାଁର ମୁଣ୍ଡ ଗୋଟାଏ ଏକା । ସାଆଁନ୍ତରା ଆଉ ମହାପାତ୍ରେ । ଇଏ ଦି’ଜଣ ଯୋଡ଼ି ହୋଇଗଲେ, ଯେତେ ସଙ୍ଗିନୀ ମାମଲା ହେଉ ପଛେ ଦଣ୍ଡକେ ମଉଳି ଯିବ । ଆଖ ପାଖ ପାଞ୍ଚଖଣ୍ଡ ଗାଁର ନ୍ୟାୟ ନିଶାପରେ ଡାକରା ପଡ଼େ ଦିହିଙ୍କୁ । ମାନ୍‌ ଅଛି, ଖାତିର ଅଛି । ବାହାଦୂର ପୁରର ରତ୍ନଟିଏ ମହାପାତ୍ରେ । ବାଡ଼ି ଖଣ୍ଡିକୁ ଗାଣ୍ଡିତଳେ ମାଡ଼ିବସି ପାନକୁଟାଟାକୁ ଚକି ଉପରେ ଥୋଇ ଠକ୍‌ ଠକ୍‌ କରୁ କରୁ କହିଲେ,

 

–ରାଧୀ କଥା କ’ଣ ସାରଭଙ୍ଗ ହେଲା ।

 

ଆଗକୁହା ହରିପଧାନ ଖଣ୍ଡିଆ ପିକାଟାକୁ କାନରେ ଖୋସୁ ଖୋସୁ କହିଲା

 

–ହାଃ...ହାଃ...ହାଃ...ହାଃ...ଆଜି ନୁଆକଥା ଶୁଣୁଚି ମହାପାତ୍ରେ ! ଆପଣ ଯୋଉ ମାମଲତରେ ହାଜର ନାହାନ୍ତି ତା’ର ଫେର୍‌ ସାର ଭଙ୍ଗ କରିବ କିଏ ?

 

ଚଞ୍ଚଳ ତା’ ଆଖି ଯୋଡ଼ାକ ବୁଲି ଆସିଲା ସାଆନ୍ତରାଙ୍କ ଫୁଲିଲା ନିଶ ହଳକ ଉପରେ । ଛେପ ଢୋକି ପକେଇଲା । ଅଣ୍ଟାରୁ ଚିଲିମଟା କାଢ଼ି ଦି’ଗର କରି ପକେଇଲା । ଏଇ ସର୍ବନାଶର ଗୋଡ଼ା । ସଞ୍ଜ ଆଗରୁ ଚାରି ଚାରି ଥର ଧୂପ ହୋଇଯାଇଚି ବୋଲି ସିନା ଏତେ ବଡ଼ ଭୁଲଟାଏ ହୋଇଗଲା । ସ୍ୱୟଂ ସାଆନ୍ତରା ବିରାଜମାନ କରିଚନ୍ତି ଅଥଚ ସେ ମହାପାତ୍ରଙ୍କ ବଢ଼େଇ ଗାନ କରିଚି । ଆଉଥରେ ଅନେଇଲା ସାଆନ୍ତରଙ୍କ ଆଡ଼େ । ତେରଛା ଚାହାଣୀର ରୋଷଣୀ ଗୋଟାଏ ପଡ଼ିଚି ତା’ ଉପରେ । ହରି ପଧାନର ନିଶା ଝୁଙ୍କ କଟିଗଲା ଦଣ୍ଡକେ । ମନେ ପଡ଼ିଲା ତା’ ବୁଢ଼ା ଆଙ୍ଗୁଠି ଟିପ ଦିଆ ତମସୁକ ଖଣ୍ଡିକ ସାଆନ୍ତରାଙ୍କ ଲୁହା ବାକ୍‌ସରେ ବନ୍ଦ ଅଛି । ଧାର ଟଙ୍କା କୋଡ଼ିଏଟା କାଲିକି ଦୁଇଶ ହୋଇଯିବ । ସେ ଡରି ଡରି ଦି’ପାହୁଣ୍ଡ ପଛକୁ ଘୁଞ୍ଚିଗଲା ।

 

ସାଆନ୍ତରା କହିଲେ,

 

–ନାହିଁ ମହାପାତ୍ରେ ! ରାଧୀ ଗାଁର ଗୋଟାଏ ଅମଙ୍ଗଳ ରାହୁ । ତାକୁ ରଖି କରି ନାହିଁ । ଯେତେ ଚଞ୍ଚଳ ତଡ଼ି ଦିଆଯାଏ ସେତେ କୁଶଳ ।

 

ମହାପାତ୍ରେ ମୁଣ୍ଡ ହଲାଇ କହିଲେ ।

 

–ମୁଁ ଜାଣେ ପରା, ତମ ବିଚାରରେ ଏତେ ଟିକିଏ ନଡ଼ ବଡ଼ ହେବାର ନାହିଁ । ଅସତ୍‌‌ କାମ କେବେ ତମ ଦିହକରେ ହବ ନାହିଁ । ରାଧୀକି ତଡ଼ି ନ ଦେଲେ ଗାଁର କୁଶଳ ନାହିଁ । ପାପର ଭାରା ବଢ଼ିବ । ବାଡ଼ି, ଝାଡ଼ା ମାଡ଼ି ଆସିବ ।

 

ସମସ୍ତେ ମାଛି ମରିଗଲା ପରି ବସିଥାଆନ୍ତି । ଉଁ ଚୁଁ କାହାରି ତୁଣ୍ଡରେ ନାହିଁ । ମହାପାତ୍ରେ ସଜାଡ଼ି ହୋଇ ବସି ରାଧୀ ଆଡ଼କୁ ଅନେଇଲେ । ଛୁଆଟା ଶୀତରେ ଥର ଥର ହୋଇ ଥରୁଚି । ରାଧୀ ଲାଜ ଲୁଚେଇବା ପାଇଁ ଦରବା ଖଣ୍ଡିକ ଓଟାରି ଧରିଚି । ତାଙ୍କ ଚିତ୍ତରେ ଦୟା ହେଲା କି କ’ଣ କହିଲେ,

 

–ଆଲୋ ହେ ରାଧି ! ମୁଁ ଯାହା ପଚାରିବି, ସବୁ ସତ ସତ ବତେଇବୁ ?

 

ରାଧୀ ଆଖି ଲୁହ କହୁଣୀରେ ପୋଛି ବିକଳ ସ୍ୱରରେ କହିଲା,

 

–ମିଛ ମୁଁ କହିବି ନାହିଁ ସାଆନ୍ତେ ! ତମେ ମୋର ବାପ ସମାନ । ଯଦି ମିଛ କହେ, ମୋ ଛାତି ଫାଟିଯିବ ।

 

ସାଆନ୍ତରା ହସି ପକେଇଲେ । କହିଲେ,

 

–ଭାରି ସତ ଘର ଝିଅ ସତୀ ।

 

ମହାପାତ୍ରେ ପଚାରିଲେ–ବେଶ୍‌ ତୁ ତ କହୁଛୁ ମୁଁ ଗୋଟିକଯାକ ତୁଳସୀ ! ରସିକା ତ ଛଅ ବର୍ଷ ହେଲା ଗଲାଣି, ତୋର ଏ ପୁଅ ହେଲା କେମିତି ?

 

ରାଧି ଛାତି ଭିତରୁ ତତଲା ନିଶ୍ୱାସ ଦମକାଏ ବାହାରି ଗଲା । ଟିକିଏ ସଳଖି ଛିଡ଼ା ହେଇ କହିଲା,

 

–ପଚାରିଲ ଯେତେବେଳେ ସାଆନ୍ତେ ସବୁ ଟିକି ନିଖି କରି କହିବି । ତମ ଆଗରେ ସବୁ ଯଦି ଫିଟେଇ ନ’ କହିବି; ଆଉ ଶୁଣିବ କିଏ ? ଯେତେବେଳେ ମଦନା ବାପ ବିଦେଶ କରି ଯାଆନ୍ତି, ସେତେବେଳେ ସାଆନ୍ତରାଙ୍କର ଆମ ଉପରେ ଗୌଣୀଏ ଟଙ୍କାର ତମସୁକ । ବେଳେ ଅ’ବେଳେ, ସବୁବେଳେ ସାଅନ୍ତରାଙ୍କ ପିଆଦା ଆମ ଘରକୁ ଧାଁ ଦଉଡ଼ କଲେ । ସେ ଆଉ ନିନ୍ଦା ସହି ନ ପାରି ଦିନେ ରାତିରେ ସମସ୍ତଙ୍କ ଅଜଣାରେ ବିଦେଶ ବାହାରି ଗଲେ ।

 

ସେଠାରେ କାମ ଦାମ ମିଳିଲା ନାହିଁ । ଅଖିଆ ଅପିଆରେ ବାର ଲୋକଙ୍କ ଗୋଡ଼ ଧରି ଛଅ ମାସ କଟେଇଳେ । ଫେର୍‌ କୋଉ ମିଲ୍‌ ବାବୁ ଘରେ କାମ ଖଣ୍ଡେ ମିଳିଲା ଯେ, ଖାଇ ପିଇ ପାଞ୍ଚଟଙ୍କା । ଅକୂଳ ଦରିଆରେ ଭାସିଯାଉଥିଲା ବେଳେ ମଣିଷ କୁଟା ଖଣ୍ଡକୁ ବି ଆଶ୍ରା କରେ । ସେ ସେତିକିରେ ପଡ଼ିରହିଲେ । ମୁଁ ଧାନ ଓଳିଆଟି ଭାଙ୍ଗି ଦୁଃଖେ କଷ୍ଟେ ଚଳାଚଳ ହେଲି ।

 

ଦିନେ ମେଘ ଘଡ଼ଘଡ଼ି ଅନ୍ଧାର ରାତି । ମୁଁ କବାଟ କିଳି ଶୋଇଚି । ଅଛିଆ ଘର ଖଣ୍ଡିକରୁ ପାଣି ଗଳି ଟୁପ୍‌ ଟୁପ୍‌ ପଡ଼ୁଚି । ମାଟି ତେଲ ଟିକିଏ ନାହିଁ ଡିବିରି ଲଗେଇବାକୁ । ବିଜୁଳି ଘଡ଼ଘଡ଼ି, ଛାତି ଥରିଯାଉଚି । ବାରି ଦୁଆର କବାଟରେ କିଏ ଠକ୍‌ ଠକ୍‌ କରି ହାତମାରିଲା । ମୁଁ ଡରେ ଦରମରା ହୋଇଗଲି । କାନପାରି ଶୁଣିଲି ଚିହ୍ନା ପାଟି ପରି ଶୁଭୁଚି । ଛାତିରେ ଦମ୍ଭଧରି କବାଟ ଖୋଲିଦେଲି । ମଦନା ବାପ ଗୋଟିପଣ ତିନ୍ତି ଚୋରଟି ପରି ଦୁଆର ମୁହଁରେ ଛିଡ଼ା ହୋଇଛନ୍ତି । ଭିତରକୁ ଆସିଲେ, କହିଲେ,–ପାଟିଗୋଳ କରନା ରାଧୀ ! ସାଆନ୍ତରା ଶୁଣିଲେ ସକାଳୁ ଧାଇଁ ଆସିବେ । ମୋଟେ ମାସ ଚାରିଟା ହେବ କାମ କରିଚି । ହେଇ ନିଏ ଦଶଟା ଟଙ୍କା ରଖ । ଖୁବ୍‌ ହୁସିଆର । କଥାଟା ଯେମିତି ଫୁଟିଆରା ନ’ହୁଏ । ଚାରି କାନରୁ ଛଅ କାନ ନ’ଜାଣେ ।

 

ନାଗେ ନାଗେ ଝଡ଼ ବରଷା ଚାରିଦିନ ଲାଗି ରହିଲା । କେହି ଏ ଦୁଆରୁ ସେ ଦୁଆରକୁ ଯାଇ ପାରିଲେ ନାହିଁ । ମଦନା ବାପ ସେ ଚାରିଦିନ ଯାକ ଘରେ ରହିଲେ । ପାଞ୍ଚ ଦିନ ରାତିରେ ଫେର୍‌ ଲୁଚି ଲୁଚି ଘରୁ ବାହାରିଗଲେ । ସେଇଥର ମଦନା ମୋ ପେଟରେ ରହିଲା ।

 

ମଦନା ଜନମ ହେଲା ପରେ ସେ ବରଷରେ ଥରେ ଦି’ଥର ସେମିତି ଆସନ୍ତି । କୋଡ଼ିଏ ତିରିଶ ଟଙ୍କା କରି ଦେଇ ଯାଆନ୍ତି । ଅଡ଼ିଶା ପଡ଼ିଶା କେହି ତା’ର ଟେର୍‌ ପାଆନ୍ତି ନାହିଁ । ମୁଁ ବି କାହାରିକି ଜଣେଇ ଦିଏନା । ନ ହେଲେ ସାଆନ୍ତରା ବାବୁ ଶିକାରୀ ବାଘ ପରି ଝାମ୍ପି ପଡ଼ନ୍ତେ-। ଏତକ କହି ରାଧି ଅସହାୟ ଚାହାଣୀଟା ସମସ୍ତଙ୍କ ଉପରେ ବୁଲାଇ ଆଣିଲା ।

 

ମହାପାତ୍ରେ ପାନ କୁଟାରୁ ପାନତକ ପାଟିକି ପକାଇଦେଇ ପାକୁଆ ପାଟିଟାକୁ ବୁଲେଇ ଆଣି କହିଲେ,

 

–ହଇହେ ! ବଜ୍ଜାତ୍‌ ମାଇକିନିଆଟା ତ ଭାରି ହାରମଜାଦି । ଗାଁରେ ସୋରିଷ ଫୁଟିଲେ ଆର ଗାଁକୁ ବାସନା ଯାଉଚି । ଆଉ ରସିକା ଗାଁରେ ରହି ରାତାରାତି କଲିକତା ଯାଉଚି କେହି ତା’ର ଟେର୍‌ ପାଉନି । କାନ ଫେର ୟା’ ଶୁଣିଲା । ନାଁ ନାଁ ଏଇ ଦଣ୍ଡକ ଭିତରେ ତାକୁ ତଡ଼ି ଦିଅ ଗାଁରୁ । ଯଦି ନଯାଉଚି ଗଳାରେ ଧକ୍‌କା ମାରି ବାହାର କରିଦିଅ ।

 

ସାଆନ୍ତରା ହସି ହସି କହିଲେ,

 

–ଦେଖୁଚ ମହାପାତ୍ରେ ! ମାଇପିଟା, ୟା’ର ଫେରେ ପେଟରେ ହାତ ଗୋଡ଼ । ଭାବିଚି ଗାଁ ଗୋଟାକୁ ଭୁଲେଇ ଦେବ । ତା’ ଆଖିରେ ସମସ୍ତେ ଜାଣି ମଦନା ପରି ଦୁଧଖିଆ ଶିଶୁ ।

 

ରାଧି କାହାରିଠାରୁ କିଛି ଆଶା, ଆଶ୍ୱସନା ନପାଇ ପୁଅଟିକୁ କାଖରେ ଯାକି ଧୀରେ ଧୀରେ ଆଗକୁ ପାଦ ପକାଇଲା । ପଞ୍ଚାୟତ ରାୟ । ଅମାନ୍ୟ କରି ହେବ ନାହିଁ ।

 

ସାଆନ୍ତରାଙ୍କ ମୁହଁରେ କୁଟୀଳ ହସ ଖଣ୍ଡିଏ ଫୁଟି ଉଠିଲା । ସେ ମହାପାତ୍ରଙ୍କ କାନ ପାଖରେ ମୁହଁ ରଖି ଫୁସ୍‌ ଫୁସ୍‌ କରି କହିଲେ, ବୁଝିଲ ମହାପାତ୍ରେ, ଆଉ ମୋଟେ ଦିନ ପନ୍ଦରଟାର ମାମଲତ ବାକି ଥିଲା । ସେଉଠୁ ତା’ ତମସୁକଟାର ମିଆଦ ପୂରି ଯାଇଥାଆନ୍ତା । ମୁଁ କ’ଣ ଫାଙ୍କା ଆକାଶକୁ ଅନେଇ ଥାଆନ୍ତି । ତା’ର ତ ଘର ତଳି ଖଣ୍ଡକ ଛଡ଼ା ଆଉ କିଛି ନାହିଁ । ସେ ଯଦି ଘରୁ ବାହାରି ଯାଇ ନ ଥାନ୍ତା, ମୁଁ ସେତକ ଦଖଲ କରିଥାନ୍ତି କେମିତି ? ଆଇନ ଅଦାଲତ ତ ଫେରେ ଅଛି ।

 

ମହାପାତ୍ରେ ସାଆନ୍ତରାଙ୍କ ପିଠି ଥାପୁଡ଼େଇ କହିଲେ,–ବୁଦ୍ଧିର କାମ କରିଚ ସାଆନ୍ତରା ! ନ ହେଲେ ତ ଜଳ ଜଳ କରି ଅନେଇ ଥାଆନ୍ତ ।

 

ରାଧିର ଛାତି ଥରି ଉଠିଲା । ବାବନା ଭୂତ ଏଇ ଗଛଟାରେ ରହେ ବୋଲି ଲୋକେ କହନ୍ତି । ଫେରେ ପୁଅଟି କୋଳରେ । କରିବ କ’ଣ ! ଗୋଡ଼ ଆଉ ଆଗକୁ ଚଳିଲା ନାହିଁ । ପଛକୁ ଫେରି ଚାହିଁଲା । ସାଆନ୍ତରାଙ୍କ ଜଳନ୍ତା ଆଖି ନାଚି ଉଠିଲା ତା’ ଆଖିରେ । ଅନ୍ତର ଗୋଟାକ ତା’ର ଥରି ଉଠିଲା । ନାଁ ଆଉ ସେ ଫେରିଯାଇ ପାରିବ ନାହିଁ । ଜଶଦୀଶ ନାଁ ତୁଣ୍ଡରେ ଧରି ଆଗକୁ ପାଦ ବଢ଼େଇଲା ।

 

ହେଇ ସେଇ ଥୁଣ୍ଟା ବରଗଛ ମୂଳେ କାହାର ଛାଇ ଦିଶୁଚି । ଝାମ୍ପୁଲା ମୁଣ୍ଡ । ଖର ଚାଲି-। କେମିତି ଗୋଟାଏ ଖେଁ...ଖେଁ...ଶବ୍ଦ । ରାଧିର ରକ୍ତ ହେମ ହୋଇଗଲା । ସେ ପୁଅଟିକୁ ଯାକି ଧରିଲା ଦି’ହାତେ; କିନ୍ତୁ ଛାଇଟା ତାରି ଆଡ଼କୁ ଆସୁଚି । ଗୋଡ଼ ଥରି ଉଠିଲା ତା’ର ଥର ଥର ହେଇ । ଜୋର୍‌ରେ ପୁଅକୁ ଚାପି ଧରିଲା ସେ ଛାତି ଉପରେ । ଅନ୍ତର ଭିତରେ ଝଡ଼ ବହିଗଲା । ଆଖି ଆଗରେ ନାଚି ଉଠିଲା ଗୋଟାଏ ଭୟଙ୍କର ରୂପ । ମୁଣ୍ଡ ବୁଲେଇ ତଳେ କଚାଡ଼ି ହେଇ ପଡ଼ିଲା ସେ ।

 

ଛାଇଟା ପାଖକୁ ଧାଇଁ ଆସିଲା । ଦି’ହାତରେ ରାଧିର ମୁଣ୍ଡ ତୋଳି ଧରି କହିଲା,–କିଏ, କିଏ ତୁ ମା ! ମତେ ଭୟ କରନା । ମୁଁ ଏଇ ଗାଁର ରସିକ ଜେନା । କଲିକତାରୁ ଫେରୁଚି ।

 

ଆକାଶରେ ଦଶମୀ ଚାନ୍ଦ ମେଘ ଫାଙ୍କରୁ ଉଙ୍କି ମାରି ଚାହିଁଦେଲା । କାଶି କାଶି ବେଦମ ହୋଇ ପଡ଼ିଲା ରସିକା । ଏଁ ଏ ଯେ, ରାଧି ମୁହଁ ପରି ଦିଶୁଚି । ତେବେ କ’ଣ... ? ତେବେ କ’ଣ ଏ ରାଧି? ଏ ପୁଅଟିଏ ଯେ କେଳରେ ! ମଦନ ! ମଦନା ! ଏଇ ଦେଖେ ବାପ ତୋ ପାଇଁ ଖେଳଣା ଆଣିଚି, ମିଠେଇ ଆଣିଚି । ଆଉରି କେତେ କ’ଣ ଆଣିଚିରେ । ଉଠ ବାପ, ମୋ କୋଳକୁ ଆ ! ରାଧି ମୁଁ ଆସିଚି ପରା । ମୋ ଆଡ଼କୁ ଥରେ ଅନା । କ’ଣ ରାଗ କରିଚୁ ମୋ ଉପରେ ରାଧି ? ନେ ବୁଜୁଳାଏ ଟଙ୍କା ଆଣିଚି । ଆଉ ସାଆନ୍ତରା ଟଙ୍କା ରଖିବନି । ସୁଧ, ଅସଲ ଚୁକତ କରିଦେବି । ଉଠ୍‌ ରାଧି ! ଉଠ୍‌ !

 

ହାତ ମାରି ଦେଖିଲା । ସବୁ ହେମାଳ । ପୁଅ ମା’ର ବକ୍ଷରେ ମୁହଁ ଗୁଞ୍ଜି ଆରାମରେ ଶୋଇଯାଇଚି ।

 

ରସିକା ଫେରେ କାଶି ଉଠିଲା । ଖାଲି ମୁଣ୍ଡା ମୁଣ୍ଡା ରକ୍ତ ପଡ଼ୁଚି । କାଶ ଉପରେ କାଶ-। ରସିକା ଆଉ ଦମ୍‌ ନେଇ ପାରିଲା ନାହିଁ ।

 

ସକାଳ ହେଲା । ଗାଁ ମୁଣ୍ଡରେ ସେଇ ଥୁଣ୍ଟା ବରଗଛ ମୂଳରେ ଦେଖାଗଲା ମଦନାର ମୁଣ୍ଡ ବିହୀନ ଗଣ୍ଡିଟା ପଡ଼ିଚି । ଛିଟ କନାର ଜାମା ଦି’ଖଣ୍ଡ ବରଗଛଠୁଁ ଟିକିଏ ଛଡ଼ାରେ ପଡ଼ିଚି । ଆଉ କାହାରି ଚିହ୍ନ ବର୍ଣ୍ଣ ନାହିଁ । ଲୋକେ କହିଲେ ରାଧି ପୁଅର ତଣ୍ଟି ଚିପି ବାବନା ଭୂତ ଲହୁ ପିଇ ଯାଇଚି । ଗଛଟା ଯେମିତି ଥିଲା ସେମିତି ଛିଡ଼ା ହୋଇଚି । ଆଦିମ କାଳର ନିୟମର କିଛି ବ୍ୟତିକ୍ରମ ହୋଇ ନାହିଁ ।

Image

 

ବନ୍ଧନ

 

ଅନ୍ଧକାର....ନିବିଡ଼ ଅନ୍ଧକାର ।

 

କୂଳ କିନାରା କିଛି ଦିଶୁନି । ପୁଅ ରଡ଼ୁଚି ଦାନା ପାଇଁ । ଭାର୍ଯ୍ୟା ଶୋଇଚି ରୋଗ ଶେଯରେ । ପିଆଦା ଦୁଆର ମୁହଁରେ ଡାକୁଚି, ଖଜଣା ଦେଇ ଆସିବୁ ଦୁରୁଗା । ବାରକୁ ବାର ମୁଁ ତୋ ଦୁଆର ମୁହଁକୁ ଦଉଡ଼ି ପାରିବିନି ।

 

ଦୁରୁଗା ହାତ ଯୋଡ଼ିକର ବେଷ୍ଟନୀ ଭିତରେ ମୁଣ୍ଡଟାକୁ ପୂରେଇ ଚିପୁଚି । ଚୂନା ହୋଇ ଯାଆନ୍ତା ଯଦି ମଣିଷ ବଞ୍ଚି ଯାଆନ୍ତା ଦୁର୍ଚ୍ଛନାରୁ । ଯମର ଚମ ଦଉଡ଼ି ପରି ସମସ୍ତେ ଟାଣୁଚନ୍ତି ଚାରିଆଡ଼ୁ । ପଳେ ପଳେ ମାଉଁସ ବାଣ୍ଟ ପଡ଼ିବ ନାହିଁ ।

 

–ମନ୍ଦେ ପାଣି ! ଭାରି ଶୋଷ କରୁଚି ।

 

ଦୁରୁଗା ଅନେଇଲା । ଚମ୍ପାର ସେ ଫୁଟନ୍ତା ଆଭା ମଉଳି ପଡ଼ିଚି । ଚପଳ ହସି ହସି ଲୁଚି ଯାଇଚି । ଅସ୍ଥି ! କେବଳ ଅସ୍ଥିର ସମଷ୍ଟି । କଙ୍କାଳ ମୂର୍ତ୍ତିଟିଏ ପଡ଼ି ରହିଚି ବିଛଣାରେ । ବିଗତ ଜୀବନର ଦିନଗୁଡ଼ିକ ଦୁରୁଗା ମନରେ ମମତା । ଛୁଆଁଇଲା । ଦୁରୁଗା ଉଠିଗଲା ପାଣି ମାଠିଆ ପାଖକୁ ।

 

–ନାଁ...ମର...ମର ସବୁ ଗୋଟି ଗୋଟି ହୋଇ । ଫଟା କପାଳ ସମସ୍ତଙ୍କର । ଫୁଟା ବାଟେ ପାଣି ସବୁ ନିଗିଡ଼ ଯାଇଚି । ଟୋପାଏ ବି ପାଣି ନାହିଁ ।

 

–କିରେ ଦୁରୁଗା ! ଶୁଭୁ ନାହିଁ କିରେ ? ତୋ’ ବାପର ଚାକର ନା ତୋର ମ ? ତୋ’ ଦୁଆର ମୁହଁରେ କେତେ କାଳ ଗୋଡ଼ ଭାଙ୍ଗି ଛିଡ଼ା ହେବି ?

 

ଅସହ୍ୟ ! ଅତି ଅସହ୍ୟ । ଚାରିଆଡ଼ୁ ମୁନିଆ ତୀର ଆସି ଦିହରେ ଭୁକି ଯାଉଚି । ଯନ୍ତ୍ରଣା ସହିବାର ନୁହେଁ । ବରଂ ମରଣ ଶ୍ରେୟ । ଦୁରୁଗା ନଙ୍ଗଳ ଦଉଡ଼ିଟା ଜୁଆଳୀରୁ ଫିଟେଇ ଆଣିଲା । ଏଇ ଶେଷ ଉପାୟ ।

 

ଚମ୍ପା ଥର ଥର ଥରୁଥିଲା । ବିଛଣା ଛାଡ଼ି ଉଠିବାର ବଳ ନାହିଁ । ଦୁରୁଗାର ଏ ଅଶୋଭନ କାଣ୍ଡ ତା’ ଆଖିରେ ନିଆଁ ଜଳେଇ ଦେଲା ।

 

–ଏ କ’ଣ କରୁଚ ? ମଣିଷ ଭାଙ୍ଗିଲେ କ’ଣ ଏଇଆ କରେ ?

 

ଦୁରୁଗା ବାଧା ପାଇଲା । ନଙ୍ଗଳ ଦଉଡ଼ିଟା ଫିଙ୍ଗି ଦେଲା ଚମ୍ପା ଉପରକୁ ।

 

–ତମେ ସବୁ ମରିବାକୁ ବି ଟିକିଏ ଦେବ ନାହିଁ ଆରାମରେ । ଖାଲି ଜଞ୍ଜାଳ । ଖାଲି ହଟହଟା ।

 

ଦୁରୁଗା ବାହାରିଗଲା ଦାଣ୍ଡକୁ । କାଲୁମିଆଁ ଚିତାଏ ଉଞ୍ଚର ଠେଙ୍ଗାଧରି ଦାଢ଼ି ସାଉଁଳଉଚି-

 

–ଆରେ ଜଣକ ଦୁଆରେ ଯଦି ଅଧ ଘଣ୍ଟାଏ କଟେ ତେବେ ମୁଁ କାମ ସାରିବି କୋଉ ପହରକୁ ? ଆଣେ ତ ଆଗ ମୋ ପାଉଣା ଗଣ୍ଡାଟା ।

 

ଦୁରୁଗା କଟମଟ କରି ଅନେଇଲା କାଲୁମିଆଁ ମୁହଁକୁ । ଯେମିତି ସେ ଗୋଟାଛାଏଁ ଜାଳିଦେବ କାଲୁମିଆଁକୁ । ଅନ୍ତରରେ ତା’ର ବହୁଥିଲା ପ୍ରବଳ ଝଡ଼ ବତାସ । ନା...ନା...ସେ ପାରିବ ନାହିଁ । ପାରିବ ନାହିଁ ସେ ଏ ଜଞ୍ଜାଳର ଭାର ବହନ କରି ।

 

–କିରେ ଦୁରୁଗା ମଟ ମଟ କରି ଅନେଇବୁ କ’ଣରେ ? ଦବୁ ନା କ’ଣ ? ପକା ଆଗ ମୋ ପାଉଣା ଗଣ୍ଡାଟା । କାଲୁମିଆଁ ଗର୍ଜି ଉଠିଲା ।

 

ଦୁରୁଗା ତରଳି ପାଣି ହୋଇଗଲା । ଧାରୁଆ ପାଖରେ ମୁଣ୍ଡ ନୋଇଁବାକୁ ପଡ଼ିଥାଏ ।

 

–କ’ଣ କରିବି କାଲୁଭାଇ, ହାତ ବଡ଼ ଟାଣ ପଡ଼ିଯାଇଚି । ଘରେ ପୁଅ ମାଇପ ବେମାର-। ଏଣେ ଖଟିବାକୁ ମଜୁରୀ ମିଳୁନାହିଁ । ଏମିତି ଅସହଣ ବଖତରେ...

 

କାଲୁମିଆଁ ହସିଲା । ହସରେ ମିଶିଥିଲା ହଳାହଳ । ଏଇମିତି କଥା ଶୁଣି ଶୁଣି ତା’ କାନ ଗୋଦର ହେଇ ଯାଇଚି । ପଥର ଚିପୁଡ଼ି ପାଣି ନିଗାଡ଼ି ଜାଣେ ସେ ।

 

–ଆରେ ଅସହଣ ସହଣରେ ମୋର କି ଯାଏ ଆସେ । ଖଜଣା ନ’ଦେବୁ ତହସିଲଦାର ଜାଣେ ତୁ ଜାଣୁ । ମୋ ହକ ଗଣ୍ଡାଟା ପାଇଲେ ମୁଁ ସିଧା ରାସ୍ତା ଧରିବି ।

 

ଦୁରୁଗା ନେହୁରା ହେଲା ।

 

–ଚାଲେ ଭାଇ, ମୁଁ ଯୋଗାଡ଼ କରି ଦେଇ ଆସୁଚି । ସମସ୍ତଙ୍କର କଳ ଅକଳ ମୋତେ ର୍‌ଫେ ।

 

ଦୁରୁଗା ଆଖିରେ ଲୁହ ଜକେଇ ଆସିଲା । କାଲୁମିଆଁର ମଣିଷ ପଣିଆ ଚେଇଁ ଉଠିଲା ଦଣ୍ଡକ ପାଇଁ । ସେ ଆଗେଇ ଗଲା ଅପର ଦୁଆରକୁ ।

 

ମୁଣ୍ଡ ଉପରେ ତାତିଲା ସୂର୍ଯ୍ୟ ନିଆଁ ବିଞ୍ଚୁଚି । ଦୁରୁଗା ହାଡ଼େ ହାଡ଼େ ଠିକୁଚି ଗୋଟା ଗୋଟା କଣିକା ।

 

ପୁଅ ରଡ଼ୁଚି ଦାନା ପାଇଁ ।

 

ଭାର୍ଯ୍ୟା ଶୋଇଚି ରୋଗ ଶେଯରେ ।

 

ଚାଉଳ କଣ୍ଟରେ ଖୁଦ ନାଇଁ ।

 

ଆଃ...ଅସହଣ କଷଣ ।

 

ଦୁରୁଗା ଆଖି ଆଗରେ ନିଆଁ ଝଲକ ।

 

–ଦୁରୁଗା !

 

ପଛକୁ ଅନେଇଲା । ମଧୁ ସୁବୁଦ୍ଧି । ଶିରା ଉପଶିରାରେ ନିଆଁ ଚରିଗଲା ଦୁରୁଗାର । ମୁଣ୍ଡ ଚାପିଧରି ବସି ପଡ଼ିଲା ସେଇ ତାତିଲା ଚଲା ପଥରେ ।

 

ମଧୁ ସୁବୁଦ୍ଧିଙ୍କ ଆଖି ନିଆଁ ପରି ଜଳୁଚି । ଦୁରୁଗା ଅନେଇ ପାରିଲା ନାହିଁ ସେ ବାଘ ପରି ଶିକାରୀ ଆଖି ଦି’ଟାକୁ ।

 

ତା’ ହେଲେ ଶେଷ ଉପାୟ କରୁଚି ଦୁରୁଗା । ନାଲିସ୍‌ କରିବା ଛଡ଼ା ଅନ୍ୟ ବାଟ ନାହିଁ ଆଉ । କୋରଖ ନାଗରା ଶୁଣି ନ ଚମକୁ ଯେମିତି ।

 

କାନ ଯାବୁଡ଼ି ଧରିଲା ଦୁରୁଗା । ପହଡ଼କ ପରେ ଡରି ଡରି ଆଖି ଫେଡ଼ି ଅନେଇଲା । ମଧୁ ସୁବୁଦ୍ଧି ଚାଲିଯିବକି ନାହିଁ ।

 

ଆଗରେ ନାଚୁଛି ବ୍ରାହ୍ମଣୀ ନଦୀ । ଭରା ଜୁଆର । ମତ୍ତ ଗର୍ବରେ ଛାତି ଫୁଲେଇ ବହି ଯାଉଚି । ରୋଗ, ଶୋକ, କ୍ଷୁଧା କାହାରିକି ତା’ର ଖାତିରି ନାହିଁ ।

 

ଦୁରୁଗା ପାଦ ଅଟକି ଗଲା ସେଇଠି । ନିଆଁ ଚରା ଜୀବନଟାକୁ ବ୍ରହ୍ମଣୀ ହାତରେ ସଁପି ଦେଲେ ସବୁ ଶୀତଳ ହୋଇଯିବ । ଅନ୍ୟ ପନ୍ଥା ନାହିଁ ।

 

ନଈକୂଳ ଗଛରେ କାପ୍ତା-କାପ୍ତି ଯୋଡ଼ିଏ ବସିଚନ୍ତି । ଲଗାଲଗି ହେଇ । କାପ୍ତା ସ୍ନେହରେ ଚଞ୍ଚୁ ବୁଲେଇ ଆଣୁଚି କାପ୍ତିଠୁଁ । ଛୁଆଟିଏ ଖଣ୍ଡିଉଡ଼ା ଦେଇ ଆସି ବସିଲା ଦିହିଙ୍କ ପାଖରେ । ଦିହେଁ ନିଜ ଆମୋଦ ପାଶୋରି ପକେଇ ସ୍ନେହରେ ଛୁଆଟିକୁ ଆଦର କଲେ ଆନନ୍ଦରେ-। ସେଇଠି ତାଙ୍କ ଜୀବନର ସାର୍ଥକତା ।

 

ଦୁରୁଗା ଆଉ ଅନେଇ ପାରିଲା ନାହିଁ । ଆଖି ଆଗରେ ଝଲସି ଉଠିଲା

 

–ଭାର୍ଯ୍ୟା ରୋଗ ଶେଯରେ ।

 

ପୁଅ ରଡ଼ୁଚି ଦାନା ପାଇଁ ।

 

ଦିହରୁ ନିଆଁ ଲିଭିଗଲା ଥପ୍‌ କରି । ଧାଇଁଲା ଅଣନିଶ୍ୱାସୀ ହେଇ ସେ ।

 

–ମୁନ୍ଦେ ପାଣି ।

 

ଚମ୍ପାର ସେଇ କରୁଣ ନିବେଦନ ।

 

–ଗଣ୍ଡେ ମୁଢ଼ି ।

 

ପୁଅର ସେଇ ଆକୁଳ ଚିତ୍କାର ।

 

ଦୁହିଁଙ୍କି ଅନେଇଲା । ଦୁହିଙ୍କଠିଁ ଚହଲୁଚି ତା’ ରକ୍ତର କଣିକା । ଫୁଟା ମାଠିଆଟାରେ ସୋଲ ବିଣ୍ଡା ମାରି ଦୌଡ଼ିଲା ପାଣି ପାଇଁ । ଲେଉଟାଣି ବାଟରେ ମୁଢ଼ି କୁଞ୍ଚାଏ ଆଣିବ ଯେମିତି ହେଉ ସେମିତି ।

 

ସେଇମାନେ ତା’ର ଜଞ୍ଜାଳ, ପୁଣି ସେଇମାନେ ତା’ ଜୀବନ ମରୁର ମେଘ ବିନ୍ଦୁ ।

Image

 

ଜୀବନ ଚକ ଚଳେ

 

ତରୁଣ ଅରୁଣର କିରଣ–ତାଳ ସଜ ପରି କଅଁଳ ଛନ୍‌ ଛନ୍‌, ଶୀତ ଦିନେ ଦିହରେ ଚନ୍ଦନ ବୋଳିଲା ପରି ଲାଗେ । ମୁଁ ବସେ । ସାଙ୍ଗ ଫାଙ୍ଗ, ଅଡ଼ିଶା ପଡ଼ିଶା ପାଞ୍ଚ ଜଣ ବସନ୍ତି । ଦିହ ତାଜା ହେଲେ ଯିଏ ଯୁଆଡ଼େ ଆପଣା ବେଉସାରେ ବାହାରି ଯାଆନ୍ତି ।

 

ଏମିତି କଟେ । ଠିକ୍‌ ଏମିତି । ଟିକିଏ ଅଦଳ ବଦଳ କି ରେଫେ ହଲଚଲ ନ ଥାଏ ଏଥିରେ । ମଣିଷ ଜୀବନର ନିଗୁଢ଼ ତତ୍ତ୍ୱ ମୁଁ ପଦାକୁ ଓଟାରି ଆଣି ନ ପାରିଲେ ବି ବୁଝେ । ମଣିଷ କେବଳ ଗୋଟାଏ ଅଲଗା ଅଲଗା ପିଣ୍ଡ ହେଲେ ବି, ମଣିଷ ଭିତରେ ଯେଉଁ ଜୀବନୀ ଶକ୍ତି ଅଛି ସେ ସଭିଙ୍କର ଏକ । ଯେହେତୁ ଜଣକୁ ଶୀତ କଲେ ଅପରର ଦିହ କମ୍ପେ । ଜଣକ ଦିହରେ ଟାଉଁସିଆ ଖରା ଭେଦିଲେ ଅପର ଦିହରେ ଭେଦେ ।

 

ମୁଁ ଏଇ କଥା ପଞ୍ଚୁଆକୁ କେତେ ଥର ବୁଝେଇଚି; ହେଲେ ସେ ମୋଟେ ମୋ କଥା ମାନେନା । ସେ ସବୁଥର ମତେ କହେ, ତା ଯଦି ହେଇ ଥାଆନ୍ତା, ଜଣକର ପେଟ ଜଳିଗଲେ ଅଲବତ୍‌ ଆଉ ଜଣକର ଜଳି ଯାଆନ୍ତା ।

 

ମୁଁ ତା’ କଥା କାଟି ତାକୁ ବାଟକୁ ଅଣେଇବାକୁ କହେ, ତୁ ମୋ କଥା ବୁଝିପାରୁନୁ ପଞ୍ଚୁ । ସେ ହେଲା ଅଲଗା କଥା । ମଣିଷ ଶରୀର ଆଉ ଆତ୍ମା, ଏ ଦି’ଟା ଅଲଗା ଚିଜ । ଏଇ ଦେଖୁନଉଁ ଆମ ଗଁ ବିଶି ମହାରଣା କାଦୁଅରେ ରୂପ ଗଢ଼େ । ତା’ରି ହାତର ଚାତୁରୀରେ କିଏ ହୁଏ ନର, ପୁଣି କିଏ ହୁଏ ନାରୀ । ଫେର୍‌ ତା’ର ରଙ୍ଗେଇବା କୌଶଳରେ କା’ମୂଲ ହୁଏ ପାଞ୍ଚ ଟଙ୍କା କାହାର ହୁଏ ସାତ ଟଙ୍କା; କିନ୍ତୁ ଏ କଥା ତୁ’ ଜାଣୁ ତ ସେଇ ମାଟିରୁ ଭଲ ମନ୍ଦ ସେ ତିଆରି କରେ କାମ ବେଶୀ ଦାମ୍‌ର ମୂର୍ତ୍ତି ।

 

ସେ ମୋ କଥା ପ୍ରତିବାଦ କରେ । କହେ, ବେଶ୍‌ ତୋ’ରି କଥା ହେଲା । ଯଦି ଦି’ଟା ଯାକ ମୂର୍ତ୍ତି ମାଟିରେ ଗଢ଼ାହେଲା, ତେବେ ଭଲଟି ସାତ ଟଙ୍କା ମନ୍ଦଟି କାହିଁକି ପାଞ୍ଚ ଟଙ୍କାରେ ବିକିବ-? ତୁ ତା’ ପସନ୍ଦ କଲେ ବି ମୁଁ ତୋ କଥା ମାନିବିନି । ମୁଁ କହିବି ଦୁଇଟି ଯାକ ଯଦି ମାଟିର ଚିଜ, ତେବେ ଭଲ ହେଉ ବା ମନ୍ଦ ହେଉ ମୂଳ ସମାନ ହେବା ଦରକାର । ସେମିତି ତୁ ଯା’ କହୁଚୁ ସବୁ ମଣିଷର ଆତ୍ମା ଗୋଟାଏ ତେବେ ସବୁ ମଣିଷର ଚାଲି ଚଳଣ, ଢଙ୍ଗ ରଙ୍ଗ ଗୋଟାଏ ଢାଞ୍ଚାର ହେବା ଦରକାର ।

 

ମୁଁ ତାକୁ ଅଧିକ କିଛି କହି ପାରେ ନା । ତା’ ଆଖିରେ ମଣିଷର ସ୍ତର ଦୁଇଟା । ଗୋଟାଏ ଧନୀ, ମାନୀ ଆଉ ଗୋଟାଏ ନିର୍ଦ୍ଧନୀ, ଅବମାନୀ । ଆଉ ସେଇ ଶେଷ ସ୍ତରର ମଣିଷ ପଞ୍ଚୁ, ମିଛୁ ଆଦି ଯେତେ ସବୁ ପେଟ ବିକଳିଆ ।

 

ସେଦିନ ତରୁଣ ଅରୁଣ ମଧ୍ୟମ ଅବସ୍ଥାରେ ପହଞ୍ଚି ଥିଲେ ବି ପଞ୍ଚୁ ସେମିତି ସେଇ ଟାଣୁଆ ତାପ ତଳେ ବସି ଦିହରୁ ଝାଳ ବୁହାଉଥିଲା । ମୁଁ ପାଇଟିରୁ ଫେରି ଦେଖିଲି ତପୀଟି ଭଳି ବସିଚି ପଞ୍ଚୁଆ । ପଚାରିଲି,

 

–କିରେ, କଥା କ’ଣ ? ଆଜି କ’ଣ କାମ ଦାମ କିଛି ହେଇନି କିରେ ?

 

–ପଞ୍ଚୁଆ ଚାହିଁଲା ମତେ । ସେ ଯେମିତି ତା’ ଚେତନା ଶକ୍ତି ହରେଇ ବସିଥିଲା ସେଠି । ଉତ୍ତର ଦେଲା ମୋ କଥାର,

 

–ମିଛ, ତୋ କଥାଗୁଡ଼ା ସବୁ ମିଛ, ବାଜେ । ସବୁ ମଣିଷଙ୍କର ଆତ୍ମା ଗୋଟାଏ ହୋଇ ନ ପାରେ ।

 

ମୁଁ ତା’ କଥାକୁ କାଟିଲି ନାହିଁ । କହିଲି,

 

–ମିଛ, ହେଲା ହେଲା । ତା’ ବୋଲି ତୁ ଗାଧୁଆ ପାଧୁଆ ସବୁ ଭୁଲିଯିବୁ ନା କ’ଣ ? ସେ ଉଠିଲା ନାହିଁ । କହିଲା,

 

–ୟାର ଗୋଟାଏ ଫଏସଲା ତତେ କରିବାକୁ ହେବ ।

 

ଅଧା ସରଗରେ ଛଞ୍ଚାଣଟାଏ ପାରାଟାକୁ ଝାମ୍ପି ମାରୁଥିଲା । ମୁଁ ଦେଖି ମଉନ ରହିଲି । ପଞ୍ଚୁଆ ଆଖି ସେଠି ପଡ଼ିଲା । ସେ ପୁଣି କହିଲା,

 

–ଦେଖେ, ଦେଖେରେ ନି ! ବଳୁଆ ଉପରେ କିମିତି ସବଳିଆର ଚୋପ ।

 

ମୋ ଝିଅ ଆସି ସରାଗରେ ମୋ କୋଳକୁ ଡେଇଁ ପଡ଼ି କହିଲା,

 

–ବା’ ଲୋ ପିଆଦା ଆସିଥେଲା । କହିଚି ଖରାବେଳକୁ ଖଜଣା ନେଇ ଦେଇ ଆସିବୁ ।

 

ମୋ ମନ ନରମି ଗଲା । ପଞ୍ଚଗ୍ରହ ଭିତରୁ ପିଆଦା ଗୋଟାଏ । ସୁଲୁକା ପବନରେ ଗଛର ସରୁଡ଼ାଳ ସବୁ ନହକି ଆସିଲା । ତଳସାହୀ ମଦନା ଧାନ ଭାରଟାକୁ ଗଛମୂଳେ ଥୋଇ ଦେଇ ଝାଳ ମାରିବା ପାଇଁ ଗାମୁଛା କାନିରେ ବିଞ୍ଚିହେଲା । ପୁଞ୍ଚୁଆ ପଚାରିଲା,

 

–କିରେ ମଦନା, ତୋ ଖାମିଦ କାହାନ୍ତି କିରେ ?

 

ମଦନା କଥା କହିବାକୁ ବଳ ସଂଗ୍ରହ କରି କହିଲା,

 

–ସେ ତ କଅଁଳ ଗାଧୁଆ ବେଳୁ ପଳେଇ ଆସିଲେଣି । ପଞ୍ଚୁଆ ମତେ ଖୁଞ୍ଚା ଦେଇ କହିଲା,

 

–ଦେଖିଲୁ ? ଏକ ଆତ୍ମା ପରା ! ଖାମିଦଙ୍କ ଆତ୍ମାରେ ଯଦି ତାପ ହଜମ ନହେଲା, ମଦନା ଆତ୍ମା ତାକୁ ହଜମ କରିପାରିଲା କେମିତି ? ମୋର ସେଆଡ଼େ କାନ ନ ଥିଲା । ମୁଁ ଭାବୁଥିଲି ପିଆଦା କଥା । ଖଜଣା ଯୋଗାଡ଼ କରି ଯିମିତି ଇଚ୍ଛା ସିମିତି ଦେଇ ଆସିବାକୁ ହେବ । କେଜାଣି ଆଠ ଦଶ ଥର ପିଆଦା ଆସି ଫେରି ଗଲାଣି; କିନ୍ତୁ ଏତେ ଅଳ୍ପ ସମୟ ଭିତରେ କେଉଁଠୁଁ ଯୋଗାଡ଼ କରି ହେବ ତିନିଟଙ୍କା ଆଠଅଣା ? ପଞ୍ଚୁଆ ମୋତେ ହଲାଇ ଦେଇ କହିଲା,

 

–କିରେ, ପାଟିରୁ ତ ଆଉ କଥା ବାହାରୁ ନାହିଁ ? ଘଡ଼ିକ ଆଗରୁ ତ ପଣ୍ଡିତ ସାଜୁଥିଲୁ ? ଝିଅ ମୋ ରୁକ୍ଷ ମୁଁହଟାରେ ହାତ ବୁଲାଇ ଗେହ୍ଲା ସ୍ୱରରେ କହିଲା,

 

–ବା’ ଲୋ । ବୋଉ ଏତେବେଳ ଯାଏ କିଛି ଖାଇ ନାହିଁ । ଜମାରୁ ଅଧକୁଞ୍ଚା ହେବ ଚାଉଳ ଥିଲା, ତୋ’ ପାଇଁ ରାନ୍ଧିଚି । କାହିଁକି ଭାରି କାନ୍ଦୁଥିଲା । ତୁ ଚାଲେ ତାକୁ ଖୋଇବୁ ।

 

ମୁଁ ଝିଅକୁ ଆଶ୍ୱାସନା ଦେଲି । ଗେହ୍ଲା ଝିଅଟି ସେ ମୋର, ଅନଭିଜ୍ଞ ଶିଶୁ । ସେ କାହୁଁ ଜାଣନ୍ତା ଦୁନିଆର ଜଟିଳତା ।

 

ସେତିକିବେଳେ ପିଆଦା ଆସି ପହଞ୍ଚିଲା । ଚିହିଙ୍କି ପଡ଼ିଲି । ସେ କହିଲା,

 

–ଆଜି ଖଜଣା ଦେଇ ଆସିବ । ତହସିଲଦାର କହିଛନ୍ତି । ଆଉ ଡେରି ସେ ସହି ପାରିବେ ନାହିଁ ।

 

ପଞ୍ଚୁଆ ହସି ଉଠିଲା ।

 

–କିରେ, ମଣିଷର ଗୋଟାଏ ଆତ୍ମା, ନା ? ତୋ’ ଆତ୍ମା ଆଉ ତହସିଲଦାରଙ୍କ ଆତ୍ମା ଯଦି ଗୋଟାଏ ହେଇଥାନ୍ତା ତା’ ହେଲେ ସେ କ’ଣ ତୋ ଅଭାବ ଅନୁଭବ କରନ୍ତେ ନାହିଁ ? ଇରେ ଖାଲି କୁହୁକରେ କୁହୁକ । ସବୁ ଖାଲି ଭୋଜବାଦୀ । ସମସ୍ତେ ନିଜ ନିଜ ତାଳରେ ତାଳେଇଛନ୍ତି । ଖାଲି ସୁବିଧା ପାଇଲେ ଏମିତି ଖାଞ୍ଚେ ଖାଞ୍ଚେ ମାରିବେ ଯେ ତମେ ବେଦମ ହେଇଯିବ ।

 

ମଦନା ଗାମୁଛାଟା ଅଣ୍ଟାରେ ଗୁଡ଼େଇ ପୁଣି ଧାନ ଭାର କାନ୍ଧକୁ ଉଠେଇଲା,

 

–ଯାଉଚି ପଞ୍ଚୁଭାଇ, ଖାମିଦ ତେଣେ ବେଦୁଲୁ ହେଉଥିବେ ।

 

ସେ ଆଡ଼ୁ ଗାଁ ମହାଜନ ରଥ ତିଆଡ଼ୀ ମୁରୁକି ହସି ଆସି ପହଞ୍ଚିଲେ ।

 

–କିରେ ପଞ୍ଚୁଆ, କି ହୋ ଜେନାପୁଅ, କ’ଣ ହେଉଚିକି ଏଠି ?

 

ମୁଁ ସୁଖ ସ୍ୱପ୍ନରୁ ଜାଗି ଉଠିଲି ଯେମିତି । ଝିଅକୁ କୋଳରୁ ତଳକୁ ଓହ୍ଲେଇ ପକେଇ କହିଲି,

 

–ହଁ ତିଆଡ଼ୀଏ, ତମଠି ଗୋଟାଏ କଥା ଥିଲା, ରଖିବ ଯଦି କହିବି ।

 

ତିଆଡ଼ୀ ମୁହଁରେ କୁଟିଳ ହସ ଖଣ୍ଡେ ଚହଟେଇ କହିଲେ,

 

–ଆରେ କହ ରଖିଲା କଥା ହେଇଥିଲେ ଅଲବତ୍‌ ରଖିବି ।

 

–ଟଙ୍କା ପାଞ୍ଚୁଟା ନିହାତି ଦରକାର ।

 

–ଦଶ ଟଙ୍କାର ବନ୍ଧକ ଦେଇ ପାରିବୁ ?

 

ବଲ ବଲ କରି ଅନେଇ ରହିଲି ତିଆଡ଼ୀଙ୍କ ମୁହଁକୁ । ତିଆଡ଼ୀ ତାଙ୍କ ବିଶାଳ ବପୁଟିକୁ ଦୋହଲେଇ ଦୋହଲେଇ ଆଗକୁ ବଢ଼ିଲେ ମୋ ଠାରୁ କିଛି ଉତ୍ତର ନ ପାଇ । ପଞ୍ଚୁ ଆହୁରି ଜୋର୍‌ରେ ହସି ଉଠିଲା,

 

–ମଣିଷର ଏକା ଆତ୍ମା, ନାଁରେ ? ରଥ ତିଆଡ଼ୀ ତ ମଣିଷ । ତୋ’ ଦୁଃଖରେ ସେ ତ କାହିଁ ଦୁଃଖୀ ହେଲେ ନାହିଁ ।

 

ମୋର ଉତ୍ତର ଦେବାର କିଛି ନ ଥିଲା । ମୁଁ ଅସହାୟଙ୍କ ଭଳି ପଞ୍ଚୁଆ ମୁହଁକୁ ଅନେଇ ରହିଲି । ସେ ହସୁଥିଲା । ଆଉ କହୁଥିଲା, ଏ ଆତ୍ମା ସେ ଆତ୍ମା ସମାନ ନୁହେଁରେ, ହେଇ ପାରିବନି-

Image

 

ଅନାବନା

 

ଶ୍ରାବଣର ଏକ ବର୍ଷଣ ସନ୍ଧ୍ୟା । ମୁଁ ବସିଥିଲି ଆମ ଝରକାଟା ମେଲାକରି । ଦାଣ୍ଡରେ ବହିଯାଉଥିଲା ପାଣି ସୁଅ । ଗଛ ପତ୍ରର ଟିପି ଟିପି ସ୍ୱନ, ମୋ କାନ ପାଖରେ ଗାଉଥିଲା ଏକ ଅବୁଝା ସଙ୍ଗୀତ । ମୁଁ ମୁଗ୍‌ଧ ହେଇ ଯାଇଥିଲି ପ୍ରକୃତର ଏଇ କ୍ଷଣକର ଉନ୍ମେଷରେ । ହଁ ମୁଗ୍‌ଧ ହେଇ ଯାଇଥିଲି ମୁଁ । ଭୁଲି ଯାଇଥିଲି ମୋର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ । ସ୍ଥିତି ଓ ଅବସ୍ଥିତି ।

 

ଟୁନା ଗୋଟାଏ ବେଙ୍ଗ ମୁଣ୍ଡରେ ସିନ୍ଦୂର ବୋଳି ଦାଣ୍ଡଟାରେ ନାଚୁଥିଲା । ଗୁଲ୍ଲୁରୁ ଗୁଲ୍ଲୁରୁ ଭାଷାରେ କହୁଥିଲା, ‘ବେଙ୍ଗ ମୁନ୍ଦେଲେ ଛୁନ୍ଦଲ, ଗାଲି ପକା ଇନ୍ଦଲ’ । କାଲିର ଶିଶୁ ସେ, ଦିନ କେଇଟା ହେବ ଆସିଚି ଏ ଜଗତକୁ । ସରଳ, ତରଳ ଆଉ ଢଳଢଳ । ପାଣି ଫୋଟକା ପରି ସ୍ୱଚ୍ଛ ଆଉ ନିର୍ମଳ । ପ୍ରକୃତିର ଅକଳନ୍ତ ସମ୍ପଦ ଭିତରୁ ସେ ହୁଏତ ଗୋଟିଏ ।

 

ସୁଜାତା ଘର ଭିତରୁ ଡାକିଲା–ଶୁଭୁଚି ! ଇଆଡ଼େ ଟିକିଏ ଆସିଲ । ବର୍ଷଣ ପାଣିରେ ଘର ଭାସିଲାଣି । ତମେ ସେଇଠି ଚୁପ୍‌ ହେଇ ବସିଚ ।

 

ମୁଁ ଶୁଣିଲି, ପୁଣି ଶୁଣିଲି ନାହିଁ । ଶୁଣିବାରେ ଲାଭ ନ ଥିଲା କିଛି । କାରଣ ପ୍ରତିକାର କରିବାର ସାମର୍ଥ୍ୟ ମୋର ନ ଥିଲା । ମୁଁ ଅନେଇ ଥିଲି ବର୍ଷା ପିଚ୍ଛିଳ ଚଲା ପଥକୁ । ଚଲା ସ୍ରୋତର କାଠି କୁଟାକୁ । କେହି ଅଟକି ରହୁନାହାନ୍ତି ଦଣ୍ଡେ ନିମିଷେକ ପାଇଁ ବି ।

 

ହେଲେ ତ୍ରାହି ନାହିଁ । ଡାକ ଉପରେ ଡାକ ମୁଁ ଆଉ ଏତେ ପାଣି ବୋହି ପାରିବି ନାହିଁ ଘର ଭିତରୁ । ଅଣ୍ଟା ପିଠି ସବୁ ଦରଜ ହେଇଗଲାଣି, ଆସ ଟିକିଏ ଆ’ଡ଼େ ।

 

ହସ ମାଡ଼ିଲାମ ଭାରି ଅବୁଝକ ସୁଜାତା । ଯେତେ ବୁଝେଇଲେ କିଛି ବୁଝିବ ନାହିଁ । ଦଦରା ହାଣ୍ଡିକୁ ତଳି ହାତିଆ କରି ଆଉ କେତେ ଦିନ ଚଳେଇ ହେବ । ନାଁ ତା’ର ଜିଦ୍‌, ସେ ସବୁ ପାରିବ କେବଳ ମୋରି ସହଯୋଗ ପାଇଲେ । ସ୍ତ୍ରୀ ହିସାବରେ ମୋ ସହଯୋଗ ତା’ର ଦାବୀ କରିବାର ଅଛି । ତଥାପି ମୁଁ ପଛଘୁଞ୍ଚା ଦିଏ, କିନ୍ତୁ ଛାଡ଼େନା ସିଏ । ଏଇ ଦୁଃଖ କ୍ଳେଶମୟ ଦୁନିଆରେ ନୀଡ଼ ରଚନାର ବାସନା ତା’ର ପ୍ରବଳ । ତା’ର ଏଇ ଆଶାକୁ ଆଉରି ପ୍ରବଳତର କରି ଦେଇଚି ଟୁନା, ସେ ଆମ ତେଲ ଲୁଣ ସଂସାରରେ ଆଉ ଏକ ନୂଆ ଅତିଥି !

 

ଟୁନା ବେଙ୍ଗଟାକୁ ଛାଡ଼ି ଦେଲାଣି କେତେବେଳୁ । ପିଣ୍ଡା ଉପରେ କାଗଜ ଡଙ୍ଗାଟିଏ ଲେଖା ଭସାଉଚି ସୁଅ ମୁହଁରେ । ପ୍ରକୃତି ସାଙ୍ଗରେ ତା’ର ଖେଳଘର । ସାଙ୍ଗ ସାଥୀରେ ଲୋଡ଼ା ନାହିଁ । ସ୍ନେହ ସୋହାଗ ସେ ଖୋଜୁନି କାହାର । ନିଜେ ହସୁଚି, ଜଗତକୁ ହସାଉଚି । ନିଜେ କାନ୍ଦିଲେ ଜଗତକୁ କନ୍ଦେଇ ପାରିବ କି ନାହିଁ ସେଇଆ ଭାବିବାର କଥା ।

 

ହଁ ଭାବିବାର କଥା ସବୁ । ଚାଉଳ କେଉଁଠୁ ଆସିବ, ତେଲ, ଲୁଣ ଆସିବ କୁଆଡ଼ୁ ? ଜୀଇ ବଞ୍ଚି ରହିବା କେମିତି । ଏଗୁଡ଼ିକ ସବୁ ଭାବିବାର କଥା । ଦିନ ରାତି ଭାବ ନାହିଁ ସାର ହେଉଚି-। କାହିଁର ଗୋଟାଏ ସମାଧାନ ହେଇ ପାରୁନାହିଁ । ପାରିବକି ନାହିଁ ତା’ ମଧ୍ୟ ଭାବିବାର କଥା ।

 

ଏଥର ସୁଜାତା ନିଜେ ଉଠି ଆସିଲା । ସେ ମୋର ସ୍ତ୍ରୀ ସହଧର୍ମିଣୀ ସହକର୍ମିଣୀ ସବୁ । ପୁଣି କିଛି ନୁହେଁ । ମୁଁ ତାକୁ ଯାହା ଦିଏ, ତା’ ପ୍ରତିଦାନରେ ସେ ହୁଏତ ମତେ ଭଲପାଇଚି । ମୋର ହେଇ ରହିଚି । ମୋ ପାଇଁ କରୁଚି । ମୁଁ ଯଦି ତାକୁ ତାର ପ୍ରାପ୍ୟ ନ’ଦେବି, ସେ ହୁଏତ ସବୁ ପଦରୁ ଇସ୍ତଫା ଦେଇ ମୋ ପାଖରୁ ଦୂରେଇ ରହିବ । ଘୁଞ୍ଚି ଯିବ ଆଉରି ଦୂରକୁ ।

 

ମୁଁ ଅନେଇଥିଲି ସୁଜାତା ମୁହଁକୁ । ସେ ଅନେଇଥିଲା ମୋ ମୁହଁକୁ । କାହାରି ତୁଣ୍ଡରେ ଭାଷା ନ ଥିଲା । କେବଳ ଆଖି ଚାରୋଟି କଥାବାର୍ତ୍ତା ହେଉଥିଲେ କେଉଁ ଏକ ସାଙ୍କେତିକ ଭାଷାରେ । ସେଇଥିରୁ ହୁଏତ ସେ ବୁଝିପାରିଲା ମୋ ମନର ଦରଜ । ତୁଣ୍ଡ ଖୋଲି କହିପାରିଲା ନାହିଁ ପଦଟିଏ ବି । ଘୁଞ୍ଚି ଆସିଲା ମୋର ଆଉରି ପାଖକୁ । ମୁଁ ବି ତାକୁ ଆଉଜେଇ ଆଣିଲି ଛାତି ଉପରକୁ । ଦାଣ୍ଡରେ ବିଜୁଳି ମାରୁଥିଲା । ପାଣି ଛାଟୁଥିଲା । ଟୁନା ନାଚୁଥିଲା ଥେଇ ଥେଇ ହେଇ । କାଗଜ ଡଙ୍ଗାଟି ତା’ର ଏଥର ଭାସି ଯାଉଚି ଦୂରକୁ ଦୂରକୁ । ହୁଏତ ବହୁ ଚେଷ୍ଟା ପରେ ସଫଳତା ଅର୍ଜନ କରିଚି ସେ । ଖୁସି ହେଉଥିଲା ତା’ର ସାଫଲ୍ୟ ପାଇଁ ।

 

ସୁଜାତା କିନ୍ତୁ ମୋ ସାଫଲ୍ୟର ସମର୍ଥନ କରିପାରୁ ନ ଥିଲା । ତା’ ମନର ଚାହିଦା ମୁଁ ମେଣ୍ଟେଇ ପାରୁ ନଥିଲି । ସହଯୋଗ କରି ପାରୁନଥିଲି ତା’ ତେଲ ଲୁଣ ସଂସାରକୁ ପୂର୍ଣ୍ଣ ପ୍ରାଣରେ-। ସେଇଥିପାଇଁ...

 

ହଁ ସେଇଥିପାଇଁ ସୁଜାତା ଘୁଞ୍ଚି ଯାଉଥିଲା ଦୂରକୁ । ଧୀରେ ଧୀରେ ମୁହଁରେ ତା’ର ହସ ନ ଥିଲା । ମୁଁ ହସ ଫୁଟେଇବାକୁ ଚେଷ୍ଟାକରି ବିଫଳ ହେଇଥିଲି । ସେ ପୁଣି ଯାଇ ଲାଗିଗଲା ଆପଣା କାମରେ । ମୋ ସହଯୋଗ ଆଉ ଲୋଡ଼ିନି କେଜାଣି କାହିଁକି ।

 

ଦୟାହେଲା, ମାୟାବି ଲାଗିଲା ପ୍ରାଣରେ । ସୁଜାତା ମୋ ସ୍ତ୍ରୀ । ଜୀବନ ମରଣର ସାଥୀ-। ମୋର ତା’ଠାରେ ଯେତିକି ଦାବୀ, ତା’ର ବି ମୋଠାରେ ଠିକ୍‌ ସେତିକି । ପଥର ହେଇ ବସି ପାରିଲିନି ଆଉ । ପ୍ରକୃତିର ମନ ଭୁଲା ଛବି ଆଉ ଭୁଲେଇ ପାରିଲାନି ମୋ ମନକୁ । ଡାକିଲି ସୁଜାତାକୁ । ପାଖକୁ ଆସିବା ପାଇଁ ।

 

ମୁଁ ଡାକିଲି ଆଉରି ଥରେ, ଦି ଥର; ସେ ଆସିଲା । ମୁଖ ଭଙ୍ଗି ଠିକ୍‌ ଆଗ ପରି ଅବଦଳ ରହିଚି । ସେଇ ଚିନ୍ତା ସେଇ ଦୁଃଖର ରେଖା କୁଞ୍ଚନ କପାଳରେ । ଦେହର ଲୁଗାଟା ତିନ୍ତି ଯାଇଚି ଏଥର । ମୁଣ୍ଡ ବାଳ କେରାକ ଅସଂଯତ । ସେ ବି ଓଦା ଓଦା । ପାଣି ଥୋପୁଚି ସେଥିରୁ ।

 

ଆଜି ଏ କି ବେଶ ସୁଜାତା ? ପଚାରିଲି । ସେ କ’ଣ କହିବା କହିବା ହେଉଥିଲା ପୁଣି କହିଲା ନାହିଁ । କାହିଁକି କେଜାଣି । ବଦଳରେ ଦେଖିଲି ଆଖି କୋଣରେ ଲୁହ ଦି’ ଟୋପା ।

 

ସହି ପାରିଲି ନାହିଁ । ଯେତେ ହେଲେ ବି ସେ ମୋର ସ୍ତ୍ରୀ । ରକ୍ତର ସମ୍ବନ୍ଧ ଜମିଗଲାଣି ତା’ ମୋ ଭିତରେ । ପିନ୍ଧା କାନିରେ ତା’ର ଲୁହ ପୋଛି ଦେଲି; କିନ୍ତୁ ଏ କ’ଣ ! ଯାହା ଏତେବେଳ ଯାଏ ଜମି ରହିଥିଲା, ଟିକିଏ ପରଶ ପାଇ ଝରିଲା ଝର ଝର ହେଇ । ଶ୍ରାବଣ ବର୍ଷଣର ପରି ତା’ ଆଖିର ଲୁହ । ପିନ୍ଧା କାନି ମୋର ତିନ୍ତିଗଲା । ସୁଜାତା ସେତେବେଳକୁ ଗୋଟାପଣ ମୋ କୋଳରେ ।

 

ସାନ୍ତ୍ୱନା ଦେଲି–ଦୃଢ଼ ହୁଅ ସୁଜାତା ! ଭାଙ୍ଗି ପଡ଼ିଲେ ଚଳିବ ? ଆମର ଥିଲା, ଆଜି ନାହିଁ, ସେଥିପାଇଁ ଚିନ୍ତା କାହିଁକି ? କାଲିତ ପୁଣି ହେବ । ତୁମେ ସବୁବେଳେ ଏମିତି ବାଇଆ ପାଗଳ ପରି ହେଉଚ କାହିଁକି ? ମୁଁ ବୁଝୁଚି, ସବୁ ହୃଦୟଙ୍ଗମ କରୁଚି ସୁଜାତା । ତଥାପି ନାଚାର, କ’ଣ କରିବି ? ଦୁନିଆରେ ପ୍ରତାରଣା ଆଉ ପ୍ରବଂଚନାର ଯେଉଁ ତୋଫାନ ବହୁଚି, ତା’ ଭିତରେ ପଶିବାକୁ ମୋ ଛାତିରେ ବଳ ନାହିଁ ।

 

ସୁଜାତା କିଛି ବୁଝୁ ନ ଥିଲା । ମୋ ଛାତିରେ ମୁହଁ ଲୁଚେଇ କଇଁ କଇଁ ହେଇ କାନ୍ଦୁଥିଲା-। ମେଘ ଥମି ଆସୁଥିଲା ଧୀରେ ଧୀରେ ଅନ୍ଧାର ମାଡ଼ି ଆସୁଥିଲା ଚାରିଆଡ଼ୁ ।

 

ଟୁନା ଆଡ଼କୁ ଅନେଇ ଚମକି ପଡ଼ିଲି । ସେ ଗୋଟାଏ ସାପ ଛୁଆ ସାଙ୍ଗରେ ଖେଳୁଚି । ସାପ ଛୁଆଟା ଫଣା ଟେକି ଜିଭ ଲହ ଲହ କରି ଚାହିଁଚି ଟୁନା ଆଡ଼େ । ଟୁନା ହାତରେ ଯାକି ଧରି ତାକୁ ଆଉଁସି ଦେଉଚି । ଆଶ୍ଚର୍ଯ୍ୟ ! ଛାତିରୁ ମୋର ଅତରାଟାଏ ଖସି ପଡ଼ିଲା ସୁଜାତା ଧାଇଁ ଯାଉଥିଲା ବାଡ଼ି ଖଣ୍ଡେ ଧରି । ମୁଁ ତାକୁ ଭିଡ଼ି ଧରିଲି ।

 

–କ’ଣ କରିବାକୁ ଯାଉଚ ସୁଜାତା ? ଦୁହେଁ ଶିଶୁ । ଅନଭିଜ୍ଞ । କାହାର ପ୍ରାଣରେ ରାଗ ନାହିଁ ହିଂସା ନାହିଁ, ତେଣୁ ଦୁହେଁ ଦୁହିଁଙ୍କି ପାଇଛନ୍ତି ବନ୍ଧୁ ରୂପରେ । ସେଠି କେହି କାହାରି ଅନିଷ୍ଟ ଚିନ୍ତା କରୁନାହାନ୍ତି, ତେଣୁ ଅମଙ୍ଗଳର ଇଙ୍ଗିତ ଆସିବ କୁଆଡ଼ୁ ?

 

ସୁଜାତା ମୋ ହାତରୁ ହାତ ଝିଙ୍କି ନେଉଥିଲା,

 

–ସବୁଦିନ ଖାଲି ଅଲଗା କଥା, ଯେତେ ହେଲେ ହିଂସ୍ର ଜନ୍ତୁଟାଏ । ଟୁନାକୁ ଯଦି....

 

ତା’ପାଟିରେ ହାତ ଦେଇ କୁହାଇ ଦେଲି ନାହିଁ ତେଣିକି । ସୁଜାତାକୁ ଟାଣି ଆଣିଲି ଉପରକୁ ।

 

–ବୁଝିଲ ସୁଜାତା । ଦୁନିଆରେ ଲୋଡ଼ା ଆଜି ଠିକ୍‌ ଏମିତି ପବିତ୍ର ପ୍ରେମ । ଅଭିସଂଧି ନ ଥିବ, ଅଭିଳାଷ ନ ଥିବ, ଅବିଶ୍ୱାସ ନ ଥିବ । ପର ଅପର ଭୁଲି, ସମସ୍ତେ ସମସ୍ତଙ୍କୁ ନିଜ ଭିତରେ ଦେଖିବେ । ତେବେ ଏକା ଆମର କାହିଁକି ? ସାରା ଜଗତର ଦୁଃଖ ଦୁର୍ଦ୍ଦଶା ମେଣ୍ଟିଯିବ ।

 

ସୁଜାତା ବୁଝୁନଥିଲା ଯେତେ ବୁଝେଇଲେ ବି । ପୁଣି ହାତକୁ ଛଡ଼େଇ ଆଗେଇ ଯାଉଥିଲା ଆଗକୁ । ହଠାତ୍‌ ଚମକି ଛିଡ଼ା ହେଇଗଲା । ଭଙ୍ଗାକାନ୍ଥ ଉପରେ ସାପ ସାପୁଣୀ ଫଣା ଟେକି ଅନେଇଚନ୍ତି ଟୁନା ଓ ସାପଛୁଆର ଆନନ୍ଦ ମଉଛବକୁ । ସେମାନଙ୍କ ମୁହଁରୁ ଯେମିତି ହସ ଝରି ପଡ଼ୁଚି ।

 

ଏଥର ସୁଜାତାର ପାଦ ପଡ଼ିଲା ନାହିଁ ଆଗକୁ । ସେ ଛାଏଁ ଲେଉଟି ଆସିଲା ମୋ କୋଳକୁ । ହୁଏତ ହାରି ଯାଇଚି ସେ ତା’ ଅନ୍ତରରୁ ମଣିଷ ପଣିଆ ଗଜେଇ ଉଠିଚି ଦଣ୍ଡକେ । ମୁଁ ହସିଲି ।

 

ସୁଜାତା ହସିବାକୁ ଚେଷ୍ଟା କରୁଥିଲା । କେଜାଣି କାହିଁକି ହସିଲା ନାହିଁ, କହିଲି ତମେ ମଣିଷ ନୁହଁ ଦେବତା ।

 

ଆଉରି ଜୋର୍‌ରେ ହସ ମାଡ଼ି ଆସୁଥିଲା । ହସି ପାରିଲି ନାହିଁ । ଟୁନା ପଡ଼ି ଉଠି ଦଉଡ଼ି ଆସି ଆମ ଦୁହିଁକି ଅନେଇ ହସିଦେଲା । ମୁଁ ଦାଣ୍ଡକୁ ଅନେଇ ଦେଖିଲି ସାପ ଛୁଆଟି ବି ଯାଇ ତା’ ବାପା, ମାଙ୍କ ମଝିରେ ଫଣା ଟେକି ହସୁଚି ।

 

ଏଇତ ସଂସାର । ମଣିଷ ପଶୁ ପକ୍ଷୀ ସମସ୍ତେ ସ୍ନେହ କାଙ୍ଗାଳ ଟିକିଏ ଆଦର, ସୋହାଗ ପାଇଲେ, ସମସ୍ତେ ସମସ୍ତଙ୍କର ହୁଏତ ଦିନକରେ ହେଇଯିବେ ।

 

ସୁଜାତା ଟୁନାକୁ କାଖେଇ ଗେଲ କରୁଥିଲା । କହିଲି ଯାଅ ସୁଜାତା ! ସେ ଘରଟା ଯେ, ପାଣିରେ ବୁଡ଼ି ଗଲାଣି ।

 

ସୁଜାତା ଆଉ ଗଲା ନାହିଁ । ସିଏ ବି ଟିକିଏ ହସିଦେଲା ଏଥର । କହିଲା, କ’ଣ ମିଳିବ ସେଥିରୁ । ଆଜି ଦେହ କାଲି ମାଟିରେ ମିଶିବ । କାହିଁକି ଆଜି ଆଉ ସେ ସବୁ । ଆଜି ଅନେକ ଶିଖିଲିଣି । ବୁଝିଲି ସୁଜାତା ଧୀରେ ଧୀରେ ବାଟକୁ ଆସିଲାଣି । ମାୟା, ମୋହ, ଲୋଭ ତୁଟୁ ଧୀରେ ଧୀରେ । ବଡ଼ତିର ବଡ଼େଇ ନିଶା ଓ ଓହ୍ଲଉ ତା’ ମୁଣ୍ଡରୁ ।

 

ଅନେଇଲି ଟୁନା ଆଡ଼କୁ । ମା’ର ଗୋଟିଏ ସ୍ତନ ପାଟିରେ ପୂରେଇ, ମୋ ଆଡ଼କୁ କଣେଇ ଚାହିଁ ହସୁଚି ସେ ।

 

ଆମ ସଂସାରଟିରେ ସେଇ ଜଞ୍ଜାଳ, ସେଇ ପୁଣି ଆନନ୍ଦ ଝରକାରେ ପଦାକୁ ଅନେଇଲି-। ମେଘ ସେମିତି ହେଉଚି ଅବିରାମ ଗତିରେ ସୁଜାତା ଟୁନାକୁ ମୋ କୋଳକୁ ବଢ଼େଇ ଦେଇ ସେ ବି ଅନେଇଲା ମୋ ସାଙ୍ଗରେ ବାହାରକୁ ।

Image

 

ବେରିଂ ଚିଠି

 

ଚଳଚଞ୍ଚଳ ପାଦ ଯୋଡ଼ିକ ତା’ର ଥମିଗଲା ସେଇଠି । ପଛକୁ ଅନେଇଲା । ମଝିଆ ପୁତୁରାଟା ରା’ ଧରିଛି, ସାନ ଝିଆରୀ ମେଙ୍କିଟା ନାକରୁ ଶିଙ୍ଗାଣି କାଢ଼ି ପାଟିରେ ପୁରଉଛି । ବଡ଼ ପୁତୁରା ରାଧୁଆଟା ଆମ୍ବ ଗଛ ଡାଳରେ ବସି କଞ୍ଚା ଆମ୍ବଟାକୁ ଦି’କଳ କାମୁଡ଼ି ପକେଇ ମଝିଆଁ ପୁଅ ମଦନା ଉପରକୁ ଫିଙ୍ଗିବାକୁ ଉଙ୍କେଇଚି । ଉଷୁନା ଧାନ ହେଁସଟା ଉପରେ କୁଆପଲ ଲୀଳା ଲଗେଇଛନ୍ତି । ବଡ଼ ଯା’ ପଖାଳ ବେଲାକ ଗେଫିବାରେ ରହିଚି । କାଲି କୁତୀଟା ନାଞ୍ଜ ହଲେଇ ତା’ରି ଆଗରେ ଅହ୍ଲୀଆ ପଡ଼ିଚି ।

 

ଉଲୀ ଦିହରେ ବିଷ ଚରିଗଲା ଯେମିତି । ସେ ଖାଲି ମାଠିଆଟା କାଖରୁ ଓହ୍ଲେଇ ସେଇ ଅପନ୍ତରା ବଣରେ ଥୋଇଦେଇ ରାଗ ଗର ଗର ହେଇଯାଇ ତିନି ପିଲାଙ୍କ ଉପରେ ତାନ ଛିଣ୍ଡେଇଲା । ମଦନା ଗାଲକୁ ଦୁଇଁ ଆଣି ପିଠିରେ ଦୁଲ୍‌ ଦୁଲ୍‌କି ଦି’ଟା ଥୋଇ ଦେଇ, ବାଳିଆ ପାଟି ମେଲେଇ କହି ଚାଲିଲା,

 

–ତମ ଆଖି ସବୁ ଫୁଟି ଯାଇଚି, ନାଁ ଡିମା ନୋଷଡ଼ି ଯାଇଚି ? କୋଉ କାଳେ ଆଉ ଧିଏରେ ନାଗିବ । ଖାଲି ସବୁବେଳେ କେଁ ଭେଁ ମାରପିଟ୍‌ ହୁମ୍‌ ଦୁମ୍‌ । ଇଏ କଣ ଲୋ ମା’ । ଆଖି ଆଗରେ ଉଷୁନା ଧାନ ହେଁସୁଟାରେ କୁଆ ପଲକ ମଉଛୁକ କରୁଛନ୍ତି, କା’ରି ଆଖିକି ଦିଶୁଚି ନାଁ କରୁଚି । ପାହାନ୍ତା ପହରୁ ଖଟି ଖଟି ରାତି ଅଧ ହେଲେ ବି ଏ ଘରର ପାଇଟି ସରିବ ନାଇଁ । ଯୋଉ କାମ ନ କଲେତ ସେ କାମ ନୋହିଲା । ଆଉ କେଇତ କୁଟା ଖଣ୍ଡକ ଦି’ଖଣ୍ଡ କରିବା ପାଇଁ ନାହାନ୍ତି-। ଖାଲି ଫାଲୁଆ ଗୁଣ୍ଡାବଳି ଗେଫି ଗଲେତ ହେବ ନାହିଁ ?

 

ରାଧୁଆ ମା’ର ଖିଆ ସରିଥିଲା । ସେ ପଖାଳ କଂସାଟାକୁ ନାଳୁଆ ମୁହଁକୁ ଠେଲି ଦେଲା । ମାଛି ପଲକ ଭଣ୍‌କିନା ହେଇ ଉଠି ପୁଣି ଥମିଗଲେ, ସେ ବସିବା ଥାନରୁ ଉଠିପଡ଼ି ରାଗ ଗର ଗର ହେଇ ପଦାକୁ ବାହାରି ଆସି ଆରମ୍ଭ କରିଦେଲା,

 

–ହଁ ଲୋ ତୁଅର ଫେରେ ଇମିତି ଶାଣଦିଆ ମୁହଁ କେବେ ଠଉଁ ହେଲାମ ! ଆଗେତ କାନ କାଟିଲେ ବଚନ ବାହାରୁ ନ ଥିଲା । ଏବେ କୋଉ ସଉତୁଣୀଙ୍କ ବୁଦ୍ଧିରେ ପଡ଼ିଚୁ କହିଲୁ ଭଲା-। କଥା ନଅସରେ ଏଡ଼େ ଏଡ଼େ ଭାକା କା’କୁ କହି ଯାଉଚୁ ଲୋ । ତୁ କଣ ପୁଅ ଝିଅ କମେଇଥିଲେ ଇମିତି କହନ୍ତୁ । ଏ ଘରେ କେଇ ପୋଇଲି ନାହାନ୍ତି ଯେ ତୁଅପରି ସକାଳୁ ସଞ୍ଜଯାଏ ଅଣ୍ଟାପିଠି ଲଗେଇ ଖଟିବେ । ଘଇତା ଯାଇତ କେଉଁ ମୂଲକରେ ରହିଲାଣି, ବରଷେ ହବ ଚିଠି ନାଇଁକି ପତର ନାଇଁ । ତୁ ଖଟିବୁ ନାଇଁ ତ ନିଭା ହେବୁ କେମିତି ?

 

ଉଲୀ ପାଟିରୁ ଆଉ କଥା ବାହାରିଲା ନାହିଁ । ସେ ବଲ ବଲ କରି ରାଧୁଆ ମା’ ମୁହଁକୁ ପହଡ଼େ ଚାହିଁ ସୁର ନରମେଇ କହିଲା,

 

–ମୁଁ କ’ଣ ତୁମକୁ କହୁଥେଲି ନାନୀ, ତେମେ ଇମିତି ଗରଗର ହେଇ କ’ଣ ଗୁଡ଼ାଏ ବକି ଯାଉଚ ? ଇଏ ଘର ଦୁଆରେ ମୁଅର କ’ଣ ଦାବୀ ନାଇଁ ?

 

–ଥାଉ ଲୋ ଥାଉ, ଗୁଣର ଘଇତା ତୋ’ର ରୋଜଗାର କରି ଯେଉଁ ନ’ଶ ପାଁଶ ଜମେଇ ଦେଇଚି ନା, ସେଇଥିରୁ ଦାବୀ ବଢ଼ି ଯାଇଚି । ଆଲୋ ତୁଅର କି ଘର ଦୁଆର ଲୋ । ଖଟିବୁ ପେଟ ଖାଇବୁ । ତେଇଁ ରେ ଫେରେ ହେମାଜୋରୀ ?

 

ଉଲୀ ଆଖିରୁ ଲୁହ ଜକେଇ ଆସିଲା । ପାଦ ଯୋଡ଼ାକ ତାର ଫେରେ ଲେଉଟି ଗଲା । ମନଟା ଆଉଟି ପାଉଟି ହେଲା । ସେ ଭାବି ନ ଥିଲା ଜୀବନରେ ଏମିତିକା ଛାଡ଼ବାଡ଼ କଥା ଶୁଣିବ ବୋଲି । ଚଳଚଞ୍ଚଳ ପାଦ ଯୋଡ଼ିକ ତାର ଥମିଗଲା ।

 

ସେ ଯେତେବେଳେ ଏଇ ଘରକୁ ବୋହୂ ହେଇ ଆସିଥିଲା; ସେତେବେଳେ ଏ ଘରେ ଚାଳ ଛପର ଛଡ଼ା ଆଉ କିଛି ନ ଥିଲା । ଦିନେ ଚୁଲିକୁ ନୁଣ୍ଡାଗଲେ ଦି’ ଦିନ ଚୁଲି ଅଜଳା ରହୁଥିଲା-। ଇଏ ଦି’ ଭାଇ ଦିହ ମିହନ୍ତ କରି ଯା’ ଯୋଉଠୁ ରୁଣ୍ଡେଇ ସାଉଁଟି ଆଣୁଥିଲେ, ସେଇଥିରେ ଯଥାକଥା ଚଳି ଯାଉଥିଲା ।

 

ଛୁଆ ପିଲା ହେଲେ । ସଂସାର ବଢ଼ିଲା । ହେଲେ ଦାନା କନାର ନଅଣ୍ଟ ଅଣ୍ଟ ମେଣ୍ଟିଲା ନାହିଁ । ଦି’ ଭାଇ ଯାକ ଦିନେ ବସି ଦୁଃଖ ସୁଖ ହେଲେ । ଏମିତି ନଅଙ୍କିଆ ହେଇ ଆଉ କେତେଦିନ ଚଳିବେ ?

 

ଶେଷରେ ଠିକଣା ହେଲା ଗୋଟିଏ ଭାଇ କଲିକତା ଯାଉ । ଗାଁର କେତେ ଅରକ୍ଷିତ ଯାଇ ମଣିଷ ହେଇ ଗଲେଣି, ଏଠି ଦି’ ଭାଇଯାକ ଗୋଡ଼ ହାତ ବାନ୍ଧି ପଡ଼ି ରହିଲେ କି ଲାଭ ମିଳିବ-?

 

ବଡ଼ ଭାଇ ବାହାରୁଥିଲା କଲିକତା ଯିବା ପାଇଁ । ହେଲେ ଉଲୀ ମନକୁ କାହିଁକି କଥାଟା ଗଲାନାଇଁ ସେ ଏକାନ୍ତରେ ବିଷୁନିଆକୁ ଡାକି କହିଲା ।

 

–କଥାଟା ନାଙ୍କରା ହେବ । ଗାଁ ଭାଇଏ କ’ଣ କହିବେ । ତେମେ ଯାଅ । ବଡ଼େ ଘରେ ଥାଆନ୍ତୁ ।

 

ଶେଷରେ ସେଇଆ ହେଲା । ବିଷୁନିଆ ଲୁହ ଛଳ ଛଳ ଆଖିରେ ସେଦିନ ଚୂଡ଼ା ସେରେ, ଚାଉଳ ଗଉଣୀଏ ବାନ୍ଧି, ଟଙ୍କା ପାଞ୍ଚୁଟି କମରରେ ଖୋସି ଝଟଝଟିଆ ବେଳୁ ଗଙ୍ଗା କାଳୀଙ୍କ ନାଁ ସୁମାରଣା କରି ଘରୁ ଗୋଡ଼ କାଢ଼ିଲା । ଉଲୀ ସେଦିନ ଭୋ’କିନା କାନ୍ଦି ଉଠିଥିଲା । ବିଷୁନିଆ ବୁଲି ଅନେଇଥିଲା ପଛକୁ, କାଳେ ସ୍ୱାମୀଙ୍କର ଅମଙ୍ଗଳ ହେବ, ଏଇଆ ଭାବି ଉଲୀ ବହୁ କଷ୍ଟରେ କାନ୍ଦ ଥମେଇ ଥିଲା ।

 

ବିଷୁନିଆ କଲିକତାରେ କେତେ ଦୁଃଖ ଗଞ୍ଜଣା ଭୋଗି ରୋଗ ଶୋକରେ ଦହଜି ହେଇ, ତଥାପି ଗୋଡ଼ ଫେରେଇ ନ ଥିଲା ଘରକୁ । ଭଗବାନ ତା’ ଗୁହାରୀ ଶୁଣିଲେ । କୋଉ କଳଘରେ କାମ ଖଣ୍ଡିଏ ମିଳିଲା । ଯେଉଁଦିନ ପହିଲି କରି ଦଶଟି ଟଙ୍କା ସଙ୍ଗରେ ଭାଷା ଖଣ୍ଡେ ପାଇଲେ ଘରେ, ସେଦିନ କି ଆନନ୍ଦ ଉଚ୍ଛବ ଯେ ଲାଗି ଯାଇଥିଲା ଆଜି ସେକଥା ମନେ ପଡ଼ିଲେ ଉଲୀ ପ୍ରାଣଟା ବିଳପି ଉଠୁଚି ।

 

ତା’ପରେ ଆସିଲା ତୋଡ଼ାକୁ ତୋଡ଼ା ଟଙ୍କା ପଇସା । ହାଡ଼ ଭଙ୍ଗା ମିହନ୍ତ କରି, ଦିନ ରାତି ଚବିଶ ଘଣ୍ଟା ଗତର ଖଟେଇ, ପେଟ ପିଠିରୁ ମାରି ବିଷୁନିଆ ମାସକୁ ମାସ ଟଙ୍କା ପଠେଇଲା ଘରକୁ । ଘରେ ଲକ୍ଷ୍ମୀ ଠାବକଲେ । ଫଟା କାନ୍ଥ ଜୀବନ ପାଇଲା, ଭଙ୍ଗା ଛପର ବଦଳି ଗଲା । ବରଷ ପାଞ୍ଚୁଟାରେ ତାଙ୍କ ପରିବାରଟି ଉଠି ବସିଲା । ଜମି କିଣା ହେଲା, ହଳ ନଙ୍ଗଳ ଚାଲିଲା । ବିଶୁନିଆକୁ ସମସ୍ତେ ଧନ୍ୟ ଧନ୍ୟ କହିଲେ ।

 

ହେଲେ ଏଣେ ସିନା ଧନ ସମ୍ପଦ ବଢ଼ିଲା, ତେଣେ ବିଷୁନିଆ ଦିନକୁ ଦିନ ଗଳି ଯିବାକୁ ଲାଗିଲା । ସେ ଯେତେବେଳେ ଘରକୁ ଆସେ ଉଲୀ ରାତି ରାତି ବିଷୁନିଆ ତତଲା ଛାତି ଉପରେ ଲୁହ ନିଗାଡ଼ି କାନ୍ଦେ । ସେଦିନର ତା’ ହାଲୁକା ଛାତି, ବଳିଲା ବାହୁ କଥା ଭାବି ବିଷୁନିଆର ତରଳା ଛାତି, ଗଳିଲା ବାହୁକୁ ଯେତେବେଳେ ଅଣ୍ଡାଳି ପକାଏ, ତା’ ଛାତିରୁ ପୋଷେ ଲହୁ ଶୁଖିଯାଏ । ମୁହଁରେ ନିରାଶାର ଛାଇ ଫୁଟି ଉଠେ । ହେଲେ ବିଷୁନିଆ ହସରେ ଉଡ଼େଇ ଦିଏ ସବୁ । ଆଦର କରି ଉଲୀକୁ ଛାତି ଉପରକୁ ଟାଣିଆଣି, ଗେହ୍ଲେଇ ହେଇ କହେ,

 

–ମଣିଷର ବଳ ବଅସ ସବୁଦିନ ରହେ ନାଇଁମ ! ଏଇତ ସେଦିନର କଅଁଳ ଛନ ଛନ ମୁହଁଟିରେ ତୋ’ର ଆଜି କଳାଶିରା ଉକୁଟି ଦିଶିଲାଣି । ଏଇ ମାଟି ପିଣ୍ଡତ ଦିନେ ମାଟିରେ ମିଶିବ, ଏତେ ଭାଳେଣି କାହିଁକି ।

 

ହେଲେ, ଉଲୀ ସେ ସବୁ ବୁଝେ ନାଇଁ । ଆଖିରୁ ତା’ର ଲୁହଧାର ଶୁଖେ ନାଇଁ । କିରାସିନି ଡିବିଟା ପବନର ଦାଉ ସହି ନ ପାରି ଦପ୍‌କିନା ନିଭିଯାଏ ।

 

ସକାଳୁ ଘରେ କେତେ ପିଠାପଣା ହୁଏ । ଭାଇ ଆଦର କରନ୍ତି, ଭାଉଜ ଗେହ୍ଲା କରନ୍ତି । ବିଷୁନିଆ ଛାତିଟା ଆନନ୍ଦରେ ଫୁଲିଉଠେ । ବରଷେ ଛ’ମାସ ପରେ ଯୋଉ କେତୋଟି ଦିନ ସେ ଘରକୁ ଆସେ, ନିଘିନାମାରେ ଏତେଟିକିଏ ଅଯତ୍ନ ହୁଏ ନାହିଁ ।

 

ଦିନିକିଆ କୁଣିଆ ପରି ବିଷୁନିଆ ଆସେ, ଯାଏ । ଘରେ ଗହଳ ବଢ଼ି ଥମିଯାଏ । ଉଲୀ ଲୁହନିଗାଡ଼ି ମଉନ ରହେ । ଏମିତି ମାସ, ବର୍ଷ ଗଡ଼ିଚାଲେ । ଉଲୀର ଆଖି ଲୁହ ଶୁଖେନା । ମନ କାମନା ମେଣ୍ଟେନା । ସେ ଖାଲି କଳପରି ସକାଳୁ ସଞ୍ଜଯାଏ ଘରର ପାଇଟି କରିଚାଲେ ।

 

ଉଲୀ ବାଇଗଣ କିଆରୀ ପାଖରୁ ପୁଣି ମାଠିଆଟି ଉଠେଇଲା । ମନଟା ତା’ର ଆଜି ଭାଙ୍ଗିଯାଇଚି । ଯୋଉ ଘର ପାଇଁ ତା’ର ଏତେ ସ୍ନେହ ସରାଗ ସେଇ ଘରୁ ଆଜି ସବୁ ତୁଟି ଯାଇଚି-। ଇଏ ବି କିମିତିକା ଲୋକ । ଆସି ରଜ କହ୍ନେଇକି ରଜକହ୍ନେଇ ବରଷେ ହେବ ଗଲେଣି, ଖଣ୍ଡିଏ ଚିଠି ନ ପତର । ଟଙ୍କା ପଇସାର ଗନ୍ଧ ନାଇଁ । ଖବର ଅନ୍ତର ବି କୋଉଠୁ ଟିକେ ମିଳୁ ନାହିଁ-। ଖାଲି ପଧାନ ବୁଢ଼ା ସେଦିନ କହୁଥିଲେ ତାଙ୍କର କେଉଁଠିକି ବଦଳୀ ହେଇ ଯାଇଚି । ତା’ପରେ ପୋଖରୀ ତୁଠରେ ଉଲୀର ଗୋଡ଼ଟା ନଥକିନା ଖସିଗଲା । ଭୁସ୍‍କିନା କଚାଡ଼ି ହେଇ ପଡ଼ିଲା ସେ-। ମାଠିଆଟା ଭାଙ୍ଗି ଚୁନା ଚୁନା ହୋଇଗଲା । ରାଧୁଆଟା ଆମ୍ବ ଗଛ ଉପରେ ବସି ଖେଁ ଖେଁ ହେଇ ହସି ଉଠିଲା । ଉଲୀ ଦରଓଦା ହେଇ ତରବରକି ଉଠି ସଜାଡ଼ି ହେଲା ବେଳକୁ ଦେଖିଲା ତା’ ହାତର ପ୍ଲାଷ୍ଟିକ କାଚ ଦି’ ପଟଯାକ ଭାଙ୍ଗି ଯାଇଚି । ଛାତିରୁ ତା’ର ଅତରା ଖସି ପଡ଼ିଲା । ରାଧୁଆ ହସି ହସି ଗଡ଼ିଗଲା ଆମ୍ବଡ଼ାଳ ଉପରେ । ଏଡ଼େ ପାଟିକରି ହୁରି ପକେଇଲା,

 

–ବୋଉ, ଦେଖିବୁ ଆ’ଲୋ ଖୁଡ଼ି କେମିତି ରାଣ୍ଡ ହେଇଚି ।

 

ଉଲୀକି ଚଉଦିଗ ଅନ୍ଧାର ଦିଶିଲା । କ’ଣ କରିବ ନ କରିବ ଠିକଣା କରିବା ଆଗରୁ ବଡ଼ ଯା’ ଡିମା ଡିମା ଆଖି କାଢ଼ି ଆସି ହାଜର ହେଇଗଲେ । ଗର୍ଜ୍ଜନରେ ପୋଖରୀ କୂଳ କମ୍ପି ଉଠିଲା,

 

–ଆଲୋ ! ଏଡ଼େ ଅଲ୍ୟଳ କେବେ ହେଲୁମ । ମୋ ଚାରି ମାସର କଳା ମଚ ମଚ ମାଠିଆଟିକୁ ଭାଙ୍ଗି କୁଟା କୁଟା କରିଦେଲୁ । ଦି’ବେଳା ତ ଦି’ ବେଲା ଗେଫୁଚୁ, ବଳ ବଅସ କୁଆଡ଼େ ଯାଉଚି କିଲୋ ।

 

ଉଲୀ ପାଟିକୁ କଥା ପଇଟୁ ନ ଥିଲା । ସେ ତରବରକି ପିନ୍ଧା ଦରବା ଖଣ୍ଡିକ ଚିରି, କନା ଧଡ଼ିରେ ଦି ହାତ ବାନ୍ଧୁଥିଲା, ତେଣୁ ବଡ଼େ ପାଟି କରି ଉଠିଲେ ।

 

–ରାଧୁ ବୋଉ ! ଶୁଣିଲଣିନା । ବିଶୁନିଆ ଆମର ଏତେ ଦିନକେ ଚିଠି ଖଣ୍ଡେ ପଠେଇଚି । ଗୁଣର ଭାଇ ମୋର କିନା ! ତାକୁ ଦି’ଅଣା ପଇସା ଯୋଟିଲା ନାଇଁ ଯେ, ଫେରେ ବେରିଂ ଚିଠି ଦେଇଚି । କୋଉଠୁ ଯୁଟିବ ମ ! ଦିନରାତିତ ବେଶ୍ୟା ଘରେ ପଶି ରହିବେ, ଦାନା କନାତ ଜୁଟିବ ନାଇଁ ।

 

ଉଲୀ ଆଉ ଶୁଣି ପାରିଲା ନାଇଁ । କାନ ତାର ବଧୀରା ହେଇ ଯାଉଥିଲା । ରାଧୁଆ ମା’ ହାଣ୍ଡିଆ ପାଟି କରି କହିଲା,

 

–ଫେରେଇ ଦିଅ ସେ ଚିଠି । ଆମ ପଇସାତ ରହୁନାଇଁ ।

 

ଡାକ ପିଅନ ଚାଲି ଯାଉଥିଲା । ଉଲୀ ଶିଯୁବାଡ଼ ଭିତରେ ଗଳି ଦାଣ୍ଡ ଦୁଆରେ ପିଅନକୁ ଅଟକାଇଲା ।

 

–କେଇଅଣା ପଇସା ଲାଗିବ ପିଅନବାବୁ ?

 

–ଚାରିଅଣା

 

ଉଲୀ ଯାଇ କେତେକାଳର ସାଇତା ପଇସା ଚାରଣା ଆଣି ପିଅନ ହାତକୁ ବଢ଼ାଇ ଦେଲା । ପିଅନକୁ କହିଲା,

 

–ଚିଠିଟି ଟିକିଏ ପଢ଼ିଦବ ନାଇଁ ?

 

ପିଅନ ଚିଠିଟିକୁ ଚିରି ମନେ ମନେ ପଢ଼ିଲା, ଶେଷକୁ ଚିଠଟିକୁ ଉଲୀ ହାତକୁ ବଢ଼ାଇ ଦେଇ ବାହୁଡ଼ି ଯାଉଥିଲା । ଉଲୀ ଆନନ୍ଦ ଓ ବିସ୍ମୟରେ ଚାହିଁଥିଲା ତା’ରି ମୁହଁକୁ ପଚାରିଲା,

 

–କ’ଣ ଲେଖିଚନ୍ତି ? ଦିହ ପା’ ସବୁ କୁଶଳତ ? ରଜ କହ୍ମେଇକି ଆସିବେ ନା ନାଇଁ ?

 

ପିଅନର ଆଖି ଛଳ ଛଳ ହେଇ ଆସିଲା । ସେ ଚାଲିଯିବା ଆଗରୁ କହିଦେଇ ଗଲା,

 

–ବିଷ୍ଣୁନିଆ ଆଠମାସେ ହେବ ରୋଗରେ ଷଢ଼ି ଷଢ଼ି ଚାରିଦିନ ହେବ ମରିଯାଇଛି ।

 

ଉଲୀର ମୁଣ୍ଡ ବୁଲେଇ ଦେଲା । ସେ କଚାଡ଼ି ହେଇ ପଡ଼ିଲା ସେଇ ଶିଯୁ ବାଡ଼ ଉପରେ-

Image

 

ନିଆଁ-ପାଣି

 

ଶିଶିର ଛଳ ଛଳ ସଜ ସକାଳ । କୁହୁଡ଼ି ଘୋଡ଼େଇ ରଖିଚି ଆକାଶକୁ ଧୂଆଁଳିଆ ଅନ୍ଧାର-। ଦେହରେ ଶୀତ ପାଇଁ ପାଇଁ ଗଳିଯାଉଚି । ନରିପଧାନର ସେ ଆଡ଼କୁ ନିଘା ନାହିଁ । ସାତସିଆଁ ଦରବା ଖଣ୍ଡିକ ଏପଟକୁ ଟାଣି ଦେଲା ବେଳକୁ, ସେପାଖ ଫୁଙ୍ଗୁଳା ହେଇଯାଉଚି । ସେପାଖ ଟାଣି ଦେଲା ବେଳକୁ ଏପାଖ ଲଙ୍ଗଳା ହେଇ ଯାଉଚି ।

 

ସେ ଧାଇଁଚି ଏକ ମୁହାଁ ହେଇ । ହାତରେ ଦାଆ ଖଣ୍ଡେ । କାନ୍ଧରେ ଭାର ବାଡ଼ିଟାଏ । ବିଲରେ ଲକ୍ଷ୍ମୀ ଠାକୁରାଣୀ ଡାକୁଚନ୍ତି । ତା’ ପରାଣ ହସୁଚି । ଆଷାଢ଼ର ଲହୁ ପାଣିକରା ଖାଟେଣିର ଫଳ ସେ ପାଇବ ଆଜି । କେତେ ଝଡ଼ ବତାସ ବହି ଯାଇଚି ତା’ରି ମୁଣ୍ଡ ଉପରେ । କେଉଁଟାକୁ ସେ ପରୁଆ କରିନାହିଁ । ଦୁଃଖରେ ଯାହାର ଜୀବନ ଗଢ଼ା, ତା’ର ପୁଣି ଦୁଃଖ କ’ଣ?

 

ଆଜି ସେ ଯାଉଚି ପହିଲି କଟା କାଟିବା ପାଇଁ । ଦି’ପାଖରେ ହଳଦୀ ଗୁରୁ ଗୁରୁ ଧାନ କିଆରୀ ଦେଖି ତା’ ପରାଣ ହସି ଉଠୁଚି । ଭୋକ, ଶୋଷ ଭୁଲି ଯାଉଚି ନରି ପଧାନ । ରାତିସାରା ତା’ ଆଖିକି ନିଦ ହେଇନାହିଁ । କେତେ ସପନ ସେ ଦେଖିଚି । ସବୁ ଆଶା ଆଉ ସୁଖର । ଶାମ ରାଉତଠୁଁ ଦେଢ଼ କୋରି ଧାନ ଦେଢ଼ିରେ ଆଣିଚି । ସୁଧ ଗୌଣୀକେ ପାଏ ପାଏ ହେଲେ ସାତ ସାତ ଗୌଣୀ ଦି’ପା । ଗାଏ ମୋଟ କୋରିଏ ସତର ଗୌଣି ଦି’ପା ।

 

ନଖି ବୋଉଠୁଁ ହାତ ଉଧାରି କରିଚି ଅଢ଼େଇ ଗୌଣୀ । ସବୁ ମିଶି ଏବର୍ଷ ଦି’ କୋରି ଧାନ କରିଚି । ଅଢ଼େଇ ମାଣିଆ ବତା ଦି’ ଖତ୍ପରେ ଅଉଲ ନମ୍ବର ଧାନ ହେଇଚି । ସେତକରେ ସବୁ ଶୁଝିଯିବ । ନଖି ମୁଢ଼ି ଗଣ୍ଡାକ ପାଇଁ କାଲି କେତେ ନିକୁଟି ହେଉଥିଲା । କଞ୍ଚନ ବୋଉ ଗୁଡ଼ିଆଣୀ କୁଞ୍ଚିଏ ମୁଢ଼ି କାଳିରେ ଦେଇଗଲା ନାହିଁ । ଧାନ କାଟିଆଣି ଖଳାରେ ପଧେଇ ଦେଲେ ସେଇ ଫେରେ ଆପେ ଆପେ ଆଣି ସେରେ ସେରେ ଗୁଞ୍ଜି ଦେଇଯିବ । ମନରେ ତା’ର ଭାବନା, କଳ୍ପନା, କାମନାର ଜୁଆର ।

 

ନଖି ବୋଉ ଦେଇଥିବା ପୋଡ଼ପିଠା ଖଣ୍ଡକ ଶେଷ ହେଇଗଲା । କାଳି କୁତୀଟା ଗୋଡ଼େ ଗୋଡ଼େ ଗୋଡ଼େଇ ଆସିଚି । ପଧାନ ତାକୁ ପିଠାରୁ ବକଟେ ବକଟେ ଦେଇ ଟାଣି ଆଣିଚି ଗୋହିରୀ ବିଲଯାଏ । ଜାଣ ପଶୁପରି ସେ ବି ଲେଉଟିଗଲା । ପଧାନ ପଛକୁ ଅନେଇଲା । କୁତୀଟା ଲାଙ୍ଗୁଳ ହଲେଇ ହଲେଇ ବାହୁଡ଼ି ଯାଉଚି । ହସିଲା ପଧାନ । ସୁଆର୍ଥୀ ଏ ଦୁନିଆ । ସୁଆର୍ଥୀ ଏ ଜଗତ ଯାକର ପ୍ରାଣୀକୁଳ ।

 

ମୁଣ୍ଡର ପାଗଟାକୁ ଭଲକରି ଭିଡ଼ିଦେଲା ପଧାନ । ଖଣ୍ଡିଆ ପିକା ଖଣ୍ଡିକ ଗଳିପଡ଼ିଲା କାନରୁ । ଗୋଟେଇ ଆଣିଲା ହାତରେ । ଶୀତ ସକାଳଟାରେ ଧୂଆଁ କାଳେ ଟାଣିଦେଲେ ଦେହଟା ନିଆଁ ହୋଇଯାଏ । ପାଟି ଆଉଳ ପାଉଳ ହେଲା । ପଛକୁ ଅନେଇଲା ଟିକିଏ । କିଏ ଜଣେ ଆସୁଚି ପରା । ହଁ ହଁ ନିଧି ସାମଲ ବୁଢ଼ା । ତା’ରି ପାଖରେ ଝକମକି ଥିବ । ପଧାନ ଠିଆହେଲା ସେଇଠି । ପିକାଟାରୁ କାତରା ଫିଟେଇ ଆଉଥରେ ଗୁଡ଼େଇ ଦେଲା । ନିଧି ସାମଲ ବାଙ୍କି ଯାଉଥିଲା ଆର ଓଟାର ବାଟେ । ନରିପଧାନ ଡାକିଲା,

 

–ଏ ନିଧିଆ ଭାଇ ! ଏଇ ବାଟେ ଆ । ମୁଁ ତତେ ଅନେଇ ଠିଆ ହେଇଚି ।

 

ନିଧି ସାମଲ ପିକାଟାରେ ଛେପ ଲଗେଇ ଲିଭେଇ ନେଲା । ସେ ଖଣ୍ଡିଆ ଖଣ୍ଡକୁ କାନରେ ଖୋସିଦେଇ ମୁହିଁଲା ନରି ପଧାନ ଆଡ଼େ ।

 

ପଧାନ, ଝକମକି ମାରି ପିକା ସୁଲୁକେଇଲା । ଦି’କଳ ଟାଣି ସାରି କହିଲା,

 

–ଏଇବାଟେ ଆସୁନୁ ନିଧିଆ ଭାଇ ! ଆମ କିଆରୀ ମୁଣ୍ଡରୁ ବାଙ୍କିଗଲେ ଚଳିବ ।

 

ଦିହେଁ କାକର ତିନ୍ତା ଘାସ ମାଡ଼ି ଆଗକୁ ଚାଲିଲେ ।

 

ନିଧି ସାମଲ କହିଲା,

 

–ପ୍ରଭୁଙ୍କ ଦୟାରୁ ଏ ସାଲେ ପାଳକଟା ଭଲ ହୋଇଛି ।

 

–କି ପାଳକ ସେ ନିଧିଆ ଭାଇ ! ବେଳ କାଳ ଏମିତି ପଡ଼ିଚି ଯେ, ଯେତେ ରୁଣ୍ଡେଇ ସାଉଁଟି ଆଣିଲେ ବି ସେଇ ନିଅଣ୍ଟ । ପିଲା କୁଟୁମ୍ବ ନେଇ ଯେ କେମିତି ଘର ଚଳେଇବି, ଭାବିଲା ବେଳକୁ ଆଖିବାଟେ ନିଆଁ ପଳଉଚି । ଜମିଦାର ଘର ଖଜଣା ତିନି ବରଷ ହେଲା ଦିଆ ହୋଇନାହିଁ-। ମେଘ ବାଆ ହେଲେ ଘରେ ପାଣି ପଶୁଚି । ନଖିର ଲୁଗା ନାହିଁ । ତା’ ମା’ ବି ସାତସିଆଁ କରିଆ ପିନ୍ଧୁଚି । ଭଲ କଣ୍ଟୋରୋଳ ହେଇଚି ଯେ, ଦଉଡ଼ି ଦଉଡ଼ି ଗୋଡ଼ରୁ ପରସ୍ତେ ଚମ ଉପୁଡ଼ି ଗଲାଣି । ତେବେ ବି ଲୁଗାଖଣ୍ଡେ ମିଳୁନାହିଁ । ଖାଲି କଲବଲ ହେଇ ମରିବା କଥା ।

 

ନିଧି ସାମଲ ଗୋଟାଏ ଗହିରୀଆ ନିଶ୍ୱାସ ଟାଣି କହିଲା,

 

–କିଏ ଆଉ ଆରାମରେ ଅଛି ଯେ, ତୁ ଖାଲି ଦହଯ୍ୟ ସହୁଚୁ । ଘର ମାମଲାରୁ ବାହାର ମାମଲା ବଳେଇ ପଡ଼ୁଚି । କେତେ ନୂଆ କଥା, କେତେ ନୂଆ ରଙ୍ଗ ଢଙ୍ଗ । ରୋଜ ରୋଜ ଦେଖି ଦେଖି ଆଖି ମୋର ବସି ଗଲାଣି । କାନ ବଧିର ହୋଇଯିବ ଆଉ କେଇଦିନେ । ଦିଏରେ ଭାଇ ବେଳକାଳତ ଆମର ସରି ଆସିଲାଣି । ମୁଣ୍ଡ ହୁଗୁଳା ତାଳ ପରି ହଲୁଚେ । ଟିକିଏ ସୁଲୁକା ପବନ ହେଲେ ଛିଣ୍ଡି ପଡ଼ିବ । କ’ଣ ମିଳିବ ଏତେ ନଢ଼େଇ ଭିଡ଼େଇରୁ । ଏତେ ଦିନ ମୁଣ୍ଡ ଝାଳ ତୁଣ୍ଡରେ ମାରି ପେଟଳୁ ଦାନା ଗାଣ୍ଡିକି କନା ଜୁଟେଇ ଥିଲେ । ନ’ ହେଲା ଏବେ ପଡ଼ନ୍ତ କାଳକୁ ସେତକ ନ’ ମିଳିବା ଦିଏ ନ’ ମିଳିବ ନାହିଁ । ଲାଜ ହେବ ପୁଅ ଭାଇଙ୍କି ।

 

ନିଧି ସାମଲ ବାଟ ଆଡ଼େଇ ଚାଲିଗଲା । ଆଗରେ ନରି ପଧାନ କିଆରୀ । ଧାନ ଶୋଇଚି ପାନିଆରେ କୁଣ୍ଡେଇ ଦେଲାପରି । ଟିକିଏ ଅଡ଼ୁଆ ତଡ଼ୁଆ ନାହିଁ । ପଧାନ ହିଡ଼ ମୁଣ୍ଡରେ ଠିଆହେଇ ପହଡ଼େ ଚାହିଁଲା ।

 

ଖରା ଚାରିମାସେ ତା’ ପୋରିହା ହାଡ଼କୁ ଟିକିଏ ବି ଆରାମ ଦେଇ ନାହିଁ । ପଙ୍କ, ଖତ, ସାର ଯାହା ଯୋଉଁଠୁ ପାଇଚି, ସବୁ, ଆଣି ଜମା କରିଚି କିଆରୀରେ । ସେ ଜାଣେ ମାଟି ସାଙ୍ଗରେ ଜୁଝିଲେ ମାଟି ସୁନା ଫଳ ଦିଏ । ହାଡ଼ଭଙ୍ଗା ମିହନ୍ତ ଯିଏ କରିବ, ସିଏ ମାଟି ବୁଣି ସୁନା ଗୋଟେଇବ ।

ଏ ଯାକେ ବି ଫରଚା ହେଉନାହିଁ । କୁହୁଡ଼ିଟା ଖାଲି ପାତଳ ହେଇ ଯାଇଚି ଟିକିଏ । ପଧାନ ଚାରି ଆଡ଼କୁ ଅନେଇଲା । ପେଟ ପୂରିଗଲା ଖୁସିରେ । ମୁଣ୍ଡରେ ପାଗ ଖୋଲି କମରରେ ଭିଡ଼ିଲା । ଚୁନପତର ବକଟେ କାନିରୁ ଫିଟେଇ କଳରେ ଗୁଞ୍ଜିଲା । ତା’ପରେ ପରମେଶ୍ୱରଙ୍କ ନାମ ସୁମରଣା କରି, ଯୋଡ଼ ହାତରେ ଓଳଗି ହେଇ ଧାନ କିଆରୀରୁ କାଟିଲା, ବୁଦାଏ ଦି’ବୁଦା, ତିନି ବୁଦା ।

 

କିଏ ଗୋଟାଏ ଖଣ୍ଡେ ବାଟରୁ ଡାକ ପକେଇଲା,

 

–ଖବରଦାର ନରି ପଧାନ, ତୁ ସେ କିଆରୀରୁ ଧାନ କାଟି ପାରିବୁ ନାହିଁ । ନରି ପଧାନ ଥକ୍କା ମାରି ଅନେଇଲା ଦୂରକୁ । କିଏ ଜଣେ ଦି’ଜଣ ହାତରେ ଚିତାଏ ଚିତାଏ ଉଞ୍ଚର ଠେଙ୍ଗାଟା ଲେଖା ଧରି ସେଇ ଆଡ଼କୁ ମାଡ଼ି ଆସୁଚନ୍ତି ।

 

ନରି ପଧାନ ହାତରୁ ଦାଆ ଖସି ପଡ଼ିଲା । ଧାନ କେଇବୁଦା ବିଂଚି ହେଇଗଲା । କିଏ ସେ ଏମାନେ । ଆଗରେ ଗୋଟାଏ ନାଗରା ବାଲା । ପଧାନ ଅନେଇଥିଲା ଜଳ ଜଳ କରି । ସିଏ କ’ଣ ଆସି ଆଉ କା’ କିଆରୀରୁ ଧାନ କାଟୁଚି । ଅନେଇଲା ଭଲ କରି । ନାଁ ଏ ତା’ରି ଜମି ଏଇ ଗତସନର ହାତ ହିରାଟା ସେମିତି ଜଳ ଜଳ କରି ଅନେଇଚି । କାଇଁଚ ବୁଦାଟା ସେଇଠି ଅଛି । ଆଷାଢ଼ ମାସରେ ୟାରି ଉପରେ ବସି ନଖି କାଇଁଚ କେନ୍ଦୁଥିଲା । ତେବେ ତା’ରି କିଆରୀରୁ ତାକୁ ଧାନ କାଟିବାକୁ ବାରଣ କରୁଚି କିଏ ।

 

ନାଗରାଟା ଡିବି ଡିବି ହେଇ ବାଜି ଉଠିଲା । ନାଗରା ବାଲା କହିଲା,

 

–ଏ ଜମିର ଖଜଣା ତିନି ବରଷ ହେଲା ବାକି ଅଛି । ଜମିଦାରଙ୍କର ହୁକୁମ ହୋଇଚି ଏ ସାଲେ ଏଠୁ ଧାନ କାଟି ପାରିବୁ ନାହିଁ ।

 

ନରି ପଧାନ ଭକୁଆଙ୍କ ପରି ଅନେଇଲା । କ’ଣ କହୁଚନ୍ତି ଏମାନେ ! ଇଏ ତା’ର ସାତ ପୁରୁଷର ଜମି । ସେଇ ଲୁହ ଲହୁ ନିଗାଡ଼ି ଏଥିରେ ଫସଲ କରିଚି । ଆଷାଢ଼ର ସାତ ତାଳ ବରଷା ତା’ରି ମୁଣ୍ଡ ଉପରେ ଢାଳି ଯାଇଚି ବିଜୁଳି ଘଡ଼ ଘଡ଼ିକୁ ସେ ଖାତିରି କରିନାହିଁ । ଆଉ ଆଜି ଏମାନେ ଆସି କହୁଚନ୍ତି ଜମି ବେଦଖଲ, ଧାନ ତୁ କାଟି ପାରିବୁ ନାହିଁ ।

 

ନ ହେଲା ଏବେ ଜମିଦାର ଖଜଣା ଦିଆଯାଇ ପାରିନାହିଁ । କାଳ ମହରଗ ମେଣ୍ଟିଗଲେ ଜମିଦାର ଖଜଣା ସୁଝି ଦିଆଯିବ । ତା’ ବୋଲି ମୋତେ ମୋ ଜମିରୁ ବେଦଖଲ କରିବେ । ନରି ପଧାନ ଅନ୍ତର ତାତି ଉଠିଲା । ନିଶ୍ୱାସ ଖର ହେଇ ବାହାରିଲା । ସେ କିଛି ଶୁଣିବ ନାହିଁ, କିଛି ମାନିବ ନାହିଁ । ଜମି ତା’ର ମାଲିକ ସିଏ । ସେ ଲହୁ ଦିଏ । ସିନା ପାଏ । ନା, ନା, ଧାନ ସେ କାଟିବ । କାହାରି ମନା ମାନିବ ନାହିଁ । କାହାକଥା ଶୁଣିବ ନାହିଁ ।

 

ପଧାନ ପାଗଳ ପରି ହେଇଗଲା । ଦାଆଟାକୁ ତଳୁ ଗୋଟେଇ ଆଣି ଶକ୍ତ ମୁଠାରେ ମୁଠେଇ ଧରିଲା । କାଟିଲା ବୁଦାକ ପରେ ବୁଦାଏ, ପୁଣି ବୁଦାଏ ।

 

ଜମିଦାର ଘର ଲୋକେ ପାଟି କରି ଉଠିଲେ,

 

–ପଧାନ ମନା ମାନୁନାହୁଁ । ପୁଣି ଅନିଷ୍ଟ ହେବ ଭଲରେ ଭଲରେ କହୁଚି ମନା ମାନିଯା-। ଖାଲି ଜମିଦାର ଘର କଥା ନୁହେଁ, ସରକାର ଘରୁ ହୁକୁମ ପାଇଚୁ । ଏଇ ଦେଖ ହୁକୁମ ନାମା ।

 

ପଧାନ ଶୁଣିଲା ନାହିଁ । ବେଳ ବଢ଼ୁଚି । ଖରା ଆସୁଚି । ଧାନରୁ କାକର ଛାଡ଼ି ଗଲେ ଶିଂସା ଭାଙ୍ଗିଯିବ । ଏଗୁରାଙ୍କ ସାଙ୍ଗରେ ବୃଥା ତକରାଳ କରି ଲାଭ ନାହିଁ ।

 

ଜମିଦାର ଘର ଲୋକ ଗୋଟାଏ ଆଗେଇ ଆସିଲା । ନରି ପଧାନକୁ ଟାଣି ଆଣିଲା କିଆରୀରୁ । ହାତରୁ ତା’ର ଦାଆଟା ଛଡ଼େଇବାକୁ ଯାଉଥିଲା । ପଧାନ ଦେହରେ ଲହୁ ଗବ ଗବ ହେଇ ଫୁଟୁଥିଲା । ସେ ଭୁଲି ଯାଇଥିଲା ନିଜକୁ । ଜମିଦାର, ସରକାରକୁ । ତା’ କିଆରୀ ବେଦଖଲ କରିବାକୁ ଫେର ଏ ଗୁରାକ ସମର୍ଥ ।

 

ସେଇ ଶାଣିଆ ଦା’ଟାକୁ ଲଗେଇ ଦେଲା ଜମିଦାର ଘର ଲୋକ ହାତରେ । ଲହୁ ପିଚିକି ପଡ଼ିଲା । ଆଉ ଜଣକର ଠେଙ୍ଗା ପାହାର ଆସି ବସିଲା ନରି ପଧାନ କାନ ମୂଳରେ । ସେ ବୁଲି ବୁଲି କଚାଡ଼ି ହୋଇ ପଡ଼ିଲା ତା’ରି ଧାନ କିଆରୀରେ । ଚେତା ବୁଡ଼ିଗଲା ।

 

ଯେତେବେଳେ ଚେତା ହେଲା ଦେଖିଲା, ସେ ବସିଚି ଘର ପିଣ୍ଡା ଉପରେ ନଖି କାନ୍ଦୁଚି, ନଖି ବୋଉ କାନ୍ଦୁଚି । ଘରର ଜିନିଷ ପତ୍ର ସବୁ ବୋହି ନେଇ ଯାଉଚନ୍ତି ଜମିଦାର ଘରର ଲୋକେ-। କୋରଖ ଉଠେଇ ନେଇ ଯାଉଚନ୍ତି । ନରି ପଧାନ ଅନେଇଚି । ଖାଲି ଅନେଇଚି । କହିବାକୁ ତୁଣ୍ଡରେ ଭାଷା ନାହିଁ ଦେହରେ ବଳ ନାହିଁ । ଆଖି ଆଗରେ ନଖି ଆଉ ତା’ ବୋଉ । ସେମାନଙ୍କ ଆଖିରେ ପାଣି ଆଉ ନରି ପଧାନ ଆଖିରେ ନିଆଁ ।

Image

 

ସୁନାଚିତା

 

ନିଦାରୁଣ ଦଇବର ନିଦ ଭାଙ୍ଗୁନାଇଁ । ସୁମୀ ଲୁହ ଲାଳ ଏକକାର ହେଇ ନିତି ସଞ୍ଜ ସକାଳେ ଗୁହାରି ଜଣାଉଚି । ହେ ମା ମଙ୍ଗଳା ! ମୋ ସ୍ୱାମୀଙ୍କୁ ସଦ୍‌ବୁଦ୍ଧି ଦିଅ । ସେ ଅବାଟରୁ ଗୋଡ଼ ଲେଉଟାଇ ଆଣନ୍ତୁ ।

 

ହେଲେ ପଥର ଦେବତା ପଥର ପାଲଟି ଯାଇଚନ୍ତି । ସୁମୀର ଆରାଧନା ଯେମିତି ତାଙ୍କ ଆସ୍ତାନ ଟଳେଇ ପାରୁନାଇଁ । ସୁମୀ ପାଟକାରିଆ ଠାରୁ ଆରମ୍ଭ କରି କେତେ ଲାଞ୍ଚ ଯାଚି ସାରିଲାଣି ଦେବତାକୁ । ତଥାପି ଦେବତା ଅଚଳ, ଅଟଳ ।

 

ସୁମୀ ସେଦିନ ଶାଗତୋଳି ଯାଇ ପଞ୍ଚୁଆ ମା’ ଠଉଁ ଶୁଣିଲା ପଞ୍ଚୁଆ ବାପ କହୁଚନ୍ତି ରସିକଟା ଏକାରି ବିଗିଡ଼ି ଗଲା । ଆଗେ ହେଲେ ଥିଲା ଗୋଟାଏ ରକମ । ଆଜି କାଲି ଏଳାରି ସରିଗଲାଣି କା’ କଥାରେ ଅଛି ନା ବୋଲରେ ଅଛି । ବେସରମା ଟୋକା । ମୁହଁରୁ ପାଣି ଛାଡ଼ି ଗଲାଣି । ଦିନେ ପରା ୟାଙ୍କ ମୁହଁରେ ରୋକ୍‌ ଠୋକ୍‌ ଜବାବ ଦେଇଦେଲା–ମୋ ସଉକରେ ତେମେ ବାଧା ଉପୁଜେଇଲା ବାଲା କିଏ ହୋ । ପାଞ୍ଚ ପଇସା ଦେଉଚ, ନାଁ ନେଉଚ । ମୁଁ ମୋର ଯଦି ଶୋଭନା ବାଈକୁ ନେଇ ଦାଣ୍ଡରେ ନାଚେ, ତମର କି ଗଲାହେ !

 

ପଞ୍ଚୁ ବାପା ତଥାପି କେତେ କରି ତାକୁ ବୁଝାଇଲେ, ଦେଖ୍‌ ବାପା । ଇଏ କଲିକତା ନୁହେଁ କଲିଜା କଟା ଥାନ । ଆମେ ଶହେକୋଶ ପୃଥ୍ୱୀରୁ ଆସିଥାଇଁ, ଆମର ପିଲା କବିଲା ଅଛନ୍ତି, ସଂସାର ଅଛି । ଆମରି ହାତ ଟେକାକୁ ସେମାନେ ଅନାଇ ବସିଚନ୍ତି । ଏଚ୍ଚୁ ଗଲେ ସେଣେ ଫୁଟିବ-। ତା’ଛଡ଼ା ତୋର ଲକ୍ଷ୍ମୀ ପରି ସ୍ତ୍ରୀଟିଏ ଅଛି, ତତେ ଏସବୁ ଶୋଭା ପାଏନା । ସାନ କୁହା ମାନି ଘରକୁ ଲେଉଟି ଚାଲେ ।

 

ମିଏ କ’ଣ ହେଲାମେନ୍ତି ହେଲା କିଲୋ ସୁମୀ । ଏକାକିତ ମାରେ କି ମରେ ! କାଲି ପଞ୍ଚୁଆ ବାପ କହିଲା ବେଳେ ମୋ ଆଖିରୁ ପରା ଲୁହ ନିଗିଡ଼ି ଆସିଲା । ତୁଅ କପାଳ ମନ୍ଦ ଲୋ ଭଉଣୀ, ନୋଇଲେ ରସିକା ପରି ପୁଅ, ଯଏ କାହାକୁ ଟିକେ ମୁହଁ ଟେକି ଅନାଏଁ ନାଇଁ ସିଏ ଫେରେ ଆଜି ଦାରୀ ଘରେ ପଶିଲା ।

 

ସୁମୀ କାଠ ପିତୁଳାଟି ପରି ଠିଆ ହୋଇ ପଞ୍ଚୁଆ ମା’ର ସବୁକଥା ଶୁଣିଗଲା । କାଲି ପଞ୍ଚୁ ବାପା କଲିକତାରୁ ଆସିଚନ୍ତତି । ବଉଳ ପାଇଁ ତା’ ଗେରସ୍ତ କେତେ ଦଇବ ପଠେଇଚି । ବାସନା ତେଲ, ଆଇନା, ପାନିଆ, ଅଳତା, ସିନ୍ଦୁର ଆହୁରି କେତେ କଥା । ମାଳତୀ ଗରସ୍ତ ସେମିତି ଲୁଗା, ବ୍ଲାଉଜ୍‌ ଇମିତି ଇମିତି କେତେ ଦରବ ପଠେଇଚନ୍ତି । ଚିଠି ଦେଇଚି କେତକୀ ଗେରସ୍ତ । ପଢ଼ି ଶୁଣାଉ ଥିଲା କାଲି । କେତେ ଆଦର ଗୌରବ କରି ଲେଖିଚି । କେତକୀ ଲୋ ! ଏ ଦୋଳ ପର୍ବକୁ ଯାଇ ପାରିଲି ନାଇଁ, ଭାରି ମନ ଥିଲା ଥରେ ଯାଇ ତୋ ମୁହଁରୁ ହସ ଦେଖି ଆସିବା ପାଇଁ, ହେଲା ନାଇଁ । ଗୋଲାମୀତ କାଳ ହେଲା । ଦୁଃଖ କରିବୁ ନାଇଁ ମନରେ, ରାଣୀଟା ପରା । ଏଇ ଆଗିଲା ମାସକୁ ନିଶ୍ଚେ ଯିବି ।

 

ସୁମୀର ଛାତି ଫାଟିଗଲା ଯେମିତି । ସେ ଭୋ ଭୋ ହୋଇ କାନ୍ଦି ପକାଇଲା । ପଞ୍ଚୁଆ ବୋଉ ଭାରି ଅକଳରେ ପଡ଼ିଗଲା । ବିଲ ମଝିଟା, କେତେ ମରଦ ପୁଅ ଯା’ ଆସ କରୁଚନ୍ତି । ଭୁଆଷୁଣୀଟା ଏମିତି କାନ୍ଦିବାର ଦେଖିଲେ କ’ଣ କହିବେ ।

 

ସୁମୀର ଆଉ ପଞ୍ଚୁ ବୋଉର ଉପଦେଶ ଶୁଣିବା ପାଇଁ ଛାତିରେ ବଳ ନ ଥିଲା । ଗୋରା ମୁହଁଟା ତା’ର ନାଲି ପଡ଼ି ଯାଇଥିଲା । ଶାଗ ତୋଳିବା ପାଇଁ ତା’ ହାତ ଚଳିଲା ନାଇଁ । ପରାଣଟା ଭିତରେ ଗୋଟାଏ ବେସୁରା ସୁର ଉଠି ତା’ କାମ ଦାମ ସବୁ ବେଖାମିଆ କରିଦେଲା । ସେ ଛୁଟି ପଳେଇଲା ଘରକୁ । ତା’ର ସେଇ ନୂଆଣିଆ ଭଙ୍ଗା ଦଦରା ଘର ଖଣ୍ଡିକ ଭିତରକୁ ।

 

ଦିନେ ସେ ୟାରି ତଳେ ବସି କେତେ ସ୍ୱପ୍ନ ଦେଖିଥିଲା । ସବୁ ଆଶାର, ସୁଖର, ଆଜି ସ୍ୱପ୍ନ ତ ନୁହେଁ; ଦୃଶ୍ୟ ଦେଖୁଚି ମରଣ ବିଭୀଷିକାର । ଠାକୁର କ’ଣ ଏଡ଼େ ନିଷ୍ଠୁର । ଏତେ ଲୋକଙ୍କର ଏତେ କଥା ଶୁଣୁଚନ୍ତି, ତା’ରି ବେଳକୁ କାନ ବୁଜି ଦେଉଚନ୍ତି କିଆଁ ?

 

ମୁଣ୍ଡାଟାକୁ ତଳେପିଟି ଗୁହାରୀ ଜଚ୍ଚାଇଲା । ମା’ ମଙ୍ଗଳା ମୋ ସଂସାର ଉଜୁଡ଼ିଗଲା । ମୋ ଭେଳା ବୁଡ଼ିଯିବ ଅକାତ କାତ ପାଣି ଭିତରେ । ଭଉଁରୀ ଜାକିଦେବ ଆଖି ପିଛୁଡ଼ାକେ, ତୁ ରଖ ମା’, ମୁଁ ତୋତେ ସୁନାଚିତା ଚତେଇବି ମୋର ତାଙ୍କୁ ଘରକୁ ଫେରେଇ ଆଣେ ଆମର ଲୋନା ନାଇଁ ସେ ସୁଖ ସମ୍ପଦ । ତୁ ତାଙ୍କୁ ଖାଲି ମୋତେ ଫେରେଇ ଦିଏ ମା’ । ତତେ ସୁନାଚିତା ପିନ୍ଧେଇବି ।

 

ସୁମୀ ନମ୍‌ ହେଇ ଠାକୁରଙ୍କ ଗୋଡ଼ ତଳେ ପଡ଼ି ରହିଲା, ସେ ଯେମିତି ପଣ କରିଚି । ଭୋକ ଉପାସରେ ଏଇଠି ପଡ଼ି ମରିବ ପଛକେ, ବର ନ ନେଇ ବାହୁଡ଼ିବ ନାଇଁ ।

 

ବେଳ ଗଡ଼ିଲା, ସଞ୍ଜ ହେଲା, ରାତି ହେଲା । ତେବେ ବି ସୁମୀ ଠାକୁରଙ୍କୁ ସୁମରଣାକରି ପଡ଼ି ରହିଲା । ସେ ଜାଣେ କାଠ ପଥରର ଦେବତାଙ୍କ ଅନ୍ତର ତରଳାଇାବାକୁ ହେଲେ କଠୋର ସାଧନାର ଦରକାର ପଡ଼େ ।

 

ଠାକୁର ସତେ ଅବା ତା’ ଡାକ ଶୁଣିଲେ । ପଞ୍ଚୁଆ ବାପା ଆସି କହିଲା ଉଠୁ ମା’ । ଯା, ଖିଆପିଆ କର । ଶାଶୁ ବୁଢ଼ୀଟା କନ୍ଦାକଟା କରୁଚି । ତେମେ ବୁଝିଲା ମଣିଷ, ଏମିତି ଆଇଗୁଣୀ ହେଲେ ଚଳିବ ! ମୁଁ ବୁଝିବି । ମୁଁ ରସିକାକୁ ଅବାଟରୁ ଫେରାଇବାକୁ ଚେଷ୍ଟା କରିବି । ନୋଇଲେ ଗୋଟାଏ କଥା କରିବି, ମୋର ଏଇ ଶନିବାରେ ଛୁଟି ପୂରି ଯାଉଚି, ମୋ ସଙ୍ଗରେ ତେମେ କଲିକତା ଚାଲିଯିବ, ଦେଖିବା ରସିକା କେମିତି ନ ଫେରେ ।

 

ସୁମୀ ଶୁଣିଲା ନାଇଁ, ତା’ ମନ ଭିତରେ ଯେଉଁ ଭଉଁରୀ ଦେଖାଦେଇଚି, ସେ ଏଡ଼େ ସଅଳ ଥମିବାର ନୁହେଁ । ଠାକୁର ତା’ର ସାହା ଭରସା । ଏ ବେଳରେ ଆଉ କେହି ତାକୁ କୂଳ କିନାରା ବତେଇ ପାରିବେ ନାହିଁ । ହେ ଠାକୁରେ । ସୁନା ଚିତା ଦେବି କଦଳୀ ନଡ଼ିଆ ଭୋଗ କରିବି, ମୋ ଦରବ ମୋତେ ଫେରେଇ ଦିଅ ।

 

ପଞ୍ଚୁ ବାପା ସେମିତି ସେଇଠି ଠିଆ ହୋଇଥାଏ, ଶେଷକୁ ଚିଡ଼ି ମାଡ଼ିଲା ଭାରି । ମାଇକିନିଆଟା । ଏଡ଼େ ବହପ ତା’ର । ଗାଁ ଗୋଟାକର ମଣିଷ ଆସି ଥାଟ ପତର ଭାଙ୍ଗିଲେଣି ତା’ ଦୁଆରେ, ତେବେବି ମାଇକିନିଆର ସେଇ ଏକା ଜିଦ୍‌ । କିମିତି ତା’ ଠାକୁରେ ରସିକାକୁ ଫେରେଇ ଆଣିବେ ଦେଖିବି ଭଲା । ପଞ୍ଚୁଆ ବାପ ନାଲି ଗାମୁଛା ଖଣ୍ଡିକ କସିକି ବାନ୍ଧିଲା କମରରେ ।

 

ସୁମୀର ଶାଶୁ ବୁଢ଼ୀ ଆଉଳୀ ବାଉଳୀ ହେଉଥାଏ । ଆଜି କାଲିକା ପିଲାଙ୍କୁ ଆଉ ବଳ ନାଇଁ ।

 

ପଞ୍ଚୁ ବାପା ବୁଢୀକୁ ଡାକି କହିଲା–ମୁଁ ତ ଭଲ କଥ କହୁଚି ମାଉସୀ ! ଇମିତି ତ ଜଗତ୍ର ଜଗୁଛି । କଲିକତା ସହରରେ ରହି ଗୋଡ଼ ଖସାଇବା ନିମଟିକର କାମ ! ରକାଟା ଅକଲ ହରେଇ ଯଦି ଇଆ କରି ପକେଇଚି, ମୁଁ ତ କହୁଚି ବୋହୂକୁ ତମର ମୋ ପୁଅ ସଂଗରେ ପଠେଇ ଦିଅ । ଦେଖିବ ରସିକା ଫେରେ କିମିତି ନ ଲେଉଟେ ।

 

ବୁଢୀ ପହଡ଼େ ମଉନ ରହି କହିଲେ–ଯାହା କହିଲୁ ହଳିଆ କଥାଟା ମୋଟେ ମନକୁ ପାଉ ନାଇଁ । କୁଳବୋହୂ ମୋର ଫିରିଙ୍ଗି ଦେଶକୁ ଯାଇ ଜାତି ମହତ ହରେଇବ, ସିଏ ସବୁ ପଟିବ ନାହି ।

 

ହଳିଆ ଏଥର ଚୁପ୍‌ ରହି ପାରିଲା ନାଇଁ-କହିଲା-ମାଉସୀ ! ମୁଁ ତମ ଭଲ ପାଇଁ କହୁଚି-। ପୁଅଟା ବାଟକୁ ଅସିଲେ କେତେ ବୋହୂ ମିଳିବେ । ପୁଅଟା ଯଦି ବିଗିଡ଼ି ଯାଏ ।

 

ଏତିକିବେଳେ ଦୁଆର ମୁହଁରେ କ’ଣ ଗୋଟାଏ ଧଡ଼୍‌ କିନା ପଡ଼ିବାର ଶବ୍ଦ ହେଲା । ଦିହିଙ୍କ ଆଖି ପଡ଼ିଲା ଯାଇଁ ସେଇଠି । ହଳିଆ ଦେହ ଶୀତେଇ ଉଠିଲା । ରସିକ ଗୋଟାଏ ଧାରୁଆ ଛୁରି ଧରି ଧୀରେ ଧୀରେ ତା’ରି ଆଡ଼କୁ ମାଡ଼ି ଆସୁଚି–ମୁଁ ସବୁ ଶୁଣିଚି ହଳିଆ ! ତୋ କଉଶଳ ଆଉ ଏଥର ପଟିବ ନାଇଁ । ବେଇମାନ ନିମକ ହାରାମ । ଶେଷରେ ମୋରି ଦାଉ ସାଧିବାକୁ ଥିଲା-। ମୋରି ଛୋଟିଆ ସଂସାରଟି ଉଜାଡ଼ି ତୁ କ’ଣ ପାଇବୁ ?

 

ଯେଉଁଦିନ ମୋ ସୁମୀ ନାଁଆରେ ବାର ଦୁର୍ଚ୍ଛନା ରଟେଇ ମୋତେ ଶୋଭନା ବାଈର ଘରକୁ ନେଇ ଯାଇଥିଲୁ, ସେ କଥା ଆଜି ମୁଁ ଭୁଲି ନାଇଁ, ମୁଁ ଜାଣି ନଥିଲି ସେଦିନ ତୋ ଫନ୍ଦି ପିକର ଆଜି ବୁଝିଲି । ତୁ ଚକ୍ରାନ୍ତ କରି ମୋ ସଂସାରଟିକୁ ବୁଡ଼ାଇ ଦେବାକୁ ବସିଚୁ, ଆଉ ମଧ୍ୟ ଶୁଣି ଆସିଲି ଜଫରୁଲା ଠାରୁ ଦୁଇଶହ ଟଙ୍କା ଘେନି ଆସିବୁ ତାକୁ ମାଇକିନିଆଟିଏ ଦେବାପାଇଁ । ଷଡ଼ଯନ୍ତ୍ର କରୁଥିଲୁ ମୋରି ନାରେ କୁତ୍ସାରଟେଇ ମୋରି ସୁମୀକୁ ନେଇ ତାକୁ ଦେଇ ଥାଆନ୍ତୁ, ନାଁରେ ?

 

ରସିକା ମୁହଁ ନାଲି ଗରଗର ଦିଶୁଥିଲା । ସେ ଆଗେଇ ଆସୁଥିଲା ପାଦେ ପାଦେ, ହଳିଆ ପଛେଇ ଯାଉଥିଲା ପାଦେ ପାଦେ । ସେ ଥରୁଥିଲା ଗୋଟିପଣ ।

 

ତେଣୁ ଶୁଣା ଯାଉଥିଲା-ମା ମଙ୍ଗଳା ! ତାଙ୍କୁ ମୋର ଭଲ ବାଟକୁ ଫେରେଇ ଆଣେ । ସୁନା ଚିତା ଚଢ଼େଇବି । ଛେନା ନଡ଼ିଆ ଭୋଗ କରିବି । ରସିକା କାନରେ କଥା କେଇପଦ ବାଜିଗଲା, ସେ ବୁଲି ଅନେଇଲା, ସୁମୀ ତା’ର, ମଙ୍ଗଳାଙ୍କ ପାଖରେ ଅଧିଆ ପଡ଼ି ତା’ରି ଶୁଭକାମନା କରୁଛି । ହାତ ତାର କୋହଳ ହୋଇଗଲା, ମନ ତାର ତରଳି ଗଲା । ଛୁଟିଗଲା ସୁମୀ ପାଖକୁ । ମୁଁ ଆସିଛି ସୁମୀ । ଠାକୁରେ ତୋ’ ଗୁହାରୀ ଶୁଣିଛନ୍ତି ।

 

ସୁମୀ ଓଦା ଜର ଜର ଆଖିରେ ଅନେଇଲା ରସିକା ମୁହଁକୁ, ପୁଣି ଥରେ ଅନେଇଲା ଠାକୁରଙ୍କ ଆଡ଼କୁ । ଦୁହେଁ ଯେମିତି ହସୁଛନ୍ତି । ତା’ ମୁହଁରୁ ବି ଝରି ପଡ଼ିଲା ହସ ପାଖୁଡ଼ାଏ ।

Image

 

ଯୋଡ଼ିଏ କୁସୁମ କଳି

 

ଥୁରୁ ଥୁରିଆ ଜାଡ଼ ସକାଳ । ବାଉରୀ ସାହିର ସାନ ସାନ ପିଲାଏ କୁଟା କାଠି ଗୋଟେଇ ଧୂନୀ ଲଗେଇଚନ୍ତି ଚାରି ପାଖରେ ଘେରି ବସି ନିଆଁ ଧାସରେ ତେଜାକରି ନେଉଛନ୍ତି ଶୀତ ଥର ଥର ଦିହଟାକୁ । କାହା ଦିହରେ ଛିଣ୍ଡା ଦରବା ଅଛି । କେହିବା ଫୁଙ୍ଗୁଳ ବମି ହାତ ଗୋଡ଼ ଚାରୋଟିକୁ ଦେଖଉଛି ଗଡ଼ନିଆଁ ଧାସକୁ ।

ସୂର୍ଯ୍ୟ ଉଠିନାହାନ୍ତି । ପୂର୍ବ ଆକାଶ ଫରଚା ହେଇନାହିଁ । ଘନ କୁହୁଡ଼ି ଢାଙ୍କି ରଖିଚି ଗଛ ଲତାକୁ । ଯେଣିକି ଚାହିଁବ ତେଣେ ଧୂଆଁଳିଆ ଅନ୍ଧାର । ସପନା ସାଙ୍ଗ ମେଳିରେ ବମି ନିଆଁ ପୁଉଁଥିଲା ଧୂନି ପାଖରେ । ବୟସ ତା’ର ଆଠ କି ନଅ ପିଲାଳିଆ ପ୍ରକୃତି । କଅଁଳ ଛନ ଛନ ମନ । ଦୁନିଆର ଗହୀର ଭିତରକୁ ସେ ପ୍ରବେଶ କରି ପାରିନାହିଁ ଏ ଯାକେ ।

ବାପ ତା’ର ନିଦ ମଳ ମଳ ହେଇ ଉଠିଆସି ସପନା କାନକୁ ଧରି ଘୋଷାରି ଆଣିଲା ମଝି ଦାଣ୍ଡକୁ । ଶଳାକୁ ସେତେ ବେଳୁ ଉଠେଇ ଦେଲିଣି ବାବୁ ଘର ଚାକିରୀକି ଯିବା ପାଇଁ । ଯେଉଁମାନଙ୍କ ସାଙ୍ଗରେ ବସି ଧୂନୀ ଜଳଉଚୁ ସେ ତତେ ଦେବେନା ନେବେ ? ଦି’ ଚାପୁଡ଼ା ବସେଇ ଦେଲା ତା’ କଅଁଳ ଗାଲରେ ।

ସପନା କାନ୍ଦି ଉଠିଲା । ସତେ ଯେମିତି ତା’ କରୁଣତାରେ ପଥର ତରଳି ଯିବ । ହେଲେ ସେ ଆଡ଼କୁ କେହି ନଜର ଦେଲେ ନାହିଁ । ଓଲଟି ଜଣେ ଅଧେ କହିଲେ, ସେଟା ମାଡ଼ୁଆଟାଏ ମ । ବାବୁ ଘର ଚାକିରୀ । ମାସକୁ ତିନି ଟଙ୍କା । ଏମିତିଆ କପାଳ କେଇ ଜଣଙ୍କର ? ଯାହାକୁ ଦୂଧ ଭାତ ଗନ୍ଧେଇବ ତାକୁ ବଳ କାହାର?

 

ସପନା କାନ୍ଦି କାନ୍ଦି ଘର ଭିତରକୁ ପଶିଲା । ଅମଜା କଂସାଖଣ୍ଡେ ଧରି ଜାଡ଼ ଶୀତରେ ଥରି ଥରି ବାବୁଘର ଚାକିରୀକି ବାହାରିଲା । ବାଟ ଯାକ ଓଦା । ରାତି ଯାକ କୁହୁଡ଼ି ବର୍ଷଣରେ ସନ୍ତସନ୍ତିଆ ହେଇ ଯାଇଛି । ସପନା ଗୋଟିଏ ପାଦ ଉଠେଇ ଆଉ ଗୋଟିଏ ପାଦ ଉଠେଇଲା ବେଳକୁ, ତାକୁ ଲାଗୁଥିଲା ଯେମିତି ତା’ ଦିହସାରା ବିଷ ଚରି ଯାଉଛି ।

ବାବୁଘରେ ପହଞ୍ଚିଲା । କାହାରି ନିଦ ଭାଙ୍ଗି ନାହିଁ । ବାଡ଼ିପଟ ପାଳ ଗଦାରୁ ପାଳ ଓଟାରି ଆଣି ଗୋରୁ ଖୁଣ୍ଟ ପାଖରେ ପକେଇଲା ଧଡ଼ ଖୋଲି ଗୋରୁ ଗୁହାଳେ ପଶିଲା । ଏତେ ସଅଳ ଗୋରୁଗୁଡ଼ିକ ପଦାକୁ ବାହାରିବାକୁ ନାରାଜ । ସପନା ପାଞ୍ଚଣ ଖଣ୍ଡକ ଧରି ସବୁ ରାଗ ତାଙ୍କରି ଉପରେ ସୁଝେଇଲା । ଡରି ଡରି ଥରି ଥରି ଗୋରୁ ଗୁଡ଼ାକ ଆସି ଆପଣା ଆପଣା ଖୁଣ୍ଟ ପାଖରେ ଠିଆ ହେଲେ । ସପନା ଗୋଟି ଗୋଟି କରି ପଘାରେ ବାନ୍ଧିଲା ।

ଗୋରୁ ବନ୍ଧା ସରିଲା ବେଳକୁ ବାବୁଘର କବାଟ ପିଟିଲା ।

ବାବୁଆଣୀ ହାଣ୍ଡିଫଟା ଗଳାରେ ଡାକିଲେ–

ସପନା ? ଆରେ ଦାନ୍ତ କାଠି କାହିଁ ?

ସପନା ଜଡ଼ ସଡ଼ ହେଇ ବାଉଁଶ ବୁଦାକୁ ଦୌଡ଼ିଲା । ହାତ ପାହାନ୍ତାରେ ଖଣ୍ଡିଏ କରି ଦାନ୍ତକାଠି ନାହିଁ । ସେଇ କାକର ବୁଡ଼ା ବାଉଁଶ ଗଛ ଉପରକୁ ଚଢ଼ୁ ଚଢ଼ୁ ଗୋଡ଼ ଖସିଗଲା । ଗୋଟାଏ ଖେଞ୍ଚ ସପନାର କଅଁଳ ମାଉଁସରେ ଗଳିଗଲା । ରକତ ଥପ୍‌ ଥପ୍‌ ହେଇ ବୋହି ପଡ଼ିଲା-। ସତେ ଯେମିତି କଅଁଳ ମଣିଷର କଅଁଳ ମାଉଁସ ଖାଇବା ପାଇଁ ସମସ୍ତେ ଦାନ୍ତ ପଜେଇ ବସିଚନ୍ତି-

ସପନା ବାଁ ହାତରେ ଲହୁ ଗୁଡ଼ାକ ପୋଛି ପକେଇ ପୁଣି ଗଛକୁ ଚଢ଼ି ଦାନ୍ତ କାଠି ଖଣ୍ଡେ ଭାଙ୍ଗି ବାବୁଆଣୀଙ୍କ ଘରକୁ ଦଉଡ଼ିଲା । ସେତେବେଳକୁ ବାବୁଆଣୀ ନିଆଁ ବାଣ । ସପନାକୁ ଦେଖି ଦାନ୍ତ ଲଗେଇଦେବେ ଯେମିତି ! –ଆରେ ପୋଡ଼ାମୁହା ବାନ୍ଦର ଟୋକା ରୋଜତ ତିନି ବେଳକୁ ତିନି କଂସା ପେଟରେ ପୂରେଇ ଦେବାକୁ ଗୁଣ୍ଡା ଅଟକିବନି । କାମ କଲା ବେଳକୁ ଗତରକୁ ବାଧି ଯାଉଛି କାହିଁକି ? ସକାଳୁ ଆଜି ମଣିଷ ଦହ ଗଞ୍ଜ ହେଲାଣି, ଦିନ ତମାସ କଲବଲରେ କଟିବ ।

ସପନା ଗୋଟିପଣ ଥରୁ ଥିଲା । ଡରି ଡରି କହିଲା, ଗଛରୁ ପଡ଼ିଗଲି, ଖେଞ୍ଚଟାଏ ଦିହରେ ଫୁଟିଗଲା । ଏଇ ଦେଖୁନା ରକତ ଝରି ପଡ଼ୁଛି ।

ବାବୁଆଣୀ ଚିଡ଼ି ଉଠିଲେ । ଆଉରୀ ପୋଡ଼ାମୁହାଁ ନ ମରି ଯାହା ବଞ୍ଚିଲୁ । ସକାଳୁ ମଣିଷକୁ ଯେଉଁ ଦହଗଞ୍ଜରେ ପକେଇଲୁଣି, ଭଗବାନ ସହନ୍ତେ କେମିତିରେ !!

ବାବୁଆଣୀଙ୍କ ସାନପୁଅ ମନୁ ଆଖି ମଳି ମଳି ବାହାରି ଆସିଲା । ଦିହରେ ଗରମ ଜାମା-। ତା’ ଉପରେ ପୁଣି ଗୋଟାଏ ଶାଲ । ମା’କୁ କହିଲା–ବୋଉ କାଲି ଆମେ ଖେଳିଲା ବେଳେ ପେଣ୍ଡୁଟା କୋଉଠି କିଆବଣ ଭିତରେ ପଶି ଯାଇଛି । ସପନାକୁ କହ ବାହାର କରି ଆଣିବ ।

ସପନା ଆଉ ବାବୁଆଣୀଙ୍କ ହୁକୁମକୁ ନ’ ଅନେଇ ସାଙ୍ଗେ ସାଙ୍ଗେ କିଆ ବାଡ଼ ଆଡ଼କୁ ମୋହିଁଲା । ବାବୁଆଣୀଙ୍କ କଥାରେ ଅଣହେଳା ହେଲେ ରକ୍ଷା ରକ୍ଷଣ ଅଛି ଆଉ, ସାନବାବୁଙ୍କ କଥା ଟିକିଏ ଟଳିବାର ନୁହେଁ । ସେଦିନ ସାନବାବୁଙ୍କ ହୁକୁମ ପାଳନରେ ଟିକିଏ ଡ଼େରି ହେଇ ଯିବାରୁ, ଅଛଡ଼ା କଣି ଖଣ୍ଡେ ତା’ପିଠିରେ ପଡ଼ି ଯାଇଥିଲା । ଆଜି ଯାକେ ଦରଜ ଯାଇ ନାହିଁ କି ଘା’ ଶୁଖି ନାହିଁ ।

ସପନା ଛୋଟିଆ ପ୍ରାଣଟି ଫୁଲି ଫୁଲି କାନ୍ଦି ଉଠିଲା । ସେ ମନେ ମନେ ଭାବିଲା ଦୁନିଆଟା ଏଡ଼େ ଅସଳଖ ଯେ, ତା’ର ଗୋଟାଏ ବୁଝ ବିଚାରନାହିଁ । ସାନବାବୁତ ତା’ ବାପର ପୁଅ, ମୁଁ ତ ମୋ ବାପର ପୁଅ । ସେ କାହିଁକି ଲୁଗା ଜାମା ପିନ୍ଧି, ଚଢ଼ଉ ଯୋତା ମାଡ଼ି ବାଟ ଚାଲିବ, ଆଉ ମୁଁ କାହିଁକି ଶୀତ ଲିଭେଇବାକୁ ଛିଣ୍ଡା ଦରବା ଖଣ୍ଡେ ପାଇବି ନାହିଁ ? ଏଇ ମାଟି ଉପରେ ଆମେତ ଏକା ମଣିଷ, ଏମିତି ପକ୍ଷାପାତର ବିଚାର କାହିଁକି ହେଉଚି ? କାହାର ସେ ଦୋଷ ଦେବ । ଛୋଟ ମନଟି ତା’ର ଚକଟି ମନ୍ଥି ହେଇ ଉଠିଲା । ଭାବିଲା ତା’ରି ବାପା ପାଇଁ ଖାସ ସେ ଏତେ କଷଣ ଭୋଗୁଛି । ସାନ ବାବୁଙ୍କ ବାପା, ସାନବାବୁଙ୍କ ପାଇଁ ସବୁ ପହରକୁ ସବୁ ଖଞ୍ଜି ରଖିଛନ୍ତି । ଆଉ ତା’ ବାପା ତାକୁ କିଛି ନ ଦେଇ ଓଲଟି ମାଡ଼ ଚଢ଼ଉଛି । ସେ ଯଦି ବାବୁଙ୍କର ପୁଅ ହେଇ ଥାଆନ୍ତା....ଆଃ....କେଡ଼େ ମଜାରେ ଦିନ କଟଉ ଥାଆନ୍ତା ।

କିଆ ବୁଦାର ଚାରି କରରେ ଖୋଜିଲା । ପେଣ୍ଡୁର ଦେଖା ଦର୍ଶନ ନାହିଁ । ବୁଦା ଭିତରେ ଗଳିଲା, କେଉଁଠି ପେଣ୍ଡୁର ଚିହ୍ନ ବର୍ଣ୍ଣ ନାହିଁ । କିଆ କଣ୍ଟା ଦିହରେ ବାଜି ଠାକୁ ଠା’ ଲହୁଜକେଇ ଆସିଥିଲା ଫିକା ମନ ନେଇ, ଥରିଲା ଛାତିରେ ଜଣେଇଲା ପେଣ୍ଡୁ ମିଳିଲା ନାହିଁ । ସାନବାବୁ ସରୁ ଚକୁଳି ସହିତ ଚିନି ମିଶେଇ ଖାଉ ଥିଲେ । କୁକୁର ଦି’ଟା ତଳେ ଲାଞ୍ଜ ପିଟି ସାନବାବୁଙ୍କ ଆଡ଼କୁ ଏକ ଲୟରେ ଅନାଇ ଥିଲେ । ସାନବାବୁ ବେଳେ ବେଳେ କୁକୁରଙ୍କ ଆଡ଼କୁ ଫୋପାଡ଼ୁଥିଲେ ।

ସପନା ଟିକିଏ ଛଡ଼ାରେ ଛିଡ଼ା ହେଇ ସାନବାବୁଙ୍କ ପିଠା ଥାଳି ଆଡ଼କୁ ଏକମନ ଏକ ଧ୍ୟାନରେ ଅନେଇ ଥିଲା । ଜିଭ ତା’ର ସଲି ଉଠୁଥିଲା । ମନେ ମନେ ଭାବୁଥିଲା ବାବୁତ ଏଇଆକୁ ରୋଜ ଖାଉଛନ୍ତି । କି’ ଦରବ ଏ? ପାଟିକୁ କେମିତିଆ ଲାଗେ ? ମିଠା ନିଶ୍ଚେ ହେଇଥିବ ! ପିଲା ମନ ତା’ର କ’ଣ ନାହିଁ କ’ଣ ହେଇଯାଉଥିଲା । ଭାବିଲା ମାନବାବୁଙ୍କୁ ଖଣ୍ଡେ ମାଗି ଚାଖିବ । କୁକୁରକୁ ସେ ଦେଉଛନ୍ତି । ମାଗିଲେ କ’ଣ ଚଉଠେ ଦେବେ ନାହିଁ । ଫେର ତା’ ମନ ଶଙ୍କି ଗଲା । କାଳେ ଯଦି ନ’ ଦେଇ ବାବୁଆଣୀଙ୍କୁ ଡାକ ପକାନ୍ତି ତେବେ ?

ସପନା ସାନବାବୁଙ୍କ ହାତକୁ ଅନେଇଥିଲା । ଯେମିତି ସେ ପିଠା ଖଣ୍ଡେ ଭାଙ୍ଗି କୁକୁର ଆଡ଼ୁକ ଫୋପାଡ଼ି ଦେଇଛନ୍ତି, ସପନା ଝଡ଼ ପରି ଯାଇ ମାଡ଼ି ବସିଲା । କୁକୁରଟା ଧାଇଁ ଆସ ଖପ୍‌ କରି ସପନା ହାତକୁ କାମୁଡ଼ି ପକେଇଲା । ସପନା ହାଉଳି ମାଉଳି ହେଇ, ପିଠା ଖଣ୍ଡକ ଛାଡ଼ିଦେଇ ଲହୁ ଜର ଜର ହାତଟାକୁ ସାତ ଗଣ୍ଠିଦିଆ ଲୁଗାଟାରେ ପୋଛି ପକେଇଲା । ସାନବାବୁ କିର୍‌ କିର୍‌ ହୋଇ ହସି ଉଠିଲେ ।

ବାବୁଆଣୀ ଘର ଭିତରୁ ବାସୀ ଭାତ କଂସାରେ ଅଧ କଂସା ଆଣୁଥିଲେ ସପନା ପାଇ । ସପନା କଂସା ଖଣ୍ଡିକ ବଢ଼େଇ ଦେଲା ତାଙ୍କ ଆଡ଼କୁ । ବାବୁଆଣି ଅଟକି ଯାଇ କହିଲେ–କିରେ ପେଣ୍ଡୁ ଆଣିଲୁ ?

ସପନା କାକୁତି ମନତି ହେଇ ଜଣେଇଲା–ଖୋଜି ଖୋଜି କୋଉଠି ପାଇଲି ନାହିଁ । ରାତିରେ ବୋଧେ ଶିଆଳ କୁକୁର କିଏ ଟାଣି ନେଇଛନ୍ତି ।

ବାବୁଆଣୀଙ୍କ ପାଦ ଆଉ ଆଗକୁ ପଡ଼ିଲା ନାହିଁ । ସ୍ୱର ତାଙ୍କର ପଞ୍ଚମକୁ ଉଠିଗଲା । ଭାତ ସେତକ ଫେରେଇ ଘରେ ରଖିଦେଇ ଆସି କହିଲେ–ପୋଡ଼ାମୁହାଁ ଖାଇଲା ବେଳକୁ କଂସା ପତେଇ ଦେଉଛୁ, କାମ ଗୋଟାଏ କରିବା ବେଳକୁ ଜୀବନ ଯେମିତି ଛାଡ଼ି ଯାଉଛି । ଯା’ ଭଲ ଦଶା ଅଛିତ ପେଣ୍ଡୁ ଖୋଜି ଆଣ, ନ’ହେଲେ ଖାଇବାକୁ ଦେବିନି । ଆଜି ଖାଡ଼ା ଖାଡ଼ି ଓପାସ ।

ସପନା କଂସାଟିକୁ ଧୀରେ ଫେରେଇ ନେଲା । କ’ଣ ଗଣ୍ଡାଏ ଖାଇବାକୁ ଦେଉଥିଲେ ଯେ ପେଟରୁ କଣେ ପୂରି ନଥିଲା । ପାହନ୍ତା ପହରୁ ପେଟଟା ଗଁ ଗଁ ହେଉଛି । ସପନା କଂସା ଖଣ୍ଡକ ବାରି ପଛ ଆଡ଼େ ରଖି ଦେଇ ଆସି ଧୀରେ ଧୀରେ କିଆ ବାଡ଼ ଆଡ଼କୁ ଆଗେଇଲା ।

ବାବୁଆଣୀ ସାନବାବୁଙ୍କ କହିଲେ ଯା ମନୁ, ଦୁଧ ଆଉଟା ହେଇ କୁଣ୍ଡ ତଳେ ଘୋଡ଼ା ହେଇଛି ପିଇଦେବୁ ।

ସପନା ଗୋଡ଼ ଦଣ୍ଡେ ଅଟକି ଗଲା । ସେ କେବଳ ପଛକୁ ଥରଟିଏ ଫେରି ଚାହିଁଲା । ପେଣ୍ଡୁ ଆଜି ଖୋଜି ଆଣିବାକୁ ହେବ, ନ’ ହେଲେ ଦିନ ସାରା ଉପାସ । ସପନା ଆଗକୁ ପାଦ ପକେଇଲା ।

ବାବୁଆଣୀ ସାନବାବୁଙ୍କ ହାତ ଧରି ଘୋଷାରି ଘୋଷାରି ନେଉଥିଲେ ମୋ ଧନଟା ପରା ! ଚାଲ ଦୁଧ ପିଇ ଦେଇ ଆସି ଖରାରେ ବସିବୁ ।

Image